ପୁନର୍ବାସ ପକ୍ଷରୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ



କେନ୍ଦ୍ରାପଡା ୬/୧୦- ପ୍ରତିବର୍ଷ ଅକ୍ଟୋବର ମାସ ୬ ତାରିଖକୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ରୂପେ ପାଳନ କରାଯାଏ । ମସ୍ତିଷ୍କ ପକ୍ଷାଘାତ ସାଧାରଣତଃ ଏକ ଜନ୍ମଗତ ଅବସ୍ଥା । ଯାହା ଫଳରେ ଶିଶୁର ମାଂସପେଶୀ ଓ ସ୍ନାୟବିକ ଦୁର୍ବଳତା ହେତୁ ସାଧାରଣ ଶିଶୁଙ୍କ ପରି ଚଳନକ୍ଷମ ହୋଇପାରେନାହିଁ । ଏହି ସ୍ୱତନ୍ତ୍ର ଶିଶୁଙ୍କ ପ୍ରଯତ୍ନ ଓ ଥେରାପି ସଂମ୍ପର୍କିତ ଏକ ସଚେତନତା କର୍ମଶାଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ” ଥେରାପି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଡଃ ବିରଜା ରାଉତରାୟଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଉପସ୍ଥିତ ଅଭିଭାବକମାନଙ୍କୁ ସଚେତନତା ମାଧ୍ୟମରେ ସାମାଜିକ ସୁରକ୍ଷା ବିଭାଗର ଏହି ପ୍ରୟାସକୁ ବ୍ୟାପକ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର ଏହି ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ଶିଶୁଙ୍କ ସେବା ଓ ଦୈନନ୍ଦିନ ଜୀବନ ନିର୍ବାହ ନିମନ୍ତେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ଅତିଥି ରୂପେ ସୁନାମ ଧନ୍ୟ ଚିକିତ୍ସକ ଡା. ବିଶ୍ୱ ପ୍ରକାଶ କାନୁନ୍‌ଗୋ ଯୋଗ ଦେଇ ଏହି ଶିଶୁମାନଙ୍କ ନିମନ୍ତେ ଥେରାପିର ଉପାଦେୟତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର କାଉନ୍‌ସିଲର୍ ସଞ୍ଜୀବ କୁମାର ଜେନା ଏହି ଦିବସଟିର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଓ ଅକ୍ୟୁପେସ୍‌ନାଲ୍ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା ମସ୍ତିଷ୍କ ପକ୍ଷାଘାତ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପରିଶେଷରେ ବରିଷ୍ଠ ସଭ୍ୟ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ଏମ୍‌ଡି ଜାହିଦ୍ ଖାନ୍‌, ମନୋଜ କୁମାର ମହାନ୍ତି, ବ୍ରଜ ସୁନ୍ଦର ଦାସ ଓ ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ୧୫ରୁ ଉର୍ଦ୍ଧ୍ୱ ମସ୍ତିଷ୍କ ପକ୍ଷାଘାତ ଶିଶୁଙ୍କ ଅଭିଭାବକ ଅଂଶ ଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading