କେନ୍ଦ୍ରାପଡ଼ା, ତା ୦୭/୦୪: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଉପରେ କଡ଼ା ନଜର ରଖିଛି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ସି-ଭିଜିଲ୍ ସିଟିଜେନ୍ ଆପ୍ । ଏହି ଆପ୍ ସହାୟତାରେ ନିର୍ବାଚନ ଆୟୋଗ ସାରା ଦେଶରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏଦ୍ଯାବତ କେନ୍ଦ୍ରାପଡ଼ା ଜିଲ୍ଲାରେ ୫୫ଟି ଉଲ୍ଲଂଘନ ଅଭିଯୋଗ ଆସିଛି । ଏଥିମଧ୍ୟରୁ ୫ଟି ଟ୍ରାଏଲ୍ କେସ୍ ହୋଇଥିବା ବେଳେ ୫ଟି ଅଭିଯୋଗ ଭିତିହୀନ ଅଟେ । ଅବଶିଷ୍ଟ ୪୫ଟି ଅଭିଯୋଗକୁ ହାରାହାରି ୮୩ମିନିଟ୍ ମଧ୍ୟରେ ଏଫଏସ୍ଟି (ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ଟିମ୍) ସମାଧାନ କରିବାକୁ ସକ୍ଷମ ହୋଇଛନ୍ତି ।
ସୂଚନାଯୋଗ୍ୟ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିର୍ଦ୍ଦେଶକ୍ରମେ ଏକ ଉତ୍ସର୍ଗିକୃତ ୨୪ଘଣ୍ଟିଆ କଂଟ୍ରୋଲ୍ ରୁମ୍ ଖୋଲାଯାଇଛି । ଜିଲ୍ଲାର ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ଟି ଲେଖାଏଁ ମୋଟ୍ ୧୫ଟି ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ୨୪ ଘଂଟିଆ ଆଲର୍ଟ ରହିଛନ୍ତି । ପ୍ରତ୍ୟେକ ଫ୍ଲାଇଙ୍ଗ୍ ସ୍କାର୍ଡ଼ରେ ଅଛନ୍ତି ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍, ଜଣେ ଏଏସ୍ଆଇ, ଜଣେ ଭିଡିଓଗ୍ରାଫର୍ ଏବଂ ୩ଜଣ ବନ୍ଧୁକଧାରୀ ପୋଲିସ୍ । ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ସମ୍ପର୍କରେ ସି-ଭିଜିଲ୍ ଆପ୍ ଜରିଆରେ କେନ୍ଦ୍ରାପଡ଼ା ଜିଲ୍ଲାର ଯେ କୌଣସି ବ୍ୟକ୍ତି ଅଭିଯୋଗ ଆଣିବା ମାତ୍ରେ କଂଟ୍ରୋଲ ରୁମ୍ରେ ଥିବା ମନିଟରରେ ଏହା ସୋ କରିଥାଏ । କଂଟ୍ରୋଲ୍ ରୁମ୍ରେ ଥିବା କର୍ମଚାରୀ ପ୍ରଥମେ ଅଭିଯୋଗକାରୀଙ୍କ ଦ୍ୱାରା ପ୍ରଦତ ଫଟୋ/ଭିଡିଓର ଜିପିଏସ୍ ଟ୍ରାକ୍ କରିଥାନ୍ତି ଏବଂ ପରେ ପରେ ଏହାର ନିକଟବତିର୍ତ୍ତି ଅଞ୍ଚଳରେ ଥିବା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼କୁ ଏ ସମ୍ପର୍କରେ ଅବଗତ କରାଇଥାନ୍ତି । ୧୦୦ ମିନିଟ୍ ମଧ୍ୟରେ ଏହା ଅଭିଯୋଗର ସମାଧାନ କରିବାକୁ ପ୍ରାବଧାନ ରହିଥିବା ବେଳେ ହାରାହାରି ୮୩ ମିନିଟ୍ ମଧ୍ୟରେ ଏହାର ସମାଧାନ କରିବାକୁ ସକ୍ଷମ ହୋଇଛନ୍ତି ଜିଲ୍ଲାରେ ନିୟୋଜିତ ଥିବା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ । ସୂଚନାଯୋଗ୍ୟ, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨ଟି ଅଭିଯୋଗ ଆସିଥିବା ବେଳେ ମହାକାଳପଡ଼ାରୁ ୩ଟି, କେନ୍ଦ୍ରାପଡ଼ାରୁ ୭ଟି, ରାଜନଗରରୁ ୯ଟି ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୨୯ଟି ଅଭିଯୋଗ ଆସିଛି । ଏହା ମଧ୍ୟରୁ ୪୫ଟି ଅଭିଯୋଗରେ ସତ୍ୟତା ଥିବା ବେଳେ ୫ଟି ଅଭିଯୋଗ ଭିତିହୀନ ଅଟେ ।
ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ଏକ ଅଂଶ ହେଉଛି ସି-ଭିଜିଲ୍ ଆପ୍ । ଦ୍ରୁତ, ବେଗ ଓ ସ୍ୱଚ୍ଛତା ହେଉଛି ଏହାର ମୂଳଦୁଆ । ଏ ଆପ୍ ଜରିଆରେ ଯେ କୌଣସି ସଚେତନ ବ୍ୟକ୍ତି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଫଟୋ କିମ୍ବା ଭିଡିଓ ଉତୋଳନ କରି ଏହି ଆପ୍ରେ ଲୋଡ୍ କରି ଅଭିଯୋଗ ଆଣିପାରିବେ । ନିର୍ବାଚନ ଆଦର୍ଶ ଆଚରଣ ସଂହିତାର ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଟୋଲ୍ ଫ୍ରି ନମ୍ବର ୧୯୫୦ ଜାରି କରିବା ସହ ୪ଟି ମୋବାଇଲ୍ ନମ୍ବର ୯୮୬୧୨୦୩୮୩୩, ୮୨୬୦୨୧୮୦୮୩, ୯୦୭୮୦୧୮୯୩୫, ୯୦୭୮୯୮୦୬୩୧ ଜାରି କରିଛନ୍ତି ।