ପଟ୍ଟାମୁଣ୍ଡାଇ ୩.୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ମା ସାତ ଭଉଣୀ ପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର କବାଟ ଭାଙ୍ଗି ଭିତରେ ପଶି ଲକ୍ଷାଧିକ ଟଙ୍କାର ଗହଣା ସହ ଠାକୁରଙ୍କ ହୁଣ୍ଡୀ ବାକ୍ସରେ ଥିବା ଟଙ୍କା ଲୁଟି ନେଇଛନ୍ତି । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ମା ସାତ ଭଉଣୀ ପୀଠ ଏ ଅଂଚଳର ଅନ୍ୟତମ ପ୍ରମୁଖ ଆଧ୍ୟାତ୍ମିକ ପୀଠ ଭାବେ ଖ୍ୟାତି ଲାଭ କରିଛି । ବର୍ଷର ବିଭିନ୍ନ ପର୍ବ ପର୍ବାଣୀରେ ଏଠାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ପୀଠ ମଧ୍ୟ ଚୋର ମାନଙ୍କ ଲୋଲୁପ ଦୃଷ୍ଟିରୁ ବାଦ ଯାଇନାହିଁ । ଗତକାଲି ବିଳମ୍ବିତ ରାତିରେ ଚୋର ମାନେ ମା ସାତଭଉଣୀ ମନ୍ଦିର କବାଟ ଭାଙ୍ଗି ମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ମନ୍ଦିର ଭଣ୍ଡାର ଘର କବାଟ ଓ ଦାନପାତ୍ର ମଧ୍ୟ ଭାଙ୍ଗି ଦେଇ ମନ୍ଦିର ମଧ୍ୟରୁ ଟଙ୍କା ପଇସା,ଅଳଙ୍କାର, ମୁକୁଟ,ଅଂଟା ସୁତା, ମଥାମଣି, ଚିତା, ପିତଳ ଘଂଟା ଘଂଟି,ପୂଜା ସାମଗ୍ରୀ, ବାଲଟି ଥାଳି, ଢାଳ, ହାତ ଘଂଟା ସହିତ ଖଣତି, କୁରାଢ଼ୀ କୋଦାଳ ଓ ରୋଷାଇ ସାମଗ୍ରୀ ଆଦି ଲୁଟି ନେଇଛନ୍ତି । ଆଜି ମା ସାତଭଉଣୀ ମନ୍ଦିର ପୂଜକ ମନ୍ଦିର ପୂଜା କରିବା ପାଇଁ ଯିବାବେଳେ ମନ୍ଦିର କବାଟ ଓ ଭଣ୍ଡାର ଘର କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ପୀଠ ଉନ୍ନୟନ କମିଟି ସଦସ୍ୟଙ୍କୁ ଜଣାଇଥିଲେ । ଏହା ପରେ ପୀଠ ଉନ୍ନୟନ କମିଟିର ସଦସ୍ୟମାନେ ମା ସାତଭଉଣୀ ମନ୍ଦିରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଏ ସମ୍ପର୍କରେ ବୈଠକ କରି ମନ୍ଦିର ସୁରକ୍ଷା ପାଇଁ ଥାନାରେ ଏତଲା ଦେବାକୁ ନିଷ୍ପତି ନେଇଥିଲେ । ପରେ ମା ସାତଭଉଣୀ ପୀଠ ଉନ୍ନୟନ କମିଟି ସଭାପତି ଶ୍ରୀକାନ୍ତ ନାୟକ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ସମୁଦାୟ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।