କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜରେ ଆଜି +୨ ଓ +୩ ଛାତ୍ରଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହୋଇ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡିଥିଲା । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଂଚି ହସ୍ତକ୍ଷେପ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ କଲେଜରେ +୩ ଶ୍ରେଣୀରେ ପଢ଼ୁଥିବା ରାଜକନିକା ଅଂଚଳର ଜନୈକ ଛାତ୍ରଙ୍କୁ ସେହି କଲେଜରେ +୨ ଶ୍ରେଣୀରେ ପଢ଼ୁଥିବା ପଟ୍ଟାମୁଣ୍ଡାଇ ନୂଆଗାଁ କାକୁଡିପଲ୍ଲୀ ଅଂଚଳର ଜନୈକ ଛାତ୍ର କଲେଜ ପଛ ଗେଟ ନିକଟରେ ହଠାତ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ । ଖବର ପାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ଘଟଣାସ୍ଥଳରେ ପହଂଚି ରୁଣ୍ଡ ହୋଇଥିବା ପିଲାମାନଙ୍କୁ ଘଉଡ଼ାଇ ଦେବା ସହିତ କ୍ଷତାକ୍ତ ହୋଇଥିବା +୩ ଛାତ୍ରକୁ ଅଫିସକୁ ଆସିବାକୁ କହିଥିଲେ । ମାତ୍ର ସମ୍ପୃକ୍ତ ପିଲା କଲେଜର ଅଧ୍ୟକ୍ଷଙ୍କ ଅଫିସ ନଆସି ଘଟଣା ସମ୍ପର୍କରେ ତାର ସାଙ୍ଗ ସାଥୀମାନଙ୍କୁ ଜଣାଇବା ପରେ +୩ ପିଲାମାନେ +୨ ପିଲାମାନଙ୍କ ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖି +୨ ପିଲାମାନେ ମଧ୍ୟ ଲଢେଇ ପାଇଁ ପ୍ରସ୍ତୁତ ହେବାରୁ ଗଣ୍ଡଗୋଳ ସୃଷ୍ଟି ହୋଇ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇପଡିଥିଲା ।ଏଥି ନେଇ କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ପଟ୍ଟାମୁଣ୍ଡାଇ ଥାନକୁ ଜଣାଇ ଥିଲେ । ଖବର ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ରଂଜିତ ମହାନ୍ତି ପୋଲିସ ବାହିନୀ ସହିତ ଘଟଣାସ୍ଥଳରେ ପହଂଚି ପିଲାମାନଙ୍କୁ ବୁଝାସୁଝା କରିବା ସହିତ ଏହି ଗଣ୍ଡଗୋଳ ମାମଲାରେ ହସ୍ତକ୍ଷେପ କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।