
କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ସଫଳ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ଜନଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଶ୍ୟାମସୁନ୍ଦପୁର ଗ୍ରାମପଞ୍ଚାୟତର ଦୁତିଆଳ ଗ୍ରାମରେ ଏବଂ ଭରତପୁର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମରେ ଅନୁଷ୍ଠିତ ଜନଚେତନା କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ ଓ କୋଷାଧ୍ୟକ୍ଷ ଫକୀର ଚରଣ ଖଟୁଆ ଦୁତିଆଳ ଠାରେ ଏବଂ ଖଣ୍ଡିଆବନ୍ଧ ଠାରେ ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳ, ସସ୍ମିତା ବେହେରା, ନିରୂପମା ମହାନ୍ତି ପ୍ରମୁଖ ସାମିଲ ହୋଇ ମେଡିକାଲ କଲେଜ ଦାବି ପ୍ରତି ସଭାରେ ଉପସ୍ଥିତ ପଞ୍ଚାୟତବାସୀ ଭାଇମାନଙ୍କ ସହଯୋଗ କାମନା କରିଥିଲେ । ଏଥିସହିତ ଆଜି ସନ୍ଧ୍ୟାରେ ମଧ୍ୟ କେନ୍ଦ୍ରାପଡା ସହରର ପୁରୁଣା ଜେଲରୋଡ ଠାରୁ ଇଛାପୁର ପର୍ଯ୍ୟନ୍ତ ଜନଚେତନା କାର୍ଯ୍ୟକ୍ରମ ଓ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । କ୍ରିୟାନୁଷ୍ଟାନ କମିଟି ଆବାହକ ମଣ୍ଡଳୀ ସଦସ୍ୟ ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ଭାଗୀରଥି ଜେନା, ବୈଷ୍ଣବ ଚରଣ ସ୍ୱାଇଁ, ନରୋତ୍ତମ ଜେନା, ସୁହାନା ବିବି, ସୁହାନା ବେଗମ, ତନୁଜା ଥାପ୍ପା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସହରର ବ୍ୟବସାୟୀ ଭାଇମାନଙ୍କୁ ଆସନ୍ତା କାଲିର ଆନ୍ଦୋଳନ ସମ୍ପର୍କରେ ସଚେତନ କରାଇବା ସହ ଗଣପାଣ୍ଠି ସଂଗ୍ରହ କରୁଛନ୍ତି ।











