ଗୋଟିଏ ମଞ୍ଚରେ ବିଜେଡି ଆଶୟୀ ପ୍ରାର୍ଥୀ : ଦଳ ମଧ୍ୟରୁ ପ୍ରାର୍ଥୀ କରାଯିବାକୁ ସଭାପତିଙ୍କୁ ଦାବି

ଗୋଟିଏ ମଞ୍ଚରେ ବିଜେଡି ଆଶୟୀ ପ୍ରାର୍ଥୀ : ଦଳ ମଧ୍ୟରୁ ପ୍ରାର୍ଥୀ କରାଯିବାକୁ ସଭାପତିଙ୍କୁ ଦାବି

କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଆଶୟୀ ପାର୍ଥୀ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ସେମାନଙ୍କୁ ସମର୍ଥନ ଜଣାଇ ହଜାର ହଜର ଦଳୀୟ କର୍ମୀ ଏକାଠି ହେଇ ଦାବି ଉପସ୍ଥାପନ କରିବା ସହ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ଭିତରୁ ଜଣଙ୍କୁ ଦଳ ତରଫରୁ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିବାକୁ ଦୃଢ ମତ ଦେଇଥିଲେ ।

ଏହି ଉପଲକ୍ଷେ ଆଜି ଅପରାହ୍ନରେ ଦୁହୁରିଆ ନିକଟସ୍ଥ ଏକ ହୋଟେଲରେ “ବିଜୁ ପରିବାର ସ୍ୱାର୍ଥ ପାଇଁ କର୍ମୀ ସମ୍ମିଳନୀ” ବ୍ୟାନରରେ ଏକ ସମାବେଶ ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଡ. ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ଦାସ, ବିଜେଡି ନେତା ଇଂ ମୁରଲୀଧର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ପଣ୍ଡା, କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଓସ୍ତପୁର ସରପଞ୍ଚ ପ୍ରସନ୍ନ କୁମାର ରାଉତ, ନିକିରାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜ ପଣ୍ଡାଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସମିତିସଭ୍ୟ, ଦଳର ମହିଳା, ଯୁବ ଓ ଛାତ୍ର ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ହଜାର ହଜାର ସଂଖ୍ୟାରେ ଯୋଗଦେଇ ଦଳ ଭିତରେ ଥିବା ଆଶାୟୀମାନଙ୍କ ମଧ୍ୟରୁ ଜଣଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ମନୋନିତ କରିବା ପାଇଁ ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ବର୍ଷ ଧରି ବିଜେଡି ସଂଗଠନ ପାଇଁ କାର୍ଯ୍ୟ କରି ଆସୁଥିବା ନେତୃତ୍ୱ ଓ କର୍ମୀଙ୍କ ମତାମତକୁ ଉପେକ୍ଷା କରି ଆମଦାନୀ ନେତାଙ୍କୁ ସୁଯୋଗ ପ୍ରଦାନ କଲେ ଦଳରେ ବିଷ୍ପୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାଇ ଦେଇଛନ୍ତି । ବିଶେଷ କରି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ବହୁ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ବାହାର ନେତାଙ୍କୁ ସୁଯୋଗ ଦିଆଗଲେ ସ୍ଥାନୀୟ ନେତୃତ୍ୱଙ୍କ ସ୍ୱାଭିମାନ ଓ ମନୋବଳ ଉପରେ ନକରାତ୍ମକ ପ୍ରଭାବ ପଡିବ ଯାହା ଦଳ ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ବିଚାର କରି ନିକଟରେ ଅନ୍ୟ ଦଳ ତ୍ୟାଗ କରିଥିବା ଜଣେ ନେତାଙ୍କୁ ବିଜେଡିର ବିଧାନସଭା ଟିକେଟ ଦେବାକୁ ହେଉଥିବା ଉଦ୍ୟମ ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଦଳର ହାଇକମାଣ୍ଡ ଓ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ଦାବିପତ୍ରକୁ ସଭାରେ ପାଠ କରାଯାଇ ସର୍ବସମ୍ମତ କ୍ରମେ ଗୃହିତ ହେବାପରେ ସେହି ଦାବିପତ୍ରକୁ ନେଇ ନେତୃତ୍ୱମାନେ ଭୁବନେଶ୍ୱର ଯାତ୍ରା କରିଥିବା ଜଣାପଡିଛି । ଶେଷରେ ବାରୋ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।