ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ : ପ୍ରଶାସନ ପକ୍ଷରୁ ହେଉନାହିଁ ଯାଂଚ , ବୋତଲ ପାଣି ଠାରୁ ସୁରେଇ ପାଣି ଭଲ



ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏଥିରୁ ନିସ୍ତାର ମିଳିପାରିନାହିଁ । ଉପକୂଳ ଓଡ଼ିଶା କେନ୍ଦ୍ରାପଡା ଜିଲାରେ ଆଜିବି ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିଛି । ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ଅପରାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାଁନ୍ତି । ଏପରିସ୍ଥଳେ ଯେଉଁମାନେ ବିଭିନ୍ନ ଜରୁରି କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରୁଛନ୍ତି । ଲୋକେ ଯେଉଁ ପାଉଚ ପାଣି ପିଉଛନ୍ତି ତାହାର ଶୁଦ୍ଧତା ଓ ଗୁଣବତା ବିଷୟରେ କାହାରିକୁ ଜଣାନାହିଁ । ଯେତେବେଳେ ଆମେ ଶୋଷିଲା ସେତେବେଳେ ଜଳପ୍ରଥମ ଆବଶ୍ୟକ ହୋଇଥାଏ । ମାତ୍ରୁ ଆମ ଟ୍ୟାପ୍ କିମ୍ବା ବୋତଲ ପାଣିରେ ଆସୁଥିବା ଜଳର ଗୁଣବତା ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହେଉଥିଲାବେଳେ କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଂଚ କରାଯାଉନାହିଁ । ଯାହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପାଉଚ୍ ଓ ବୋତଲରେ ପିଇବା ପାଣି ବିକ୍ରି କରୁଛନ୍ତି ।


ପଟ୍ଟାମୁଣ୍ଡାଇ ସହରରେ ପିଇବା ପାଣି କାରବାର ବିପୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି । ନାମୀଦାମୀ କମ୍ପାନୀ ନାଁରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ ମିଳୁଛି । କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖା ଯାଉ ନ ଥିବା ଦେଖିବାକୁ ମିଳୁଛି । ବୋତଲରେ ବିକ୍ରି ହେଉଥିବା ପାଣିର ଟିଡିଏସ ଓ ପିପିଏମ ଯାଂଚ ନକରି ହାଲୁକା ନୀଳ ରଙ୍ଗ କରିବାକୁ ସେଥିରେ କେମିକାଲ୍ ମିସାଇ ବୋତଲ ଭର୍ତି କରି ବେପାର ଚଳାଇଛନ୍ତି ।


ଗବେଷକ ଅଧ୍ୟାପକ ଆର୍ତତ୍ରାଣ ପାତ୍ର କହିଛନ୍ତି, କୀଟାଣୁନାଶକ ବା ଅନ୍ୟ ଅର୍ଥରେ ଶୁଦ୍ଧ ବୋଲି କହି ବୋତଲ ପାଣିର ବିକ୍ରି ଚାଲିଛି । ବୋତଲ ବା ପାଉଚରେ ବିକ୍ରି ହେଉଥିବା ପାଣି ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଥିଲେ ମଧ୍ୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଶୁଦ୍ଧ ବୋଲି କୁହାଯାଇ ବିକ୍ରି ହେଉଥିବା ବୋତଲ ପାଣିର ଶୁଦ୍ଧତାର ମାତ୍ରା କମ ରହୁଥିବା ବେଳେ ଟିଡିଏସ୍ ଲେବୁଲ ପିଇବା ପାଇଁ ଅସୁରକ୍ଷିତ ରହୁଛି । ନାଚୁରାଲ୍ ରିସୋର୍ସେସ୍ ଡିଫେନ୍ସ କାଉନ୍‌ସିଲ୍‌ର ଅଧ୍ୟୟନରୁ ଜଣାପଡିଛି ଯେ, ବୋତଲ ପାଣି ଓ ସାଧାରଣ ପାଣି ପ୍ରାୟତଃ ସମାନ । ମିନେରାଲ୍ ୱାଟର ନାମରେ ବିକ୍ରି ହେଉଥିବା ବୋତଲ ପାଣି ପାଇଁ ବ୍ୟବହୃତ ହେଉଥିବା ବୋତଲର ପ୍ରସ୍ତୁତି ବେଳେ ଏକ ବିଶେଷ ରସାୟନ ପେଥଲେଟସ୍‌ର ବ୍ୟବହାର କରାଯାଏ । ଏହି ରସାୟନ ବୋତଲକୁ ମୁଲାୟମ ରଖିବାରେ ସାହାଯ୍ୟ କରିଥାଏ । ଏହି ରସାୟନ ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖେଳଣା ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହି ରସାୟନ ପାଣିରେ ମିଶିଯାଏ ଓ ଆମ ଶରୀରକୁ ଗଲେ ଅନେକ ପ୍ରକାର କୁପ୍ରଭାବ ଦେଖାଇଥାଏ । ଆଂଟିମନି ନାମକ ରସାୟନରୁ ପ୍ରସ୍ତୁତ ବୋତଲରେ ପାଣି ରଖାଗଲେ ପାଣି ଯେତିକି ପୁରୁଣା ହେବ ଆଂଟିମନିର ମାତ୍ରା ସେତିକି ବଢ଼ିବ । ଏଣୁ ଏହାର ବ୍ୟବହାର ଶରୀର ପାଇଁ କ୍ଷତିକାରକ ।


