କେନ୍ଦ୍ରାପଡ଼ା, ତା ୦୩/୦୪: ରାଜ୍ୟରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମର ଲହରୀ । ଏହାର ମୁକାବିଲା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୂନ୍ୟମୃତ୍ୟୁହାର ଉପରେ ଗୁରୁତ୍ୱ ଦେବା ସହ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣସବୁ ପଦକ୍ଷେପ ନେଇଛନ୍ତି ତାହାର ବିବରଣୀ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରିବା ସହ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ ଓ ଯଥାର୍ଥଅ ପରିମାଣର ଔଷଧ, ଓଆର୍ଏସ୍ ଆଦି ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ସ୍କୁଲ୍ ଓ ଅଙ୍ଗନୱାଡ଼ିରେ ପାନୀୟ ଜଳର ସୁବିଧା ଉପଲବ୍ଧ କରାଇବା ସହ ପର୍ଯ୍ୟାପ୍ତ ପରିମାଣର ଓଆର୍ଏସ୍ ପ୍ୟାକେଟ୍ ଆଦି ମହଜୁଦ ରଖିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ତହସିଲ, ବ୍ଲକ୍, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଆଦି ସଂପୃକ୍ତ ବିଭାଗରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ବୋଲି ଜିଲ୍ଲାପାଳଙ୍କୁ ବିଭାଗୀୟ ଅଧିକାରୀମାନେ ଅବଗତ କରାଇଥିଲେ । ଅଂଶୁଘାତ ଜନିତ ମୃତ୍ୟୁ ଖବର ୨୪ ଘଂଟା ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଜଣାଇବା ସହ ଡାକ୍ତର ଓ ସ୍ଥାନୀୟ ତହସିଲହାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟ ୩୬ ଘଂଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିସନର୍ଙ୍କୁ ଅବଗତ କରିବାକୁ ସେ ପରାମର୍ଶ ଦେଇଥିଲେ । ନିରନ୍ତର ବିଦ୍ୟୁତ୍ ସେବା ଯୋଗାଇଦେବା ପାଇଁ ବିଦ୍ୟୁତ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ସମସ୍ତ ବ୍ଲକ୍ର ବିଡିଓ, ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ ।