କୋଟିପତି ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ


ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ଭିଜିଲାନ୍ସ ଶୁକ୍ରବାର ଗିରଫ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ଚଢ଼ଉ ଚାଲିଥିଲା। ଚଢ଼ଉ ବେଳେ ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ୪,୮୦୦ ବର୍ଗଫୁଟରେ ନିର୍ମିତ ୩ମହଲା ଆବାସିକ କୋଠା, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ମହଲା କୋଠା, ଲକ୍ଷ୍ମୀସାଗର ନୀଳାଚଳ ସିଟିରେ ଆପାର୍ଟମେଣ୍ଟ, ବ୍ରହ୍ମପୁର ନୀଳାଚଳ ହାଇଟସରେ ଆପାର୍ଟମେଣ୍ଟ ଆଦି ଠାବ କରାଯାଇଛି। ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରର ପ୍ରମୁଖ ଅଞ୍ଚଳରେ ୫ଟି ପ୍ଲଟ୍ ମଧ୍ୟ ଠାବ ହୋଇଛି। ଏହାର ପ୍ରକୃତ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଆକାଉଣ୍ଟ୍ ଓ ଇନ୍ସ୍ୟୁରାନ୍ସ ଜମାକୁ ଠାବ କରାଯାଇଛି। ସେଥିରେ ଦେଢ଼କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ଘରୁ ନଗଦ ୧ଲକ୍ଷ ୨୧ହଜାର ଟଙ୍କା, ୫୩୬ ଗ୍ରାମ୍ର ସୁନା ଗହଣା, ୨୦.୫ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ୪ ଚକିଆ ଯାନ ଓ ୨ଟି ବାଇକ୍ ଠାବ ହୋଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଆହୁରି ଢେର୍ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ୮ଜଣ ଡିଏସ୍ପିଙ୍କ ନେତୃତ୍ବରେ ୫ଜଣ ଆଇଆଇସି ଓ ଅନ୍ୟ କର୍ମଚାରୀମାନେ ୭ଟି ସ୍ଥାନରେ ଏହି ଚଢ଼ଉ କରିଥିଲେ। ପ୍ରଶାନ୍ତଙ୍କଠାରୁ ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ ୧୩୪ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ପ୍ରଶାନ୍ତ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ମାମଲା (ନଂ.୩୭/୨୦୨୩) ରୁଜୁ କରାଯାଇଛି । କୋଟିପତି ଯୋଗାଣ ଅଧିକାରୀ ପ୍ରଶାନ୍ତ ସମ୍ପତ୍ତି ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରଶାନ୍ତଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Discover more from

Subscribe now to keep reading and get access to the full archive.

Continue reading