ଜିଲ୍ଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା


କେନ୍ଦ୍ରାପଡା, ୭/୫: ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆଠାରେ ଗତ ରବିବାର ଦିବା ୧୦ଘଟିକା ସମୟରେ ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରୀ ସଭାପତିତ୍ୱ କରିଥିଲେ । ଉକ୍ତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଓ ବର୍ତ୍ତମାନ ଶିକ୍ଷକ ତଥା ଭୁବନେଶ୍ୱର ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ସହକାରୀ ନିର୍ଦ୍ଦେଶକ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ଏଠାରୁ ବିଦାୟକାଳୀନ ଓ ଭୁବନେଶ୍ୱରଠାରେ ନୂତନ ପଦୋନ୍ନତିର ଦାୟିତ୍ୱ ନେବା ନିମନ୍ତେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାର ପରମ୍ପରାକୁ ବ୍ରତଭାବେ ଗ୍ରହଣ କଲେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ହେବ ବୋଲି କହିଥିଲେ । ଶିକ୍ଷାକ୍ଷେତ୍ରରେ କେନ୍ଦ୍ରାପଡାର ସୁନାମ ଅର୍ଜନ ପାଇଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନଙ୍କ ସହଯୋଗ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ତାଙ୍କର ଅଭିଭାଷଣରେ ପ୍ରକାଶ କରିଥିଲେ ଯେ କେନ୍ଦ୍ରାପଡାର ଶୈକ୍ଷିକ ବାତାବରଣ ସହିତ ସେ ଏତେ ଜଡିତ ଥିଲେ ଯେ ସ୍ନେହଶ୍ରଦ୍ଧାର ବନ୍ଧନରେ ବାନ୍ଧି ହୋଇ ଶିକ୍ଷାର ପ୍ରଗତିର ରଥକୁ ଆଗେଇ ନେବାପାଇଁ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନଙ୍କର ସହାୟତା, ଶିକ୍ଷକମାନଙ୍କର ସହଯୋଗ ଓ ଉତ୍ସର୍ଗୀକୃତ ମନୋଭାବର ନିଦର୍ଶନ ଦେଖିଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଆନ୍ଦୋଳନକୁ ଆହୁରି ଶାଣିତ କରି ଆଗେଇ ନେଲେ ଜାତୀୟ ଶିକ୍ଷାନୀତି-୨୦୨୦ ସଫଳ ହେବ ବୋଲି ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜିଲ୍ଲାର ଶୈକ୍ଷିକ କ୍ଷେତ୍ରକୁ ସୁଦୃଢ କରିବା ପାଇଁ ସମସ୍ତ ଶିକ୍ଷକ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନଙ୍କର ସହଯୋଗ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଶିକ୍ଷାନୀତିକୁ ସାର୍ବଜନୀନ କରିବା ଓ ଶିଶୁମାନଙ୍କର ସର୍ବାଙ୍ଗୀନ ବିକାଶ ଆମର ପରମ ଲକ୍ଷ୍ୟ ହେବା ଆବଶ୍ୟକ । ଏହି ସଭାରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଖଗେଶ୍ୱର ପଢିହାରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଚ୍ୟୁତାନନ୍ଦ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ମାନପତ୍ର ପଠନ କରିଥିଲେ । ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଯଥା କନକଲତା ପୃଷ୍ଟି, ମଧୁସୂଦନ ସାର, ମହମ୍ମଦ ଅଜଗର ଅଲ୍ଲୀ, କିଶୋର ଜେନା, ଗୟାସୁଦ୍ଦିନ, ଦେବାଶିଷ ସା, ପ୍ରଦୀପ ଖଟୁଆ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଡଃ ବ୍ରହ୍ମାଙ୍କର ବିଭିନ୍ନ ଶୈକ୍ଷିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଶେଷରେ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ସଂଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସଭାପତିଙ୍କ ଦ୍ୱାରା ସଭାସଙ୍ଗ ହୋଇଥିଲା ।

 


Next Post

ଜିଲ୍ଲା କଳାକାର ସମ୍ମିଳନୀ

Tue May 7 , 2024
ରାଜ୍ୟ ସରକାର କଳାକାର ଭତା ବୃଦ୍ଧି ଠାରୁ ଆରମ୍ଭ କରି କଳା, ସାହିତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କଳାକାରମାନଙ୍କ ଅକୁଣ୍ଠ ସମର୍ଥନ ହାସଲ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା କଳା ସାହିତ୍ୟ, ସଂସ୍କୃତି ପରିଷଦ ପକ୍ଷରୁ ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା […]

KANIKA