ସମ୍ବିଧାନ ପ୍ରତି ପ୍ରତିବଦ୍ଧତା ହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡା  ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଡ଼ଃ ଭି. ଆର୍‌. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଦେଶ ପାଇଁ ଡ଼ଃ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ନିଜର ୬୫ ବର୍ଷ ଜୀବନ କାଳ ଭିତରେ ଅସ୍ପୃଶ୍ୟତା ଓ ଅବହେଳାର ଶିକାର ହୋଇ ମଧ୍ୟ ସାମାଜିକ ସମତା ହାସଲ ଦିଗରେ ତାଙ୍କର ଅବଦାନ ଆମ ପଥ ପ୍ରଦର୍ଶକ ହୋଇ ବିଦ୍ୟମାନ ଅଛି । ଆମେ ସମ୍ବିଧାନ ପ୍ରତି ଯେତେ ଉତରଦାୟୀ ରହିବା, ସମ୍ବିଧାନର ନୀତିନିୟମ ପ୍ରତି ଯେତେ ଅଧିକ ପ୍ରତିବଦ୍ଧ ଓ ଅଙ୍ଗୀକାରବଦ୍ଧ ହେବା, ତାହା ହିଁ ହେବ ସାମାଜିକ ନ୍ୟାୟ ଆନ୍ଦୋଳନର କର୍ଣ୍ଣଧାର ସମତା ସମ୍ପନ୍ନ ସମାଜ ଗଠନର ଅନନ୍ୟ ରୂପକାର ବାବାସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ତାଙ୍କ ପଂଚଭୂତର ଶରୀର ମାଟିରେ ବିଲୀନ ହୋଇଛି ସତ ମାତ୍ରେ ଏବେ ବି ଜୀବିତ ଆମ ଚେତନାରେ, ବିଚାରରେ, ଶାସନ-ପ୍ରଶାସନରେ । ତାଙ୍କ ଜୀବନ ଶିକ୍ଷାର ଏକ ଅସରନ୍ତି ଭଣ୍ଡାର ବୋଲି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ  । ଏହି ଉତ୍ସବରେ ସମ୍ମାନନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ ଓ ଉପ ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିଲେ । ଉତ୍ସବର ପ୍ରାରମ୍ଭରେ ମୁଖ୍ୟ ଓ ସମ୍ମାନୀୟ ଅତିଥି ଭାରତରତ୍ନ ତଥା ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଡକ୍ଟର ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଜୟନ୍ତୀ ପାଳନ ସମାରୋହକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ପଲ୍ଲବୀ ପ୍ରିୟଦର୍ଶିନୀ, ପଲ୍ଲବୀ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ କୋକିଳା ମଞ୍ଜରୀ ନାୟକ, ଡିପିସି (ମମତା) ମନୋରଞ୍ଜନ ଦାସ, ଟିଆର୍‌ଓ ଯୀଶୁକୃଷ୍ଣ ଦାସ, ଶୁଭଶ୍ରୀ ଜେନା, ଏସ୍‌ଆର୍‌ଏ ପ୍ରଦୀପ କୁମାର ଦାଶ, ଜେଆର୍‌ଏ ଜୟଶ୍ରୀ ସାହୁ, ନିକ୍ଷେପକ ମଧୁସୂଦନ ମଲ୍ଲିକ, ତପନ କୁମାର ପରିଡ଼ା, ରଞ୍ଜନ କୁମାର ବେହେରା, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

ସକାଳ ୮ଘଟିକା ସମୟରେ ମୁଖ୍ୟ ଅତିଥି ଓ ସମ୍ମାନନୀୟ ଅତିଥି ପୁରୁଣା ବସଷ୍ଟାଣ୍ଡସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ନିବେଦନ କରିଥିଲେ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ପରେପରେ ହାଇସ୍କୁଲ୍  ଛକ ନିକଟ ଡକ୍ଟର ଆମ୍ବେଦକରଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତି ଅର୍ଘ୍ୟ ଅର୍ପଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading