ମାଙ୍କଡ଼ ଆକ୍ରମଣରେ ବୃଦ୍ଧ ଗୁରୁତର, ପ୍ରତିକାର ପାଇଁ ଦାବୀ


କେନ୍ଦ୍ରାପଡା  ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ବଣୁଆ ମାଙ୍କଡ଼ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ମାଙ୍କଡ଼ ମାନେ ଦଳ ଦଳ ହୋଇ ଆସି ବିଲ ବାଡ଼ି ବଗିଚାରେ ଥିବା ଫସଲ ନଷ୍ଟ କରିବା ସହିତ ବିଭିନ୍ନ ଚାଳ ଛପର ଘରର ମଧ୍ୟ କ୍ଷତି ଘଟାଉଛନ୍ତି । ଏପରିକି ମାଙ୍କଡ଼ ଆକ୍ରମଣର ଶିକାର ହୋଇ ବହୁ ଲୋକ ଆହତ ହେବା ଖବର ଜନମାନସରେ ଆଲୋଡନ ସୃଷ୍ଟି କରଥିବା ବେଳେ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମର ପ୍ରଭାତ ବେହେରା ନାମକ ବୃଦ୍ଧ ପଟ୍ଟାମୁଣ୍ଡାଇ ବଜାର ଆସିବା ବାଟରେ ଏକ କେନାଲ ନିକଟରେ ବଣୁଆ ପାତି ମାଙ୍କଡ଼ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ପେଟ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏହି ଘଟଣା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ମାଙ୍କଡ଼ କବଳରୁ ବୃଦ୍ଧଙ୍କୁ ଉଦ୍ଧାର କରିବା ସହିତ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ବୃଦ୍ଧ ପ୍ରଭାତ ଚିକିତ୍ସାଧୀନ ଅଛନ୍ତି । ଏଥି ପୂର୍ବରୁ ଷଣ୍ଢପଲ୍ଲୀ ଗ୍ରାମରେ ବହୁ ଲୋକ ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି । ଏହାଛଡା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଚଳରେ ମାଙ୍କଡ଼ ଆକ୍ରମଣ ଘଟଣା ବଢ଼ି ବଢ଼ି ଚାଲିଛି । ମାଙ୍କଡ଼ ଉପଦ୍ର୍ୱ ଯୋଗୁଁ ମହିଳା, ବୃଦ୍ଧ ଓ ଶିଶୁମାନେ ଘରୁ ବାହାରକୁ ବାହାରିବା ପାଇଁ ନିରାପଦ ମନେ କରୁନାହାନ୍ତି । ମାଙ୍କଡ଼ଙ୍କ ଯୋଗୁଁ ବହୁ କଷ୍ଟ ସ୍ୱୀକାର କରି ଫସଲ କରିଥିବା ଚାଷୀମାନଙ୍କ ଫସଲ ହାନୀ ଘଟୁଛି । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ରାଜନଗର ଜଙ୍ଗଲ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପ୍ରତିକାର କରିବାକୁ ସାଧାରଣରେ ଦାବୀ ହେଉଛି ।


Discover more from

Subscribe now to keep reading and get access to the full archive.

Continue reading