ସାମାଜିକ କର୍ମୀ ଅନନ୍ତ ଦାଶ କହିଛନ୍ତି, ବର୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ । ଏଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହରକୁ ଆସୁଥିବା ଗ୍ରାମାଂଚଳର ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩/୪ଦିନ ହେଲା ଜଳଛତ୍ର ଖୋଲିଛି, ଲୋକଙ୍କୁ ପିଇବା ପାଣି ଦିଆଯାଉଛି । ମାତ୍ର ପ୍ରଶାସନର ଯୋଉଁ ଜଳଛତ୍ର ଖୋଲି ପିଇବା ପାଣି ବୋଲି ଲେଖା ଯାଇଛି ଅତ୍ୟନ୍ତ ପକ୍ଷେ ପିଇବା ଅନୁପଯୋଗି ବୋଲି ଏହାର ଟିଡିଏସ ଯାଂଚରୁ ଜଣାପଡିଛି ଦେଖାଯାଇଛି ।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଗୋଟିଏ କଥା ସତ୍ୟ ଯେ ମାଠିଆ ବା ସୁରେଇର ପାଣିଠାରୁ ବୋତଲ ପାଣି ଉତ୍କୃଷ୍ଟ ନୁହେଁ । ବୋତଲ ପାଣିର ଆବଶ୍ୟକତା ଶୁଦ୍ଧତା ଏବଂ ସ୍ୱଚ୍ଛତା ପରିବର୍ତେ ଫେଶନ୍ ଏବଂ ଷ୍ଟାଟସ୍‌ର ସିମ୍ବଲରେ ପରିଣତ ହେବାରେ ଲାଗିଲାଣି । ପ୍ରତିଦିନ ଲକ୍ଷାଧିକ ବୋତଲ ପାଣି ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି, ଯାହା ପରିବେଶ ପାଇଁ ସଙ୍କଟ ସୃଷ୍ଟି କରୁଛି । କିନ୍ତୁ ଆମ ସରକାର ଏ ଦିଗରେ ଆଖି ବୁଜି ଦେଇଛନ୍ତି । ବୋତଲ ପାଣିର ବିକ୍ରି ବନ୍ଦ କରାଗଲେ ପ୍ଲାଷ୍ଟିକ୍ ଆବର୍ଜନା ମଧ୍ୟ କମିଯାଆନ୍ତା । କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରନ୍ତେ । ଅନ୍ୟପକ୍ଷରେ ଜନସାଧାରଣ ନା ସରକାର ନଦୀଜଳ, ଜଳଉତ୍ସ ସବୁକୁ ସଫା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି । ଏହା ହେଲେ ସମସ୍ତଙ୍କୁ ଶୁଦ୍ଧ ପାନୀୟଜଳ ମିଳିପାରନ୍ତା । ଏବାଦରେ ଫୁଡ ଇନସପେକ୍ଟର ବିଭାସ ମଜୁମଦାରଙ୍କୁ ପଚାରିବାରେ ବେଆଇନ ପାଣି କାରବାର ଉପରେ ପ୍ରଶାସନିକ ଯାଂଚ ହେବ ବୋଲି କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading