କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର


କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍‌, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ୍‌ର ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ସହାୟତା ପ୍ରଦାନ କରିଥିଲେ । ଏହି ଶିବିରରେ ମୋଟ୍ ୧୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୮ଟି ସାମୁହିକ ଅଭିଯୋଗ ଏବଂ ୧୭୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭିନ୍ନକ୍ଷମ ଭତ୍ତା, ରାସନ୍‌କାର୍ଡ଼ ପ୍ରଦାନ, ଇନ୍ଦିରା ଆବାସ ଯୋଜନା, ଜମି ବିବାଦ, କଳାକାର ଭତ୍ତା ଇତ୍ୟାଦି ଦରଖାସ୍ତଗୁଡ଼ିକ ମୁଖ୍ୟ ସ୍ଥାନରେ ଥିଲା । ପେଣ୍ଠପାଳ ଗ୍ରାମ ପଂଚାୟତର ନଳିଆଡିଅ ଗ୍ରାମର ସୁବାଷ ଚନ୍ଦ୍ର ବିଶ୍ୱାଳ ଓ ଗ୍ରାମବାସୀବୃନ୍ଦ ଗ୍ରାମ୍ୟ ରାସ୍ତା ନିର୍ମାଣ, ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ନଳିଆଡିଅ ଗ୍ରାମର ବିପିନ୍ ବିହାରୀ ଜେନା ଓ ଅନ୍ୟମାନେ ଜଳ ନିଷ୍କାସନ ସମସ୍ୟା, ଗୁଆଳସିଂ ଗ୍ରାମର ବିଜୟ କୁମାର ଜେନା ଓ ଅନ୍ୟମାନେ ସରକାରୀ ଜମି ଅବରୋଧ ସମସ୍ୟା, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଅଳପୁଆ ଗ୍ରାମର ଅଧର ଜେନା ଓ ଅନ୍ୟମାନେ ବେଆଇନ୍ କାର୍ଯ୍ୟର ତଦନ୍ତ, କେନ୍ଦ୍ରାପଡ଼ା ବ୍ଲକ୍‌ର ଶ୍ୟାମସୁନ୍ଦରପୁର ଗ୍ରାମର ବଂଶୀଧର ପୃଷ୍ଟି ଓ ଜିଲ୍ଲା ଚାଷୀ ଶ୍ରମିକ ସଂଘ ପାଟନାଳୀର ସଫେଇ, ମାର୍ଶାଘାଇ ବ୍ଲକ୍‌ର ଧନିଆପଡ଼ା ଗ୍ରାମର କୈଳାଶ ଲେଙ୍କା ଓ ଅନ୍ୟମାନେ ଗ୍ରାମ୍ୟ ସଡ଼କ ନିର୍ମାଣର ବିଲ୍‌, ପଟ୍ଟାମୁଣ୍ଡାଇ ବ୍ଲକ୍‌ର ବଡ଼ମୂଳବସନ୍ତ ଗ୍ରାମର ଅର୍ଜୁନ କୁମାର ସ୍ୱାଇଁ ଓ ଅନ୍ୟମାନେ ଜଳ ନିଷ୍କାସନ ଇତ୍ୟାଦି ସମସ୍ୟା ସମ୍ପର୍କରେ ମିଳିତ ଅଭିେଯୋଗ ଶୁଣାଣି ଶିବିରରେ ଆବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ୍ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ରିଲଫ୍ ପାଣ୍ଠିରୁ ସହାୟତା ପାଇଁ ମୋଟ୍ ୧୨ଟି ଦରଖାସ୍ତ ହସ୍ତଗତ ହୋଇଥିବା ବେଳେ ମାର୍ଶାଘାଇ ବ୍ଲକ୍‌ର ବାଲିସୁଆଁ ଗ୍ରାମର କର୍କଟରୋଗରେ ଆକ୍ରାନ୍ତ ଶରତ କୁମାର ନାୟକଙ୍କୁ ୮ ହଜାର ଟଙ୍କା, ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ନେଉଳିପଡ଼ା ଗ୍ରାମର ଲକ୍ଷ୍ମୀକାନ୍ତ ସୁତାରଙ୍କୁ ଶିକ୍ଷା ପାଇଁ ୧୮ ହଜାର ଟଙ୍କା, ଅରିମୂଳର କର୍କଟରୋଗରେ ଆକ୍ରାନ୍ତ ଦେବଯାନୀ ସାହୁଙ୍କୁ ୮ହଜାର ଟଙ୍କା, ରଘୁନାଥପୁରର ଲୋପାମୁଦ୍ରା ପରିଡ଼ାଙ୍କୁ ଉଚ୍ଚଶିକ୍ଷା ପାଇଁ ୧୫ହଜାର ଟଙ୍କା, ଫକିରାବାଦ୍‌ର ସେକ ଆଜମ୍‌ତୁଲ୍ଲାଙ୍କୁ ଚିକିତ୍ସା ସହାୟତା ପାଇଁ ୧୦ ହଜାର, ଆୟବା ଗାଁର କର୍କଟରୋଗାକ୍ରାନ୍ତ ରାଜକିଶୋର ଦାସଙ୍କୁ ୮ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲଫ୍ ଫଣ୍ଡରୁ ପ୍ରଦାନ କରାଯାଇଥିବା ବେଳେ ରଘୁନାଥପୁରର ଲୋପାମୁଦ୍ରା ପରିଡ଼ାଙ୍କୁ ଉଚ୍ଚଶିକ୍ଷା ପାଇଁ କଳିଙ୍ଗ ଶିକ୍ଷା ସାଥି ଯୋଜନାରେ ୨ଲକ୍ଷ ଟଙ୍କା ଶିକ୍ଷା ଋଣ ପ୍ରଦାନ ପାଇଁ ଲିଡ୍ ବ୍ୟାଙ୍କ୍ ମ୍ୟାନେଜର୍‌ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading