ତୁଳସୀ କ୍ଷେତ୍ରରେ ରଥଯାତ୍ରା ପରମ୍ପରା ଭାଙ୍ଗିଲା, ପହଣ୍ଡି ବିଜେ ବିଳମ୍ବ ସୂର୍ଯ୍ୟାସ୍ତ ପରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ବନ୍ଦ ,ଆସନ୍ତା କାଲି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ


କେନ୍ଦ୍ରାପଡ଼ା ୨୦/୬ – ଆଜି ଶ୍ରୀକ୍ଷେତ୍ର ପୁରୀ ଘୋଷଯାତ୍ରା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଊଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି । ପ୍ରଥମ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଗଡିନାହିଁ । ଏହି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏଥିପାଇଁ ଦାୟୀ କିଏ ସେ ନେଇ ସହରରେ ଆଲୋଚନା ଜୋର ଧରିଛି ।

              

ବର୍ଷକରେ ଥରେ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ର ଅନୁଷ୍ଠିତ ହୋଇଥାଏ । ଏହାକୁ ଅନୁକରଣ କରି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ପ୍ରତିବର୍ଷ ଏହି ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ମିଳିତ ଭାବେ ସମସ୍ତ ପ୍ରସ୍ତୁତି କରିଥିଲେ । ଶ୍ରୀଗୁଣ୍ଡିଚା ତଥା ରଥଯାତ୍ରା ଦିନ ଶ୍ରୀଜୀଊଙ୍କ ନୀତିକାନ୍ତିର ସମୟ ନିର୍ଘଣ୍ଟ କରାଯାଇଥିଲା । ଏହି ଅନୁଯାୟୀ ସମସ୍ତ ନୀତିକାନ୍ତି ଠିକ୍ ସମୟରେ ହୋଇଥିବା ବେଳେ ପହଣ୍ଡି ସେବାରେ ବ୍ୟତିକ୍ରମ ଦେଖାଦେଇଥିଲା । ପହଣ୍ଡି କରୁଥିବା ମହାଜନ ପାଣିଗ୍ରାହୀ ସେବାୟତମାନେ ପୂର୍ବ ସମୟ ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ପହଣ୍ଡି ବିଜେ ହେବାକଥା । ମାତ୍ର ଏହି ସମୟରେ ମହାଜନ ସେବାୟତମାନେ ପହଣ୍ଡି ବିଜେ କରିନଥିଲେ । ପ୍ରଶାସନିକ ଆଲୋଚନା ବିଫଳ ହେବାରୁ ପହଣ୍ଡିରେ ବହୁ ବିଳମ୍ବ ଘଟିଥିଲା । ଅପରାହ୍ନ ୪ଟା ୩୦ ପରେ ପହଣ୍ଡି ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ୩୦ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ ହୋଇଥିଲେ । ରଥରେ ଘୋଡା ବାନ୍ଧିବା କାର୍ଯ୍ୟ ସନ୍ଧ୍ୟା ୭ଟା ପରେ ଶେଷ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଆଶା ଥିଲା ରଥ ଟଣା ହେବ ବୋଲି । କାରଣ ପ୍ରତିବର୍ଷ ଏକ ଦଉଡି ରାସ୍ତା ରଥ ଟଣାଯାଇ ଦେବୋତ୍ତର କାର୍ଯ୍ୟାଳୟ ନିକଟରେ ଅଟକି ରହେ । ଏହି ପରମ୍ପରାକୁ ଆଧାର କରି ଭକ୍ତ ରଥ ଟାଣିବା ପାଇଁ ବ୍ୟାକୁଳ ଥିଲେ । ହେଲେ ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ରଥ ଟଣା ହୁଏ ନାହିଁ । ସନ୍ଧ୍ୟା ୭ଟା ପରେ ରଥଟଣା ହେବ ନାହିଁ ବୋଲି ଢାହୁକ ଘୋଷଣା କରିଥିଲେ । ଶହଶହ ବର୍ଷର ପରମ୍ପରା ଭଙ୍ଗ ହୋଇଥିଲା । ତୁଳସୀ କ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥ ଚକ ଗଡିନଥିଲା । ଏଥିରେ ଶ୍ରଦ୍ଧାଳୁ ଭକ୍ତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ବହୁ ଆଶା ନେଇ ରଥ ଟାଣିବାକୁ ଓ ଦେଖିବାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ଶିଶୁଙ୍କୁ ନେଇ ନିରାଶ ହୋଇ ଘରକୁ ଫେରିଥିଲେ । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରଥ ନ ଟାଣି ପାରି ନିରାଶ ହୋଇ ଫେରିଥିଲେ ।

          

ପରମ୍ପରା ଭଙ୍ଗ, ପ୍ରଥମ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ନ ଗଡିବା ପାଇଁ ଦାୟୀ କିଏ ? ଏଥିପାଇଁ ପ୍ରଶାସନର ଅବହେଳା ଦାୟୀ ବୋଲି ସେବାୟତଙ୍କ ମଧ୍ୟରେ ଆଲୋଚନା ହେଉଛି । ସେବାୟତଙ୍କ ଦାବିକୁ ଗୁରୁତ୍ୱ ନ ଦେବାରୁ ପହଣ୍ଡିରେ ବିଳମ୍ବ ଘଟିଥିଲା । ତେବେ ଅନ୍ୟ ସେବାୟତମାନେ ଠିକ ସମୟରେ ନୀତିକାନ୍ତି କରିଥିବା ବେଳେ ପହଣ୍ଡି ସେବାରେ ବିଳମ୍ବ କାହିଁକି ହେଲା । ଏଥିପାଇଁ ଦାୟୀ କିଏ । ଏହାର ତଦନ୍ତ ହେବା ଆବଶ୍ୟକ । ଭକ୍ତଙ୍କ ଭାବାବେଗ ଉପରେ କୁଠାରଘାତ କରିବା କାହାର ଅଧିକାର ନାହିଁ ବୋଲି ଆଇନଜୀବୀ ସରୋଜକାନ୍ତ କର କହିଛନ୍ତି । ପାଗ ଅନୁକୂଳ ନଥିବା ସମୟରେ ରଥଟଣା ହୋଇଥାଏ । ଚଳିତ ବର୍ଷ ପାଗ ଅନୁକୂଳ ଥିବା ବେଳେ ଅଧିକ ଗରମ ଥିଲା । ପୁରୀରେ ଏହିପରି ଗରମ ଥିଲେ ମଧ୍ୟ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ଚଉଦକୁଲାଟ, ମାହାଳ, ଗରଦପୁର,ପଟ୍ଟାମୁଣ୍ଡାଇ ପୋଖରିଆପଡା,ବାଲିପାଟଣା ଓ କେରଡାଗଡ ଜଗନ୍ନାଥ ମନ୍ଦିରରେ ରଥଟଣା ହୋଇଛି । ରାଜ୍ୟର ଦ୍ୱିତୀୟ ବୃହତ୍ତମ ଶ୍ରୀବଳଦେବ କ୍ଷେତ୍ର କୁହାଯାଉଥିବା ତୁଳସୀ କ୍ଷେତ୍ରରେ ଏପରି ବିଭ୍ରାଟ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଆସନ୍ତା କାଲି ଅପରାହ୍ନ ୨ଟାରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।


Next Post

ପଟ୍ଟାମୁଣ୍ଡାଇ ପତିତପାବନଜୀଉଙ୍କ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ॰ ପ୍ରଥମ ଥର ପାଇଁ ବାଲିପାଟଣାରେ ନିଆରା ରଥଯାତ୍ରା

Wed Jun 21 , 2023
  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ସାଢେ ୭ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟୁଷରୁ ମନ୍ଦିର ପୂଜକ ମାନେ ପହଡ ଖୋଲିଥିଲେ । ମଙ୍ଗଳ ଆରତି ସକାଳ ୭ଟା ବେଳେ ମହା ସ୍ନାନ ଓ ବାଲ୍ୟ ଧୂପ ହୋଇଥିଲା । ସକାଳ ସାଢେ ୯ଟା ବେଳେ ଆଜ୍ଞା ମାଳ ହବୋ ପରେ ପଣ୍ଡା […]

You May Like