ଅଂଶୁମାନ ଓ ଗଣେଶ୍ୱରଙ୍କ ଇସ୍ତଫା କଂଗ୍ରେସଦଳ ପାଇଁ କିଛି ଫରକ ପଡିବନି- ହଳଧର



କେନ୍ଦ୍ରାପଡ଼ା, ୩ା୪: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ଇସ୍ତଫା ପ୍ରଦାନ କଂଗ୍ରେସ ଦଳ ପାଇଁ କିଛି ଫରକ ପଡିବନି ବୋଲି କହିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ତଥା ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ହଳଧର ସେଠୀ । ବୁଧବାର ଅପରାହ୍ନରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଶ୍ରୀ ସେଠୀ କହିଥିଲେ ଯେ ସେମାନେ ନିଜର ସ୍ୱାର୍ଥ ହାସଲ ପାଇଁ କଂଗ୍ରେସ ଦଳକୁ ଆସିଥିଲେ ଏବେ ସ୍ୱାର୍ଥ ସାଧନ ପରେ ସେମାନେ ଅନ୍ୟ ଦଳକୁ ଯାଇ ନିଜସ୍ୱ ସ୍ୱାର୍ଥ ହାସଲ କରିବା ନିମନ୍ତେ କଂଗ୍ରେସ ଦଳ ଛାଡି ଦେଇଛନ୍ତି । ସେମାନଙ୍କୁ କଂଗ୍ରେସ ଦଳ ବିଧାୟକ ଓ ମନ୍ତ୍ରୀ କରିଛି । ଏହାବ୍ୟତିତ ବିଭିନ୍ନ ସମୟରେ ଦଳର ଭିନ୍ନ ଭିନ୍ନ ପଦ ପଦବୀରେ ଆସିନ କରାଇ ସେମାନଙ୍କୁ ସମ୍ମାନୀତ ମଧ୍ୟ କରିଛି । ଏସବୁ ପରେବି ସେମାନେ ଆଜି ସ୍ୱାର୍ଥ ସାଧନ ପାଇଁ ଦଳ ତ୍ୟାଗ କରି ଚାଲିଯାଇଛନ୍ତି । ଦଳୀୟ କର୍ମୀ ଓ ସାଧାରଣ ଜନତା କେଭେବି ସେମାନଙ୍କୁ କ୍ଷମା ଦେବେନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି । ଦଳର ହାଇକମାଣ୍ଡ ଆଗାମୀ ନିର୍ବାଚନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଦେବେ ଏବଂ ଆମେ ସମସ୍ତେ ମିଳିତ ଭାବରେ ଦଳର ସଂଗଠନକୁ ମଜଭୁତ କରି ସେହି ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବୁ ବୋଲି ଶ୍ରୀ ସେଠୀ କହିଥିଲେ । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା କହିଥିଲେ ଯେ କଂଗ୍ରେସ ଦଳ ଏକ ବିରାଟ ବଟଦୃମ । ନିର୍ବାଚନ ବେଳେ ଏମିତି ଅନେକ ସ୍ୱାର୍ଥନ୍ୱେସୀ ଦଳ ତ୍ୟାଗ କରି ଚାଲିଯିବେ । ହେଲେ ଦଳ ସେମାନଙ୍କ ବିନା ଆହୁରି ଅଧିକ ମଜଭୁତ ହୋଇ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଲଢେଇ କରିବ । ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ କହିଥିଲେ ଯେ କେବଳ କେନ୍ଦ୍ରାପଡା ନୁହେଁ ସାରା ରାଜ୍ୟରେ କଂଗ୍ରେସଦଳରେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଦଳର କର୍ମୀଙ୍କ ମଧ୍ୟରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଉ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର ଉପସଭାପତି ତଥା ମୁଖପାତ୍ର ପ୍ରଫୁଲ୍ଲ କୁମାର ଦାସ, ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଚୈାଧୁରୀ ସ୍ନେହଲତା ରାୟ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ରାଜ୍ୟ କଂଗ୍ରେସ ପ୍ରଚାର କମିଟି ସଦସ୍ୟ ବିଧୁଭୂଷଣ ମହାପାତ୍ର, ବେଣୁଧର ସାହୁ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦଳ ତ୍ୟାଗ ଦ୍ୱାରା ଦଳର କିଛି କ୍ଷତି ହେବନି ବରଂ ସେମାନଙ୍କର କ୍ଷତି ହେବ କାରଣ ଦଳୀୟ କର୍ମୀ ଓ ସାଧାରଣ ଭୋଟରମାନେ ସେମାନଙ୍କ ଉପରେ ଆଉ ଭରସା କରିବେନି ।


Discover more from

Subscribe now to keep reading and get access to the full archive.

Continue reading