ନିର୍ବାଚନ ଋତୁରେ ଡିଆଁ ଡେଇଁ ଖେଳ ବା ଦଳବଦଳ ନିତୀ


ଆମ ଦେଶରେ ପ୍ରତି ପାଞ୍ଚବର୍ଷରେ ଥରେ ଆସେ ନିର୍ବାଚନ ଋତୁ   । ଏହି ଋତୁ ପ୍ରକୃତିର ଛଅ ଋତୁ ଭଳି ନୁହେଁ କି ଏ ଋତୁରେ ବଦଳେନି ଜଳବାୟୁ କି ପାଣିପାଗ  । କେବଳ ସରଗରମ ହୋଇ ଉଠେ ରାଜନୈତିକ ପାଣିପାଗ ଓ ବଦଳିଯାଏ ନେତାଙ୍କ ଚିତ୍ର ଓ ଚରିତ୍ର । ନାଭମଣ୍ଡଳରେ ତୈଳ ଲେପନ କରି ଶୋଇଥିବା କିଛି ନେତା ହଠାତ୍ ଚିହିକି ଉଠନ୍ତି ଓ ଭୋଟର ମାନଙ୍କୁ ଭେଟିବା ପାଇଁ ଗାଆଁ କୁ ଗାଆଁ ବୁଲନ୍ତି ଠିକ୍‌ ହଳଦୀ ବସନ୍ତ ପରି । ସେତେବେଳେ ସେମାନେ ମାତ୍ରାଧିକ ବିନୟୀ, ମେଳାପୀ ଓ ମିଷ୍ଟଭାଷୀ ହୋଇଯାଆନ୍ତି ଏବଂ ଖୁବ୍ ଶସ୍ତା ହୋଇଯାଏ ସେମାନଙ୍କ ହସ ଓ ନମସ୍କାର । ଲୋକଙ୍କୁ ଦେଖିବା ମାତ୍ରେ ଆପେ ଆପେ ଯୋଡି ହୋଇଯାଏ ହାତ । ଓଠରୁ ଝରିପଡ଼େ ବାଳ ମୁକୁନ୍ଦ ହସ । ମହୁ ଜୁଡୁବୁଡୁ କଥା କହି ଭିକ୍ଷା କରନ୍ତି ଆର୍ଶୀବାଦ । ସାଧାରଣତଃ ନିର୍ବାଚନ ଋତୁ ଆସିବା ମାତ୍ରେ ଆରମ୍ଭ ହୋଇଯାଏ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ । ଆପଣା ଆପଣା ରଣ କୌଶଳ ନେଇ ନିର୍ବାଚନ ମଇଦାନକୁ ଓହ୍ଲେଇ ଆସନ୍ତି ସବୁ ରାଜନୈତିକ ଦଳ । ଦିଲ୍ଲୀ ଠାରୁ ପଲ୍ଲୀ ଯାଏ ଆୟୋଜିତ ହୁଏ ଶାନ୍ତିଯାତ୍ରା, କ୍ରାନ୍ତିଯାତ୍ରା, ଜନସମ୍ପର୍କଯାତ୍ରା, ସଦଭାବନା ଯାତ୍ରା ଓ ଆହୁରି ଏମିତି କେତେ କଣ । ନେତାଙ୍କ ଗରମାଗରମ ଭାଷଣରେ ସବୁଠି କମ୍ପି ଉଠେ ସଭାମଂଚ । ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପଛେ ପୂରଣ ନ ହେଉ, ଦେଶ ବିକାଶ ପଛରେ ଧାଇଁଛି ବୋଲି ଗଣମାଧ୍ୟମରେ ଛାଇ ହୋଇଯାଏ ବିଜ୍ଞାପନ । ବିକାଶ ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ପକ୍ଷ ଭିତରେ ଚାଲେ ଆକ୍ଷେପ ଓ ପ୍ରତିଆକ୍ଷେପ । ଏତିକି ବେଳେ ନିର୍ବାଚନୀ ପାଣିପାଗକୁ ଆହୁରି ସରଗରମ କରିଦିଏ ନେତାଙ୍କ ଡିଆଁ ଡେଇଁ ଖେଳ ବା ଦଳବଦଳ ନିତୀ । ସାଧାରଣତଃ ନିର୍ବାଚନ ଆସିଗଲେ ସବୁ ଦଳର କିଛି ସୁବିଧାବାଦୀ ନେତା ନିଜର ଲାଭ କ୍ଷତିର ଅଙ୍କ କଷନ୍ତି ଏବଂ ଆବଶ୍ୟକ ମନେକଲେ ଗୋଟିଏ ଦଳରୁ ଅନ୍ୟ ଦଳକୁ ହନୁମନ୍ତ ପରି ହୁମ୍ପା ମାରନ୍ତି । ଏମାନଙ୍କ ଭିତରୁ କିଏ ଦଳର ଛାମୁଆ ନେତାଙ୍କ ଦ୍ୱାରା କୋଣ ଠେସା ହୋଇ ରହିଥାଏ ତ କିଏ ହରେଇଥାଏ ଟିକେଟ୍ ପାଇବାର ଆଶା । ଦୁର୍ନୀତିରେ ଛନ୍ଦିହୋଇ ପଡୁ଼ଥିବା କେହି କେହି ନେତା ବି ଖୋଜନ୍ତି ନିରାପଦ ଆଶ୍ରା । ଯୁଆଡ଼େ ବର୍ଷା ସିଆଡ଼େ ଛତା ନ୍ୟାୟରେ କିଏ ପୁଣି ହାୱାକୁ ଆକଳନ କରି ଦଳବଦଳ କରେ । ଗୋଟିଏ ରାଜନୈତିକ ଦଳ ଆଦର୍ଶରେ  ପରିପୋଷିତ ଏହି ନେତାମାନେ ଦଳବଦଳ କରି ଖୁବ୍ ସହଜରେ ଗ୍ରହଣ କରିନେଇ ପାରନ୍ତି ଅନ୍ୟ ଗୋଟିଏ ଦଳର ଆଦର୍ଶ । ଏପରିକି ଦକ୍ଷିଣ ପନ୍ଥୀ ନେତାମାନେ କେତେ ବେଳେ ଧର୍ମନିରପେକ୍ଷ ବାଦୀଙ୍କ ଖୁଆଡ଼କୁ ଲମ୍ଫ ପ୍ରଦାନ କରନ୍ତି ତ କେତେବେଳେ ଦକ୍ଷିଣ ପନ୍ଥୀଙ୍କ ଖୁଆଡ଼ରେ ପଘା ପିନ୍ଧନ୍ତି ତଥା କଥିତ ଧର୍ମନିରପେକ୍ଷ ବାଦୀ ନେତା । ଅଥାର୍ତ ଆରମ୍ଭରୁ ଏମାନଙ୍କ ପାଖରେ ନ ଥାଏ କୌଣସି ରାଜନୈତିକ ଆଦର୍ଶ । ଏହି ସୁବିଧାବାଦୀ ନେତାଙ୍କ ଦଳବଦଳ ମାନସିକତାକୁ ଅଧିକ ପ୍ରୋତ୍ସାହିତ କରନ୍ତି ପ୍ରାୟତଃ ପ୍ରତ୍ୟେକ ରାଜନୈତିକ ଦଳର ମଙ୍ଗୁଆଳମାନେ । ସେଥିପାଇଁ ସବୁଦଳ ପକ୍ଷରୁ ଆୟୋଜିତ ହୁଏ ମିଶ୍ରଣ ପର୍ବ ବା ସ୍ୱାଗତ ସମ୍ବଦ୍ଧନା ଉତ୍ସବ । ସେଠାରେ ଦଳ ବଦଳକାରୀ ନେତାଙ୍କ ମୁଣ୍ଡରେ ଟୋପି ପିନ୍ଧେଇ କିମ୍ବା କାନ୍ଧରେ ଉତରୀୟ ଲମ୍ୱେଇ ତାଙ୍କୁ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବରେ ଦଳପତି ସ୍ୱାଗତ କରନ୍ତି । ଅମୁକ ଦଳର ନେତା ନିଜ ସମର୍ଥକମାନଙ୍କ ସହିତ ଆସିଆମ ଦଳରେ ଯୋଗ ଦେଇଥିବାରୁ ଦଳର ଶକ୍ତିବୃଦ୍ଧିହେଲା ବୋଲିକହି କର୍ମୀମାନଙ୍କର ମନୋବଳ ବୃଦ୍ଧିକରନ୍ତି ଖୁବ୍ ଉତ୍ସାହର ସହିତ ସଦ୍ୟ ଦଳବଦଳ କରିଥିବା ନେତା ଜଣକ ସମ୍ବଦ୍ଧନାର୍ର ଉତର ଦେବାକୁ ଯାଇ କୁହନ୍ତି ଏ ଦଳର ନୀତି ଓ ଆଦର୍ଶ ଏବଂ ଦଳପତିଙ୍କ ଦକ୍ଷ ନେତୃତ୍ୱ ଲୁହାକୁ ଚୁମ୍ବକ ଟାଣିଲା ପରି ତାଙ୍କୁ ଏଠାକୁ ଟାଣିଆଣିଛି । ଏପରିକି ସେ ଅଳ୍ପଦିନ ପୂର୍ବରୁ ଯେଉଁ ଦଳର ଗୁଣଗାନ କରୁଥିଲେ, ତାର ଦୋଷ ଦୁର୍ବଳତା ବଖାଣିବା ସହ ସେ ଦଳର ସବୋଚ ନେତାଙ୍କୁ ଖୁବ ‌ରୁକ୍ଷ ଭାଷାରେ ତିରସ୍କାର କରନ୍ତି । ଶାଳୀନତା ଭୁଲି କେହିକେହି ଚାଲିଯାନ୍ତି ବ୍ୟକ୍ତଗତି ସ୍ତରକୁ । ଦଳବଦଳର କାରଣ ଦର୍ଶାଇବାକୁ ଯାଇ କୁହନ୍ତି ଦଳ ନୀତି ଆଦର୍ଶରୁ ଦୂରେଇଯିବା ଫଳରେ ସେଠାରେ ନିଜକୁ ଖାପଖୁଆଇ ତାଙ୍କ ଭଳିଜଣେ ସ୍ୱଚ୍ଛ ନେତାଙ୍କ ପାଇଁ କାମ କରିବା ସମ୍ଭବ ନ ଥିଲା । କ୍ଷମତା ପଛରେ ଧାଇଁଥିବା ଏହି ଅଭ୍ୟାସ ଗତ ଦଳଛଡ଼ା ମାନଙ୍କ ପାଇଁ ବଦଳିଗଲାଣି ଗଣତନ୍ତ୍ରର ପରିଭାଷା । ଏମାନେ ଟଙ୍କା ଫିଙ୍ଗିଥାଟ ଗଢି଼ପାରନ୍ତି, ବେଳ ଉଣ୍ଡିଦଳବଦଳ କରିପାରନ୍ତି ଏବଂ ଟିକେଟ କିଣିନିର୍ବାଚନ ଲଢି଼ପାରନ୍ତି ନିଜର ପତିଆରା ବଳରେ । ଏମାନଙ୍କ କ୍ଷମତା ମୋହ ଆଗରେ ଦଳୀୟ ଆଦର୍ଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ କୌଣସି ମୂଲ୍ୟ ବହନ କରେନି । ବିଚାର ବୋଧ ଥିବା ପ୍ରତ୍ୟେକ ମଣିଷ ପ୍ରାୟତଃ ଏକ ଆଦର୍ଶକୁ ନେଇ ବଞ୍ଚେ, ଯେଉଁ ଆଦର୍ଶ ତା ସହିତ ଶେଷ ପର୍ଯ୍ୟନ୍ତ ଦେହର ବସ୍ତ୍ର ପରି ଯୋଡ଼ିହୋଇ ରହିଥାଏ । ଯଦିତାର ଆଦର୍ଶ ଚାଲିଗଲା ତେବେ ତାହାର ବସ୍ତ୍ରହରଣ ହେଲା ବୋଲି କହିଲେ ଚଳେ । ଏହି ପ୍ରକ୍ରିୟା ସହିତ ବହୁ ପୂର୍ବରୁ ଅଭ୍ୟସ୍ତ ହୋଇସାରିଛି ଭାରତୀୟ ରାଜନୀତି । ଆମ ଦେଶର ଇତିହାସ କହେ, ଉତମ ପ୍ରଜାନୁରଞ୍ଜକ ରାଜାମାନେଜ୍ଞାନୀ, ଗୁଣୀ ଓ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ବାଛିବାଛି ନିଜ ଦରବାରରେ ସ୍ଥାନ ଦେଉଥିଲେ । ମାତ୍ର ସ୍ୱାଧୀନତା ପରେ ଲୋକପ୍ରତିନିଧି ଆଇନରେ ରହିଲା ନାହିଁ କିଛି ହେଲେ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ପ୍ରତିଭାର ମାପ କାଠି । ତେଣୁ କ୍ଷମତାର ଅଳିନ୍ଦ ଭିତରକୁ ସହଜରେ ପ୍ରବେଶ କଲେ ଅନେକ ବାହୁବଳୀ ନେତା । ଏମାନେ ବିଧାନସଭା ଓ ସଂସଦ ଭଳିପବିତ୍ର ଗୃହରେ ଚିନ୍ତାଗର୍ଭକ ବକ୍ତବ୍ୟ ରଖିପାରନ୍ତିନି ସତ, କିନ୍ତୁ ନାରାବାଜି ହଟ୍ଟଗୋଳ ଓ ହଙ୍ଗାମା କରି ଗୃହ ଅଚଳ କରିଦେଇ ପାରନ୍ତି । ନିର୍ବାଚନ କମିଶନଙ୍କ ତାଗିଦା ସତ୍ୱେ ଅପରାଧ ପୃଷ୍ଠ ଭୂମିଥିବା କିଛି ନେତାଙ୍କୁ ପ୍ରାର୍ଥୀ ତାଲିକାରୁ କୌଣସି ଦଳ ବାଦ୍ ଦେଇପାରୁନି । କାରଣ ଗୃହରେ ହଙ୍ଗାମାକରି ପାରୁଥିବା ଏହି ନେତାମାନେ ଦଳର ଗୋଟେ ଗୋଟେ ଅସ୍ତ୍ର । ଏ କଥାକୁ ଅନୁଭବ କର କ୍ଷୋଭର ସହିତ ଓଡି଼ଶା ଉଚ୍ଚ ନ୍ୟାୟାଳୟ ଏକ ରାୟରେ କହିଛନ୍ତି ରାଜନୀତି ଓ ଅପରାଧ ଉତରମେର ଓ ଦକ୍ଷିଣମେରୁ ପରି ନିଦ୍ଦିଷ୍ଟ ବ୍ୟବଧାନରେ ରହିବା ଉଚିତ । କିନ୍ତୁ ସେ ଦୁଇ ମେରୁ ଏବେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵପରି ଅଛନ୍ତି । ଆମ ଦେଶରେ ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ରହିଛି ଜନତାଙ୍କ ହାତରେ । ମାତ୍ର ଜନତା ଜାଗରୁକ ନ ରହିବା କାରଣରୁ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ବାଟବଣା କରିସାରି ଲେଣି ଏହି ସର୍ବଗିଳା ଦଳ ଛଡ଼ାମାନେ । ଏହି ପରିପ୍ରେକ୍ଷୀରେ ଜନତା ଜାଣିରଖିବା ଉଚିତ ନେତୃତ୍ୱ ନାଁରେ କପଟ କରୁଥିବା ସୁବିଧାବାଦୀ ମାନେ କେବେ ଅସଲି ନେତା ନୁହଁନ୍ତି ବରଂ ସଫଳ ଅଭିନୟ କେବଳ ସେମାନଙ୍କ ଯୋଗ୍ୟତାର ମାପକାଠି । ଅଥଚ ଏମାନଙ୍କ ବାହୁବଳ ଓ ଅର୍ଥବଳ ଯୋଗୁ ନିର୍ବାଚନ ମଇଦାନରେ ତିଷ୍ଠି ପାରନ୍ତିନି ବହୁବିଦ୍ୱାନ୍ ଓ ସମ୍ବିଧାନବିତ୍ । ଏପରିକି ବଡ଼ ବଡ଼ ଅପରାଧରେ ଜଡ଼ିତ ରହି ଜେଲଦଣ୍ଡ ଭୋଗୁଥିବା ଦାଗୀ ନେତାଙ୍କ ଠାରୁ ବିହାରିଯାଆନ୍ତି ଯୋଗ୍ୟ ଓ ପ୍ରତିଭାବାନ୍ ପ୍ରାର୍ଥୀ । ଏହିଧାରା ଯଦି ଜାରିରହିବ ତେବେ ଗଣତନ୍ତ୍ରକୁ ଘୁଣପୋକ ପରି ଖାଇଯିବେ ଏହି ନକଲି ନେତାମାନେ । କ୍ରମଶଃ ବିପନ୍ନ ହୋଇପଡ଼ିବ ନିରୀହ ଜନତାର ଧନ, ଜୀବନ ଓ ସ୍ୱାଧୀନତା । ଏହାକୁ ଦୃଷ୍ଟିରେ ରଖି ଜନତା ଜାଗି ଉଠିବା ଦରକାର । ଜନତା ଏମାନଙ୍କୁ ଚିହ୍ନିଗଲେ ଆଉ ସେମାନେ ଚାପଗ୍ରସ୍ତ ହେବେନି କି ପ୍ରହସନରେ ପରଣତି ହେବନି । ଆମ ନିର୍ବାଚନୀ ବ୍ୟବସ୍ଥାରେ ଯୋଗ୍ୟ ଓ ଶିକ୍ଷିତ ବ୍ୟକ୍ତିରାଜନୀତିପ୍ରତିଆକୃଷ୍ଟ ହେବେ ଏବଂ ପୁନଃ ପ୍ରତଷ୍ଠା ହୋଇପାରିବ ଆମ ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧ । ସେ ପର୍ଯ୍ୟନ୍ତ ଲୋକେ ନୋଟାକୁ ଭୋଟ୍ ଦେଇ ନିଜର ପ୍ରତିବାଦ ଜଣେଇବା ବୋଧହୁଏ ଆମ ଗଣତନ୍ତ୍ର ପ୍ରତିଅଧିକ ଶୁଭଙ୍କର ।


Discover more from

Subscribe now to keep reading and get access to the full archive.

Continue reading