କେନ୍ଦ୍ରାପଡା ୨ ।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି । ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି ।ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୁଁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । କଂଗ୍ରେସ ଦଳ ମୋତେ ବିଧାୟକ ତଥା ବିଭିନ୍ନ କର୍ମକର୍ତ୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି ।ଗଣେଶ୍ୱର ବେହେରା ପିସିସି ମିଡିଆ ସେଲ ଅଧ୍ୟକ୍ଷ ଥିଲେ । ଗତ ଜାନୁଆରୀ ମାସରେ ତାଙ୍କୁ ଏହି ପଦରୁ ହଟାଯାଇ ବିଶ୍ୱରଞ୍ଜନ ମହାନ୍ତିଙ୍କୁ ମିଡିଆ ସେଲ ଅଧ୍ୟକ୍ଷ କରାଯାଇଥିଲା । ଏହାପରେ ଦଳ ପ୍ରତି ତାଙ୍କର ଅସନ୍ତୋଷ ବଢିଥିଲା । ଗଣେଶ୍ୱର ବେହେରା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଗଣେଶ୍ୱର ବେହେରାଙ୍କର କେନ୍ଦ୍ରାପଡ଼ା ବିଧାନସଭା ଆସନରେ ନିଜର ପ୍ରଭାବ ରହିଛି । ସେ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛିି । ପ୍ରାୟ ବର୍ଷେ ହେଲା ସେ ବିଜେଡି ସହ ଯୋଗାଯୋଗରେ ଥିବା କୁହାଯାଉଛି । ଏଥର ବିଜେଡି ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ କରିବ ବୋଲି କୁହାଯାଉଛି । ଗଣେଶ୍ୱରଙ୍କୁ ଯଦି ବିଜେଡି ଦଳରେ ସାମିଲ କରିବାରେ ସଫଳ ହୁଏ, ତେବେ କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଅଂଚଳର କଂଗ୍ରେସ ଭୋଟ ହୁଏତ ବିଜେଡି ପଟକୁ ଚାଲି ଆସିବ ବୋଲି ନେତୃବୃନ୍ଦ ଆକଳନ କରୁଛନ୍ତି ।