ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ କଂଗ୍ରେସରୁ ଇସ୍ତଫା


କେନ୍ଦ୍ରାପଡ଼ା, ୨ା୪: ପୂର୍ବତନ ମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ମିଡିଆସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଗତ ପ୍ରାୟ ଏକମାସ ହେବ ଶ୍ରୀ ବେହେରାଙ୍କ ଦଳ ତ୍ୟାଗ ସମ୍ପର୍କରେ ବିଭିନ୍ନ ରୋଚକ ଖବର ପ୍ରକାଶ ପାଇ ଆସୁଥିଲା । ଶ୍ରୀ ବେହେରା କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଥିଲା । ଏସମ୍ପର୍କରେ ଶ୍ରୀ ବେହେରା କହିଛନ୍ତି ଯେ ସେ ବିଧାନସଭାକୁ ପ୍ରବେଶ କରିବା ପାଇଁ ବାଧ୍ୟ ହୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଗତ କିଛିଦିନ ଧରି ମାଟି ପାଇଁ ପାଟି ଖୋଲ, ମାଟି ପାଇଁ ମାଡିଚାଲ କହୁଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବେହେରା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି । ଆଗାମୀ ଦଳରେ ସେ କେଉଁ ଦଳରେ ମିଶୁଛନ୍ତି ଏବଂ କେନ୍ଦ୍ରାପଡା ମାଟି ପାଇଁ କିପରି ଲଢେଇ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ କହିଛନ୍ତି ଶ୍ରୀ ବେହେରା କଂଗ୍ରେସ ଦଳ ପାଇଁ ଆତ୍ମଘାତି ବୋମା ସଦୃଶ ଥିଲେ । ସେ କାହିଁକି ବାରମ୍ବାର ହାରୁଛନ୍ତି ବୋଲି ତା’ର ସମୀକ୍ଷା ନକରି ଦଳକୁ ବାରମ୍ବାର ଦୋଷ ଦେଉଥିଲେ । ଶ୍ରୀ ବେହେରା କଂଗ୍ରେସ ଦଳର ପ୍ରାର୍ଥୀ ହୋଇ କାହିଁକି ବିଜେଡି ପ୍ରାର୍ଥୀ ସହିତ ମିଶି ପ୍ରଚାର କରିବା ଯୋଗୁଁ ହାରିଥିଲେ । ଶ୍ରୀ ବେହେରାଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ଲାଭଜନକ ହେବ ଓ କଂଗ୍ରେସ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ଶ୍ରୀ ସେଠୀ କହିଛନ୍ତି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା କୁହନ୍ତି ଯେ ଗଣେଶ୍ୱରବାବୁଙ୍କୁ ୧୯୮୫ମସିହାରୁ କଂଗ୍ରେସ ଦଳ ସମର୍ଥନ ଦେବା ସହିତ ବିଧାୟକ ଓ ମନ୍ତ୍ରୀ କରିଛି । ଏହାବ୍ୟତିତ ବିଭିନ୍ନ ସମୟରେ ଦଳର ରାଜ୍ୟ ଉପସଭାପତି, ରାଜ୍ୟ ମିଡିଆସେଲ ଅଧ୍ୟକ୍ଷ, ପ୍ରଚାର କମିଟି ସଦସ୍ୟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଆସିଣ କରି ସମ୍ମାନୀତ କରିଛି । ଏସବୁ ପରେବି ତାଙ୍କର କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ବେହେରା କହିଛନ୍ତି । ସେ ବାରମ୍ବାର ହାରିବା ପଛରେ ଦଳର କୈାଣସି ଭୂମିକା ନାହିଁ । ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଭୁଭୂଷଣ ମହାପାତ୍ର କହନ୍ତି ଯେ ଶ୍ରୀ ବେହେରାଙ୍କ ଇସ୍ତଫା କଂଗ୍ରେସ ଦଳ ପାଇଁ ମହଙ୍ଗା ପଡିବ ନାହିଁ ବୋଲି କହିଛନ୍ତି । କଂଗ୍ରେସ ଏକ ଆନ୍ଦୋଳନ । କଂଗ୍ରେସ ଏକ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳ । ଅତୀତରେ ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନନ୍ଦିନୀ ଶତପଥୀଙ୍କ ଭଳି ତୁଙ୍ଗ ନେତୃବୃନ୍ଦ କଂଗ୍ରେସ ଦଳ ଛାଡିଥିଲେ ମଧ୍ୟ ଦଳ ତାହାର ଅସ୍ତିତ୍ୱ ହରାଇନାହିଁ । ତେଣୁ ଶ୍ରୀ ବେହେରାଙ୍କ ଦଳରୁ ଇସ୍ତଫା ଦଳ ପାଇଁ ସେପରି କିଛି କ୍ଷତି ସାଧନ କରିପାରିବନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।


Next Post

ପୁନର୍ବାସ ତରଫରୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପାଳନ

Wed Apr 3 , 2024
କେନ୍ଦ୍ରାପଡ଼ା, ୨/୪: ମାଧପୁରର ପୁନର୍ବାସ ଅନୁଷ୍ଠାନ ତରଫରୁ ବିଶ୍ୱ ଅଟିଜିମ୍‌(ସ୍ୱପରାୟଣତା) ଦିବସ ପାଳନ କରାଯାଇଛି । ମୁଖ୍ୟ ଉପଦେଷ୍ଟା କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପାଲି ପ୍ରିୟଦର୍ଶନୀ ନାୟକ, ଅକ୍ୟୁପେଶନାଲ୍ ଥେରାପିଷ୍ଟ ଗୁଞ୍ଜନ ସ୍ମିତା ବେହେରା, ଫିଜୋ ଥେରାପିଷ୍ଟ ରଚିତା ଜେନା, […]

KANIKA