ମାର୍ଚ୍ଚ ୫ରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ୱର



କେନ୍ଦ୍ରାପଡ଼ା,୨ା୩: ଆସନ୍ତା ମାର୍ଚ୍ଚ ୫ ତାରିଖ ଦୈତାରୀ-ପାରାଦ୍ୱୀପ ଜାତୀୟ ରାଜପଥର ୮ ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସ୍ୱାଗତ କରିବା ସହ କେନ୍ଦ୍ରାପଡାବାସୀଙ୍କୁ ରେଳସେବା ଯୋଗାଇ ଦେବାକୁ ଦାବି କରି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ଶ୍ରୀ ବେହେରା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସେହିଦିନ ଅର୍ଥାତ୍ ମାର୍ଚ୍ଚ ୫ ତାରିଖରେ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳର ଶୁଭ ଉଦ୍‌ଘାଟନ କରନ୍ତୁ । ପୂର୍ବତନ ମନ୍ତ୍ରୀ କ୍ଷୋଭର ସହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ ବାରମ୍ବାର ଏହି ଦାବି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କରାଯାଇଥିଲେ ମଧ୍ୟ ତାହା କୌଣସି ଫଳ ଦେଲାନାହିଁ । ଅଶ୍ୱିନୀ ବୈଷ୍ଣବ ଓଡିଶାର ହୋଇଥିଲେ ମଧ୍ୟ କେନ୍ଦ୍ରାପଡାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ କଂଗ୍ରେସର ଦାବିକୁ ଉପେକ୍ଷା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାତ୍ରୀବାହୀ ରେଳ ଚଳାଚଳର ଯଥାର୍ଥତା ପ୍ରତିପାଦନ କରି ଗଣେଶ୍ୱର ବେହେରା ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ୨୩-୦୯-୨୦୨୦ଠାରୁ ଏହି ରେଳ ପଥରେ ମାଲ୍‌ବାହୀ ରେଳ ଯାତାୟତ କରୁଅଛି ଏବଂ ଦୈନିକ ହାରାହାରି ୨୫ ର‌୍ୟାକ୍ ପରିମାଣର ମାଲ୍ ପରିବହନ ହେଉଛି ଓ ରେଳ ବିଭାଗ ବାର୍ଷିକ ହାରାହାରି ୨୦ହଜାର କୋଟି ରାଜସ୍ୱ ପାଉଛନ୍ତି । ପରୀକ୍ଷାମୂଳକ ରେଳ ଚଳାଚଳ ଏହି ରେଳ ପଥରେ କରାଯାଇ ସାରିଛି । ହରିଦାସପୁର-ପାରାଦ୍ୱୀପ ରେଳ ନିଗମ ତରଫରୁ ଅନୁମତି ପତ୍ର ମିଳିସାରିଛି । ଏହି ରେଳ ପଥରେ ଥିବା ସମସ୍ତ ୯ଗୋଟି ରେଳ ଷ୍ଟେସନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ରେଲୱେ ସେଫ୍ଟି କମିଶନ କଲିକତା ତରଫରୁ ମଧ୍ୟ ପ୍ରମାଣପତ୍ର ମିଳିସାରିଛି । ଏହି ସମସ୍ତ ଆବଶ୍ୟକ ପୂରଣ ହୋଇଥିବା ସତ୍ତ୍ୱେ ଯାତ୍ରୀବାହୀ ରେଳ ଚଳାଚଳର ରେଳ ବିଭାଗର ଉଦାସୀନତା ସମସ୍ତଙ୍କୁ ବିସ୍ମିତ କରୁଛି । ସୁତରାଂ ଆପଣ ରେଳ ସେବାରୁ ବଞ୍ôଚତ ୬ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ କେନ୍ଦ୍ରାପଡା ଜିଲ୍ଲାର ରେଳସେବା ଦାବି ଓ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସର ନିରବଚ୍ଛିନ୍ନ ଆନ୍ଦୋଳନକୁ ସମ୍ମାନ ଜଣାଇ ଆଗାମୀ ମାର୍ଚ୍ଚ ୫ରେ ଆୟୋଜିତ ଚଣ୍ଡିଖୋଲଠାରେ ଦୈତାରୀ ପାରାଦ୍ୱୀପ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟକ୍ରମ ସହ ଯାତ୍ରୀବାହୀ ରେଳଚଳାଚଳର ଶୁଭ ଉଦ୍‌ଘାଟନ କରିବାକୁ ଶ୍ରୀ ବେହେରା କଂଗ୍ରେସ ତଥା କେନ୍ଦ୍ରାପଡାବାସୀଙ୍କ ତରଫରୁ ଅନୁରୋଧ କରୁଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading