କେନ୍ଦ୍ରାପଡ଼ା, ୩ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତରାଣ୍ଡୋ ଗ୍ରାମର ଅବିବାହିତା ଶିକ୍ଷୟତ୍ରୀ ଯମୁନା ସାମଲ(୫୫)ଙ୍କ ଆଜି ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ତାଙ୍କର ଦୁଇଟି ଚକ୍ଷୁକୁ ଦାନ କଲେ ସମ୍ପର୍କୀୟ । ଘଟଣାରୁ ପ୍ରକାଶ ଯେ ଯମୁନା ସାମଲ ଇଟିପୁର ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି । ଆଜି ସକାଳ ୧୧ଟା ବେଳେ ତାଙ୍କର ସହଯୋଗୀଙ୍କ ସହିତ ଏକ ସ୍କୁଟିରେ ସ୍କୁଲରୁ ଫେରିବା ବେଳେ ଜଜାଙ୍କସ୍ଥିତ ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ ବାଲି ବୋଝେଇ ହାଇୱା ପଛପଟୁ ଧକ୍କା ଦେଇଥିଲା । ଶ୍ରୀମତୀ ସାମଲ ସ୍କୁଟିରୁ ତଳେ ପଡିଯିବା ଫଳରେ ତାଙ୍କ ଉପରେ ହାଇୱା ଚଢି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶ୍ରୀମତୀ ସାମଲଙ୍କ ପୁତୁରା ଜ୍ୟୋତି ପ୍ରକାଶ ସାମଲ ତାଙ୍କର ମର ଶରୀରକୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଜ୍ୟୋତିପ୍ରକାଶଙ୍କ ନିଷ୍ପତ୍ତି ଅନୁଯାୟୀ ତାଙ୍କର ଦୁଇଟି ଚକ୍ଷୁକୁ ଦାନ କରାଯାଇଥିଲା । କେନ୍ଦ୍ରାପଡା ସଦର ଥାନା ପୋଲିସ୍ ଘଟଣାକୁ ତଦନ୍ତ କରି ଏକ ମାମଲା ରୁଜୁ କରିଛି ।