- ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର
- ଦାଦନ ଖଟିବାକୁ ଯାଉଛନ୍ତି ଶ୍ର୍ରମିକଶ୍ରେଣୀର ଲୋକେ
- ଚାଷକରି ଲାଭ ପାଉନାହାଁନ୍ତି ଚାଷୀ

ରାଜ୍ୟରେ ଏକଦା ମନ୍ତ୍ରୀପଡ଼ା ଭାବେ ପରିଚିତ ଲାଭ କରିଥିବା କେନ୍ଦ୍ରାପଡ଼ା ଜିଲାର ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଆଜି ବି ଶିଳ୍ପବିହୀନ ଅବସ୍ଥାରେ ପଡିରହିଛି । ଜିଲାର ଶତକଡା ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ଶିକ୍ଷିତ ଯୁବତୀଯୁବକମାନେ ନିଯୁକ୍ତି ଅଭାବରୁ ବେକାର ହୋଇ କୌଣସି କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଯାଉଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକମାନେ ଦାଦନ ଖଟିବା ପାଇଁ ମଧ୍ୟ ବାହାର ରାଜ୍ୟକୁ ଯାଉଛନ୍ତି । ଯେଉଁମାନେ କୃଷି ଉପରେ ଭରସା କରି ନିଜର ଆଗାମୀ ଭବିଷ୍ୟତ ଓ ତେଲଲୁଣର ସଂସାରକୁ ଗଢିବା ପାଇଁ ସ୍ୱପ୍ନ ଦେଖୁଛନ୍ତି ସେମାନେ ମଧ୍ୟ ବହୁ ସମୟରେ ହତାଶ ହେଉଛନ୍ତି । ସଠିକ ଜଳପରିଚାଳନା ଅଭାବ ସାଙ୍ଗକୁ କୃଷି ସାମଗ୍ରୀର ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ଅଧିକାଂଶ ସମୟରେ ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି । ଅର୍ଥକରୀ ଫସଲ ଭାବେ ପରିଚିତ ପନିପରିବା ରକ୍ଷଣାବେକ୍ଷଣ ଅଭାବରୁ ପଚିଶୁଖି ନଷ୍ଟ ହେଉଛି ।
କୃଷକ ନେତା ବିଜୟ ଦାସ, ସୁରେନ୍ଦ୍ର ପରିଡା, ସୁଶାନ୍ତ ସାମଲ, ଭାସ୍କର ରାଉତ, କୁଞ୍ଜବିହାରୀ ନାୟକ ପ୍ରମୁଖ କହିଛନ୍ତି । ଜଳସେଚନ ଅଭାବରୁ ପଟ୍ଟାମୁଣ୍ଡାଇ ଉତିକଣ ଭେଡ଼ା ଅଂଚଳରେ ଥିବା ଗଙ୍ଗାରାମପୁର, ସାନଜରିଆ, ଦିହୁଡିପୁର, ବଡପଡା, ବଡମୋହନପୁର, ଖଡିଅଂଟା, କକ୍ଷାରୁଣୀ, ନରସିଂହପୁର, ଡିହାପଡା, ମୂଳବସନ୍ତ ଆଦି ପଂଚାୟତ ବହୁଳ ଭାବେ ପନିପରିବା ଫସଲ କରାଯାଇଥିବା ବେଳେ ଏବେ ଶହ ଶହ ଏକର ବିଲ ଫାଠି ଆଁ କଲାଣି । ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ହେଉଛି । କିନ୍ତୁ ଜଳସେଚନ ଅଭାବରୁ ହଜାର ହଜାର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଛି । ଗତ ଦୁଇ ଦଶଦ୍ଧି ଧରି ପଟ୍ଟାମୁଣ୍ଡାଇ କେନାଲଲରେ ଡାଳୁଅ ପାଣି ନଆସିବାରୁ ଚାଷୀ ଡାଳୁଅ ଧାନଚାଷ ପ୍ରତି ବିମୁଖ ହୋଇ ପନିପରିବାଚାଷ ଉପରେ ନିର୍ଭର କରିଆସୁଛନ୍ତି । ମାତ୍ର କେନାଲରେ ଆବଶ୍ୟକ ଜଳ ପରିଚାଳନା ନହେବା ସହ ନୟନଜୋରି ପୋତି ହୋଇଯିବାରୁ ଚାଷୀ ବିଲ ଫାଟି ଆଁ କରିବା ସହିତ ପସଲ ଶୁଖି ଗଲାଣି ।ଯେଉଁ ଫସଲ ଅମଳ ହେଉଛି ତାହା ଉଚିତ ଦର ମିଳୁ ନ ଥିବାବେଳେ ଶୀତଳଭଣ୍ଡାର ଅଭାବରୁ ତାହା ନଷ୍ଠ ହେଉଛି ।

ସେହିପରି ନରେନ୍ଦ୍ର ଧଳ, ହିମାଂଶୁ ବିଶ୍ୱାଳ, ଚିତରଞନ ମଲ୍ଲିକ ପ୍ରମୁଖ କୁହନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଂଚଳରେ ଥିବା ଅଣ୍ଢରା, ଅମୃତମଣୋହୀ, ବଲୁରିଆ, ପେଣ୍ଠପାଳ, ତରଡିପାଳ, ସିଂହଗାଁ, ନୀଳକଣ୍ଠପୁର, ଡାମରପୁର, ବାଲିପାଟଣା, ବାଛରା, ଶ୍ରୀରାମପୁର, ବଳଭଦ୍ରପୁର ଆଦି ପଂଚାୟତ ଏବଂ ପୌରାଂଚଳ ବାଲିପଡା, କଷଣଅଂଟା, ଷଣ୍ଢପଲ୍ଲୀ, ତନୁପୁର, କାକୁଡିପଲ୍ଲୀ, ଅଳଭା ଆଦି ଧୋୟାଳରେ ପନିପରିବା ଫସଲ ହୋଇଥାଏ । ଏହି ଫସଲକୁ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ବିଭିନ୍ନ ହାଟ ବଜାରରେ ବିକ୍ରି କରାଯାଇଥାଏ । ଚାଷୀମାନେ ବହୁ କଷ୍ଟରେ ଚଢ଼ା ଦାମରେ ମଞ୍ଜି, ଚାରା, ପୋକମରା ଔଷଧ, ରାସାୟନିକ ସାର ବ୍ୟବହାର କରି ପନିପରିବା ଫସଲ କରିଥାନ୍ତି । ଏପରି କି ଜଳସେଚନ ସୁବିଧା ନ ଥିବା ଅଂଚଳରେ ତେଣ୍ଡାରେ ବହୁ ପରିଶ୍ରମ କରି ଜମିକୁ ଜଳସେଚିତ କରିବା ସହିତ ଆଳୁ, ବାଇଗଣ, ଟମାଟୋ, ପୋଟଳ, କଖାରୁ, ଭେଣ୍ଡି, ପିଆଜ ଓ ରସୁଣ ଆଦି ଫସଲ କରିଥାନ୍ତି । ହେଲେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟରେ ପନିପରିବା ବିକ୍ରି କରିବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ପଟ୍ଟାମୁଣ୍ଡାଇଠାରେ ୨ଟି ଶୀତଳଭଣ୍ଡାର ଖୋଲିବା ପାଇଁ କୃଷକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହେଉଛି ।









