ଅସହ୍ୟ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ : ଅଘୋଷିତ ବିଦ୍ୟୁତ୍ କାଟ ବଢାଉଛି ସମସ୍ୟା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି । ଦିନରେ ତାତି ଓ ରାତିରେ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବାରୁ ବିଦ୍ୟୁତ୍‌ର ଆବଶ୍ୟକତା ବଢ଼ିଯାଇଛି । ହେଲେ ଏପରି ସମୟରେ ଦିନକୁ ୧୦ରୁ ୧୫ ଥର ବିଦ୍ୟୁତ୍ ବିଭ୍ରାଟ ଚିନ୍ତାର ବିଷୟ ହୋଇଥିବା ବେଳେ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବିଦ୍ୟୁତ ଉପଭୋକ୍ତା ୟୁନିୟନ ସଭାପତି ଭିମସେନ ପରିଡା, ଲଳିତ ଧଳ, ବିଜୟ ଦାସ, ସୁରେନ୍ଦ୍ର ପରିଡା ପ୍ରମୁଖ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳର ସହରକୁ ଛାଡିଦେଲେ ଗ୍ରାମାଂଚଳରେ କିଛିଦିନ ହେଲା ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଛି । ସକାଳୁ ବିଳମ୍ବିତ ରାତି ମଧ୍ୟରେ ବହୁବାର ଲାଇନ ଯାଉଥିବାରୁ ଲୋକେ ଗରମରୁ ତ୍ରାହି ପାଇପାରୁ ନାହାନ୍ତି । ଏପରି କି ରାତିରେ ଯାଉଥିବା ବିଦ୍ୟୁତ୍ ସକାଳ ପର୍ଯ୍ୟନ୍ତ ଆସୁ ନ ଥିବା ଅନେକ ଉପଭୋକ୍ତା ଅଭିଯୋଗ କରୁଛନ୍ତି । ପୂର୍ବରୁ ଲୋ ଭୋଲଟେଜ ଉପଭୋକ୍ତାମାନଙ୍କୁ ଅସୁବିଧାରେ ପକାଉଥିବା ବେଳେ ଏବେ ଅଘୋଷିତ ପାୱାର କଟ୍ ସମସ୍ୟା ବଢ଼ାଇ ଦେଇଛି । ସକାଳୁ ପ୍ରବଳ ତାତି ଆରମ୍ଭ ହୋଇଯାଉଥିବା ବେଳେ ରାତିବେଳା ଗୁଳୁଗୁଳି ଜନଜୀବନକୁ ଅଥୟ କରିଦେଉଛି । ଏପରି କ୍ଷେତ୍ରରେ ବିଦ୍ୟୁତ୍ ବିଭାଗର ଦାୟିତ୍ୱ ଅଧିକ ବଢ଼ିଯିବା କଥା । କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣର ଅଭାବ, ଠିକ୍ ଭାବେ ମରାମତି କାର୍ଯ୍ୟ କରା ନ ଯିବା ଦ୍ୱାରା ଏପରି ବାରମ୍ବାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେଉଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଂଟଗୁଡିକ ବିପଦସଂକୁଳ ଅବସ୍ଥାରେ ଥିବାବେଳେ ତାହାକୁ ବଦଳାଯାଉ ନାହିଁ । କେତେକ ସ୍ଥାନରେ ଦୀର୍ଘଦିନର ପୂରୁଣା ତାରଗୁଡିକୁ ପରିବର୍ତନ କରାଯାଉ ନାହିଁ । ଦୀର୍ଘବର୍ଷ ତଳର ଖୁଂଟ ଓ ତାରରେ ସେବା ଯୋଗାଇ ଦିଆଯାଇଥିବାରୁ ବିଭିନ୍ନ ସ୍ଥାନରେ ତାହା ଭାଙ୍ଗୁଛି ତ କେବେ ପୁଣି ଛିଣ୍ଡିଯାଉଛି । ତେବେ ତାହାକୁ ସମ୍ପୂର୍ଣ୍ଣ ପରିବର୍ତନ କରିବା ପରିବର୍ତେ ସେହି ତାର ଓ ଖୁଂଟକୁ ଯୋଡ଼ାଯୋଡ଼ି କରି କାମ ଚଳାଇ ଦିଆଯାଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କର୍ତୃପକ୍ଷ ଏ ଦିଗରେ ଆବଶ୍ୟକ ଧ୍ୟାନ ଦେଉନାହାନ୍ତି । ତେଣୁ ଏହା ବିଦ୍ୟୁତ୍ ବିଭ୍ରାଟର କାରଣ ହେଉଛି । ଏ ନେଇ ତୁରନ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରୀଷ୍ମର ପ୍ରକୋପ ଜାରି ରହିଥିବା ବେଳେ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ସେବା ଆବଶ୍ୟକ ଅନୁଯାୟୀ ମିଳିପାରୁ ନାହିଁ । ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ କର୍ତୃପକ୍ଷ ଯେପରି ତତ୍ପରତା ଦେଖାଉଛନ୍ତି, ଯଦି ସେବା ପ୍ରଦାନ କ୍ଷେତ୍ରରେ ସେପରି ଦେଖାନ୍ତେ, ତା’ହେଲେ ଲୋକଙ୍କୁ ଏପରି ହନ୍ତସନ୍ତ ହେବାକୁ ପଡ଼ନ୍ତା ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟୁତ୍ ବିଭାଗ ପକ୍ଷରୁ କାର୍ଯ୍ୟ କରୁଥିବା କର୍ମଚାରୀମାନେ କୌଣସି ନିରାପଦ ଉପକରଣ ବ୍ୟବହାର କରୁନାହାନ୍ତି । ବିଦ୍ୟୁତ୍ ବିଭାଗ ମିଟର ରିଡିଂ ଓ ବିଲ୍ ଆଦାୟ କରୁଥିବା କର୍ମଚାରୀମାନେ ଟିପିସିଓଡିଏଲ ପରିଚୟ ପତ୍ର ନ ରଖି ସିଧା ଘରେ ପଶିବିଭିନ୍ନ ଉପକରଣ ବାବଦରେ ଧମକାଉଛନ୍ତି । ଏ ସମ୍ପର୍କରେ୍ ପଟ୍ଟାମୁଣ୍ଡାଇ ବିଦ୍ୟୁତ୍ ବିଭାଗ ସହ ନିର୍ବାହୀ ଯନ୍ତ୍ରୀ ସ୍ମୃତିରଞ୍ଜନ ରଥଙ୍କୁ ପଚାରିବାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ପରିଚୟ ପତ୍ର ଓ ସେଫ୍ଟି(ନିରାପଦ) ଉପକରଣ ସମସ୍ତ କର୍ମଚାରୀଙ୍କୁ ଯୋଗାଇ ଦିଆଯାଇଛି । ମାତ୍ର ଯେଉଁମାନେ ତାହାକୁ ବ୍ୟବହାର କରୁନାହାନ୍ତି, ତାଙ୍କ ଉପରେ ଟିପିସିଓଡିଏଲ ପକ୍ଷରୁ କାର୍ଯ୍ୟାନଷ୍ଠୁାନ ନିଆଯିବ । ଯଉଁମାନେ ବିଲ୍ ଆଦାୟକରି ବାକୁ ଓ ମିଟରରିଡିଂକରିବାକୁ ଯାଉଛନ୍ତି ସେମାନଙ୍କୁ ଉପଭୋକ୍ତା ଅନୁମତି ନ ଦେବାକୁକହିଛନ୍ତି ।ଯଦି କାହାର କିଛି ସଂନ୍ଦେହ ଆସେ ବା କମ୍ପେ୍ଲନ ଦେବାକୁ ଇଛାକରେ ତେବେ ୧୯୧୨କୁଫୋନକରି ଜଣାଇପାରିବେ । ବର୍ତମାନ ଛୋଟମୋଟ ମରାମତିକାର୍ଯ୍ୟ ଚାଲିଛି । ସେଥିପାଇଁ ବିଦ୍ୟୁତ୍ କାଟ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ହୋଇଯିବ ବୋଲି ସେ କଛନ୍ତି  ।


Next Post

ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଜଣଙ୍କ ଜୀବନ

Thu Apr 4 , 2024
କଟକ : ମୁକୁଳା ଡ୍ରେନ୍‌ରେ ପଡ଼ି ଜଣକର ଜୀବନ ଯାଇଛି । ସିଆରଆରଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ । ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍‌ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏସ୍‌ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ […]

You May Like