
କେନ୍ଦ୍ରାପଡା ୧୩/୧୦- ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳାନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଓଡିଆ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦୀ ବାଦଶାହା, ପ୍ରବାଦ ପୁରୁଷ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ୮୭ତମ ଜୟନ୍ତୀ ଉତ୍ସବ ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ଅକ୍ଷୟ ପ୍ରେମୀ ତଥା ବିଶିଷ୍ଟ ଶିକ୍ଷାବିତ୍ ମାନସ ଭୂଷଣ ପଣ୍ଡିତ, ହୃଷିକେଶ ରଥ ମୁଖ୍ୟ ଅତିଥି ଏବଂ ଅକ୍ଷୟ କଳା ପିପାସୁ କବି ଡଃ ମନୋରଞ୍ଜନ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହିତ ଅକ୍ଷୟଙ୍କ କାଳଜୟୀ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । କଳା ନିକେତନର ସମ୍ପାଦକ ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ଦେଇଥିଲେ । ତାଙ୍କର ଅମ୍ଳାନ ସ୍ମୃତିରେ ତାଙ୍କର ଅତିପ୍ରିୟ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ପରିସରରେ ଥିବା ଅକ୍ଷୟଙ୍କ ଆବକ୍ଷ ପ୍ରତିକୃତି ସମେତ ଭଜନ ସମ୍ରାଟ ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ପ୍ରତିକୃତୀରେ ବରେଣ୍ୟ ଅତିଥିମାନେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ । ରଶ୍ମିତା ସୂତାର, ନମିତା ସ୍ୱାଇଁ, ରାଜଲକ୍ଷ୍ମୀ ପରିଡା, ଅର୍ଚ୍ଚନା ପରିଡା ସ୍ମୃତି ସଙ୍ଗୀତ ଗାଇଥିଲେ । ଅକ୍ଷୟ ପ୍ରେମୀ ନିରଞ୍ଜନ ମେକାପ, ନିରଞ୍ଜନ ପରିଡା, ହରିଶ୍ଚନ୍ଦ୍ର ଜେନା, ଅମର ପ୍ରସାଦ ରାଉତ, ସଙ୍ଗୀତ ଗୁରୁ ପ୍ରମୋଦ ଦାସ, ନୃତ୍ୟ ଗୁରୁ ପ୍ରକାନ୍ତ ମହାରଣା, ପଣ୍ଡିତ ପଦ୍ମନାଭ ଦାସ, ସୁରେନ୍ଦ୍ର ରାଉତ, ମାଗୁଣୀ ସାହୁ, ଡଃ ରତ୍ମକର ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ସାଂସ୍କୃତିକ ଯୁବ ସଂଗଠନର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପାଣି, ଦିଲ୍ଲୀପ ବାରିକ, ବଂଶୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।










