ପଟ୍ଟାମୁଣ୍ଡାଇରେ ଏଡିଜେ କୋର୍ଟ ଖୋଲିବା ପାଇଁ ଆଇନମନ୍ତ୍ରୀ ଓ ବିଧାୟକଙ୍କୁ ଭେଟିଲା ଓକିଲସଂଘ



କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡ଼ିଶାର ପ୍ରସିଦ୍ଧ ବାଣିଜ୍ୟକ ପେଣ୍ଠ ପଟ୍ଟାମୁଣ୍ଡାଇ ଠାରେ ଏଡିଜେ କୋର୍ଟ ଖୋଲିବା ପାଇଁ ଅଂଚଳବାସୀଙ୍କ ଦାବୀକୁ ଗୁରୁତର ସହ ଗ୍ରହଣ କରି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଆକର୍ଷଣ କରି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ପଟ୍ଟାମୁଣ୍ଡାଇରେ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଥିଲେ ମଧ୍ୟ ଏଥି ନେଇ ଆବଶ୍ୟକ ପ୍ରକ୍ରିୟା କାର୍ଯ୍ୟାନୁୟାନରେ ବିଳମ୍ବ ଦେଖାଦେଇଥିଲା । ଏଥି ପାଇଁ ଆବଶ୍ୟକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବା ନିମନ୍ତେ ପଟ୍ଟାମୁଣ୍ଡାଇ ଓକିଲ ସଂଘ ପକ୍ଷରୁ ସଭାପତି ଆଡ଼ଭୋକେଟ ତପନ ମିଶ୍ରଙ୍କ ନେତୃତ୍ୱରେ ସହସମ୍ପାଦକ ମନୋଜ ନାୟକ, କୋଷାଧକ୍ଷ ଧୀରେନ୍ଦ୍ର ସାହୁ, ବରିଷ୍ଠ ଆଡ଼ଭୋକେଟ ଭୀମସେନ ପ୍ରଧାନ, ଅଶ୍ୱିନୀ ବେହେରା ଓ ଗୋପୀନାଥ ତ୍ରିପାଠୀ ପ୍ରମୁଖ ଭୁବନେଶ୍ୱର ଠାରେ ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ବିଧାୟକଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଓକିଲ ସଂଘର ପ୍ରତିନିଧିଦଳ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ଆଲୋଚନା କରିଥିଲେ । ସମସ୍ତ ବିଷୟରେ ଅବଗତ ହେବା ପରେ ମନ୍ତ୍ରୀ ସାରକା ପଟ୍ଟାମୁଣ୍ଡାଇ ରେ ଏ ଡି ଜେ କୋର୍ଟ ଖୋଲିବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଥିବାରୁ ଖୁବଶୀଘ୍ର ଏ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀଙ୍କ ପ୍ରତିଶୃତି ପରେ ପଟ୍ଟାମୁଣ୍ଡାଇରେ ଏଡିଜେ କୋର୍ଟ ଖୋଲିବା ପାଇଁ ପଥ ପରିଷ୍କାର ହୋଇଛି । ଏଥି ପାଇଁ ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ ଧ୍ରୁବ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading