ଅସହ୍ୟ ତାତିରେ ପାଣି ନପାଇ ଆଉଟୁ ପାଉଟୁ ଜୀବଯନ୍ତୁ ଟ୍ୟାପ ପାଣି ପିଉଛନ୍ତି


ପଟ୍ଟାମୁଣ୍ଡାଇ; ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ତାତି ସାଙ୍ଗକୁ ଅସହ୍ୟ ଗୁଳୁ ଗୁଳି ଜନ ଜୀବନକୁ ବ୍ୟତିବ୍ୟସ୍ତ କରିପକାଉଛି । ଦୈନିକ ତାପମାତ୍ରା ୪୦ ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପ଼ଡୁଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଗତ ୬/୭ ସପ୍ତାହ ଧରି କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟାପରେ ଘରୁ ବାହାରିବା କଷ୍ଟକର ହେଉଛି । କେବଳ ମଣିଷ ନୁହଁନ୍ତି ପାଶୁପକ୍ଷୀ ଏଥିରୁ ବାଦ ପଡିନାହାଁନ୍ତି । ଖରା ଯୋଗୁଁ ଜଳାଶୟ ଶୁଖିବା ପରେ ପଶୁ-ପକ୍ଷୀ ବି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।

ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲ ଗୁଡିକ ବର୍ଷା ସିଜିନ ପର ଠାରୁ ପାଣି ଛଡା ନଯିବା ଯୋଗୁଁ ଗାଡିଆ ପୋଖରୀ ଶୁଖିଲା ପଡିଥିବାର ଦେଖିବାକୁ ମିଲିଛି ।ପଟ୍ଟାମୁଣ୍ଡାଇ ଧୋୟାଂଚଳକୁ ଛାଡିଲେ ଭେଡାଂଚଳର ଚତୁପାଶ୍ୱର୍ରେ ନଦୀ ଗୁଡିକ ସାଧାରଣତଃ ଜୁଆରିଆ ଓ ଲୁଣିଆ । ସମୁଦ୍ରକୁ ଲାଗିଥିବା ଏହି ଅଂଚଳରେ ଚୁଆ ଓ ଗାଡିଆ ଗୁଡିକ ଶୁଖିଗଲାଣି । ଫଳରେ ପିଇବା ପାଣି ପାଇଁ ବୁଲା କୁକୁର ଓ ବିଭିନ୍ନ ଜାତିର ପକ୍ଷୀ ପାଇପ ଟ୍ୟାପରୁ ମୁହଁ ଲଗାଇ ପାଣି ପିଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭିତରକନିକା ଜଙ୍ଗଲ ଭିତରେ ଥିବା ଗାଡିଆ, ମଧୁରଜଳ ଉତ୍ସ ଗୁଡିକ ଶୁଖିଯାଇଥିବାରୁ ବନ୍ୟଜୀବ ଜଙ୍ଗଲ ଭିତରୁ ବାହାରି ଜନବସତି ନିକଟକୁ ଚାଲିଆସୁଛନ୍ତି ।ପଶୁ ପକ୍ଷୀ ଆଦି ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି । ଉତିକଣ ଭେଡା ଅଂଚଳରେ ବର୍ଷାଜଳ ଗଡିଆ, ପୋଖରୀ, ଚୁଆ ଆଦିରେ ଯୋଉଁମଧୁର ପାଣି ମୁନ୍ଦେ ଅଛି ସେଠାରେ ପକ୍ଷୀମାନେ ପାଣି ପିଇଚାଲିଥିବା ଦେଖିବାକୁ ମିଳୁଛି । ପକ୍ଷୀମାନଙ୍କ ମଧ୍ୟରେ ଗେଣ୍ଡାଳିଆ, ବଗ, ପାଣିକୁଆ, ମାଛରଙ୍କା, ଦା ବେଂଟିଆ, ଟେଇଁ ଟେଇଁ ଟେଇଁଆ, ଅନ୍ଧାରୁଆ ବଗ, ପାଣି ହଂସ ଆଦି ପକ୍ଷୀଗୁଡ଼ିକ ଏହି ପାଣିକୁ ଭରସା କରିଛନ୍ତି । ଅପରପକ୍ଷେ ଜଙ୍ଗଲ ମଧ୍ୟରେ ପାଣି ପିଇବାକୁ କୌଣସି ବ୍ୟବସ୍ଥା ନ ଥିବାରୁ ପକ୍ଷୀ ଓ ଜୀବଜନ୍ତୁମାନେ ଗାଁ ମୁହାଁ ହୋଇ ଖାଲ ଓ ଚୁଆରୁ ଶୋଷ ମେଂଟାଇବାକୁ ଭିଡ଼ ଜମାଉଛନ୍ତି । ଯେହେତୁ ଗ୍ରାମାଂଚଳଗୁଡ଼ିକରେ ପକ୍ଷୀମାନଙ୍କ ଭିଡ଼ ଜମୁଛି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ଏବେ ପକ୍ଷୀମାନଙ୍କ ଉପରେ ପଡିଛି । କେବେ କେବେ ଏହି ନିରୀହ ପକ୍ଷୀମାନଙ୍କ ମଧ୍ୟରେ ଶିକାରୀମାନେ ଫାଶ ଦେଇ ଶିକାର କରୁଥିବା ଅଭିଯୋଗ ହେଉଛି । ସାଧାରଣତଃ ରେଙ୍ଗାଲି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବା ଦିନ ଠାରୁ ବ୍ରାହ୍ମଣୀନଦୀରେ ମଧୂର ଜଳ ପ୍ରବାହ କମିଯାଇଛି । ଯାହାଦ୍ୱାରା ଯୁଆର ସମୟରେ ନଦୀର ବହୁଦୂର ପର୍ଯ୍ୟନ୍ତ ସମୁଦ୍ରର ଲୁଣାଜଳ ମାଡିଯାଉଛି । ଜଳ ଅଭାବରୁ ବନ୍ୟପକ୍ଷୀ ଗାଁ ମୁହାଁ ହେଉଥିବାରୁ ଶିକାର ହେବାର ସମ୍ଭାବନା ରହିଛି । ଏପରି ଗ୍ରୀଷ୍ମ ପ୍ରବାହ ସମୟରେ କିପରି ବନ୍ୟଜୀବ ମାନଙ୍କୁ ମଧୁରଜଳ ଯୋଇ ଦିଆଯାଇ ପାରିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ଚିନ୍ତା କରିବାର ସମୟ ଆସିଛି ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି ।


Next Post

ତୁଳସୀ କ୍ଷେତ୍ରରେ ରଥଯାତ୍ରା ପରମ୍ପରା ଭାଙ୍ଗିଲା, ପହଣ୍ଡି ବିଜେ ବିଳମ୍ବ ସୂର୍ଯ୍ୟାସ୍ତ ପରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ବନ୍ଦ ,ଆସନ୍ତା କାଲି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ

Tue Jun 20 , 2023
କେନ୍ଦ୍ରାପଡ଼ା ୨୦/୬ – ଆଜି ଶ୍ରୀକ୍ଷେତ୍ର ପୁରୀ ଘୋଷଯାତ୍ରା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଊଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି । ପ୍ରଥମ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଗଡିନାହିଁ । ଏହି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏଥିପାଇଁ ଦାୟୀ କିଏ ସେ […]

You May Like