ଶାରଦୀୟ ଦୂର୍ଗାପୂଜା ପାଇଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର, ଆକର୍ଷଣୀୟ ସାଜସଜ୍ଜା, ତୋରଣ ଓ ଆଲୋକମାଳାରେ ଝଲସୁଛି ସହର


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ସଂଖ୍ୟାଳଘୁ ସଂପ୍ରଦାୟମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ଉତ୍ସବକୁ ଯାକଯମକରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ବଣିକ ସଂଘ, ବିଭିନ୍ନ ପୂଜା କମିଟି ଓ ପ୍ରଶାସନ ପୁରା ଦମରେ ଲାଗିପଡିଛନ୍ତି । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲେ ମଧ୍ୟରେ ପୋଖରୀଆପଡା ଦୁର୍ଗା, ବଙ୍ଗାଳି ଦୁର୍ଗା, ନୀଳ ମାଧବ, ଦଶ ଅବତାର, ମହାବୀର ପ୍ରଭୃତି ମେଢ଼ ସାଜସଜ୍ଜା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜାର ସାରା ଓଡିଶାରେ ସ୍ୱତନ୍ତ୍ର ସୁନାମ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ପଟ୍ଟାମୁଣ୍ଡାଇ ଦୂର୍ଗା ପୂଜାର ନିଆରା ଆକର୍ଷଣ ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ମୁଁହା କରିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ପ୍ରତ୍ୟେକ ଘରେ ଘରେ ଉତ୍ସବ ଲାଗି ରହିବା ସହିତ ବନ୍ଧୁ ପରିଜନକୁ ନେଇ ଘର ପୁରି ଉଠିଛି । ଜିଲ୍ଲାର ଅନ୍ୟ ଅଂଚଳରେ ଦୁର୍ଗା ପୂଜା ହେଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ଉପରେ ସବୁରି ନଜର ରହିଛି । ଚଳିତବର୍ଷ ପଟ୍ଟାମୁଣ୍ଡାଇ ସହରରେ ବଙ୍ଗାଳୀ ଦୁର୍ଗା, କଚେରୀ ଦୁର୍ଗା, ପୋଖରୀଆପଡା ଦୁର୍ଗା, ମା ଶାରଳା,ମହାବୀର, ଲକ୍ଷ୍ମୀନାରାୟଣ, ଗୃହଲକ୍ଷ୍ମୀ, ରାମଓଭିଷେକ, ନିତାଇଗୌର, ହରଗୌରୀ, ଲକ୍ଷ୍ମୀବରାହ, ମାଗାୟତ୍ରୀ, ମାସନ୍ତୋଷୀ, ଦଶ ଅବତାର, ମାଅନ୍ନପୂର୍ଣ୍ଣା, ହରିହର ଭେଟ, ନୀଳମାଧବ, ସୂର୍ଯ୍ୟଦେବତା, ନୃସିଂହନାଥ, କୃଷ୍ଣ ବଳରାମ, ପଂଚମୁଖୀ ହନୁମାନ, ବାଳ ହନୁମାନ, ହରପାର୍ବତୀ, ବନଦୂର୍ଗା ରାଧାକୃଷ୍ଣ, ଗଙ୍ଗାମାତା ଆଦି ୨୫ଟି ମେଢ଼ ପୂଜା ଉତ୍ସବର ଶୋଭା ମଣ୍ଡନ କରିଛନ୍ତି । ଆଜି ସପ୍ତମୀ ପୂଜା ଥିବାରୁ ବିଭିନ୍ନ ଦୁର୍ଗା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇ ସହରର ଦୁର୍ଗା ପୂଜା ଉତ୍ସବକୁ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ବାହିନୀ ପଇଁତରା ମାରିବା ସହିତ ଆଇନ ଶୃଙ୍ଖଳା ଉପରେ କଡା ନଜର ରଖିଛି । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ଅମୃତମଣୋହି,ଚୌଦକୁଲାଟ ନୀଳକଣ୍ଠପୁର, ମାଳିପୁର, କଂଟାବଣ, ମଦନପୁର ଆଦି ବିଭିନ୍ନ ସ୍ଥାନରେ ଶାରଦୀୟ ଦୂର୍ଗା ପୂଜାର ମାହୋଲ ସମଗ୍ର ଅଂଚଳକୁ ଉତ୍ସବ ମୁଖର କରିଦେଇଛି । ଚଳିତବର୍ଷ ନିର୍ବାଚନବର୍ଷ ହୋଇଥିବାରୁ ଦୁର୍ଗା ପୂଜା ଅବସରରେ ବିଭିନ୍ନ ମେଢ଼ ମଧ୍ୟରେ ସାଜସଜ୍ଜାକୁ ନେଇ ପ୍ରତିଯୋଗିତା ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ମଧ୍ୟରେ ଶୁଭେଚ୍ଛା ବ୍ୟାନରକୁ ନେଇ ରୀତିମତ ପ୍ରତିଯୋଗିତା ଚାଲିଛି । ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳରେ ବିଭିନ୍ନ ଦଳ ଓ ନେତାଙ୍କ ବ୍ୟାନର ଛାଇ ହୋଇଯାଇଛି ।


Discover more from

Subscribe now to keep reading and get access to the full archive.

Continue reading