ପାଣି ପାଇଁ ପରକୁଳବାସୀ ଦହଗଞ୍ଜ


କେନ୍ଦ୍ରାପଡା, ୧୯/୬: ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଇଛି । ଏଥିପାଇଁ ସରକାରୀ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପମ୍ପ ଡ୍ରାଇଭରଙ୍କ ମନମାନି ଓ ବ୍ୟବସ୍ଥାଗତ ତୃଟି ଯୋଗୁଁ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ପମ୍ପଚାଳକ ନିଜ ମର୍ଜିରେ ପାଣି ଯୋଗାଣ କରୁଛନ୍ତି । ମନ ହେଲେ ଦେଉଛନ୍ତି, ନହେଲେ ନାହିଁ । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ପାଣି ମୁନ୍ଦେ ପାଇବାକୁ ଲୋକେ ଡହଳ ବିକଳ ହେଉଛନ୍ତି । କେତତେବେଳେ ସକାଳେ ତ ପୁଣି କେତେବେଳେ ଦିନ ୧୨ଟାରେ ପାଣି ମିଳୁଛି । ଯାହା ବି ପାଣି ଆସୁଛି ନଆସିବା ଭଳି । ବାଲ୍‌ଟିଏ ପାଣି ପୂର୍ଣ୍ଣବ ହେବାକୁ ଦୁଇ ଘଣ୍ଟା ସମୟ ଲାଗିଯାଉଛି । ଗାଁର ତଳମୁଣ୍ଡରେ ଆଦୌ ପାଣି ପହଞ୍ଚୁନାହିଁ । ଚିତ୍ରୋତ୍ପଳା ନଈକୂଳରେ ରହି ମଧ୍ୟ ଶୋଷ ମେଣ୍ଟୁ ନାହିଁ ପରକୁଳା ଗ୍ରାମବାସୀଙ୍କର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅଧୀନ ପରକୁଳା ପଞ୍ଚାୟତରେ ବାରମ୍ବାର ଏକଥା ଜଣାଇ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀମାନେ ଏନେଇ କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆର୍‌ଡବ୍ଲୁଏସ୍‌ଏସ୍‌) ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରି ତଦନ୍ତ ପୂର୍ବକ ତ୍ୱରିତ ପ୍ରତିକାର ପାଇଁ ନିବେଦନ କରିଛନ୍ତି । ଏଥିସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ କରିବାକୁ ମହାକାଳପଡା ବିଧାୟକ, କେନ୍ଦ୍ରାପଡା ଜିଲ୍ଲାପାଳ ଓ ମାର୍ଶାଘାଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପରକୁଳା ପଞ୍ଚାୟତର ୨ଟି ପୃଥକ୍ ସ୍ଥାନ ପରକୁଳା ଓ ନାରାୟଣପୁରରେ ବୋରିଂ ପଏଣ୍ଟ ନିର୍ମାଣ କରାଯାଇ ୧୮ଟି ୱାର୍ଡକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଣର ବନ୍ଦୋବସ୍ତ କରାଯାଇଛି । ପରକୁଳାରେ ଥିବା ବୋରିଂ ପଏଣ୍ଟରୁ ପରକୁଳା, ପିକରାଳି ଓ ନାରାୟଣପୁରରେ ଥିବା ବୋରିଂ ପଏଣ୍ଟରୁ ନାରାୟଣପୁର ଓ ଆଙ୍କୋକୁ ପାଣି ଯୋଗାଉଛି । ତେବେ ପରକୁଳା ଗ୍ରାମର କିଛି ୱାର୍ଡକୁ ପାଣି ଯୋଗାଣ ସମ୍ଭବପର ହୋଇପାରୁ ନାହିଁ । ନାରାୟଣପୁରରେ ଓଭରହେଡ ଟାଙ୍କି ଥିବା ବେଳେ ପରକୁଳାରେ ଅଦ୍ୟାବଧି ଟାଙ୍କି ନିର୍ମାଣ ହୋଇପାରି ନାହିଁ । ପରକୁଳା ରାଜସ୍ୱ ଗ୍ରାମରେ ପ୍ରାୟ ୩ ହଜାର ଲୋକ ବସବାସ କରୁଥିବା ବେଳେ ଏଠାରେ ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି । ଗାଁରେ ଥିବା ନଳକୂଅର ପାଣି ସ୍ୱାସ୍ଥ୍ୟ ଉପଯୋଗୀ ନୁହେଁ । ନଳକୂଅ ପାଇପ୍‌ରେ କପଡା ନ ବାନ୍ଧିଲେ ତାହା ବ୍ୟବହାର କରି ହେଉନାହିଁ । ଏଥିରୁ ଲୁଣି ଓ ଲୋମଯୁକ୍ତ ପାଣି ବାହାରୁଛି । ଗାଁ ଲୋକେ ପାଇପ ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ପମ୍ପ ଚାଳକ ମନଇଚ୍ଛା ଜଳ ଯୋଗାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ପାଣି ମୁନ୍ଦେ ପାଇବାକୁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହାଛଡା ଅନେକ ସ୍ଥାନରେ ପାଣିର ଅପବ୍ୟବହାର କରାଯାଉଥିବା, କେତେକ ଲୋକ ବେଆଇନ ସଂଯୋଗ ନେଇଥିବା ହେତୁ ଗାଁର ତଳମୁଣ୍ଡରେ ପାଣି ପହଞ୍ଚି ପାରୁନାହିଁ । ପୁଣି ପାଣିର ଧାର ଧିମା ରହୁଥିବାରୁ ବାଲ୍‌ଟିଏ ପାଣି ଭର୍ତ୍ତି ହେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସବୁ ୱାର୍ଡରେ ଦୁଇ ବେଳା ଘଣ୍ଟାଏ ଲେଖାଏଁ ପାଣି ଯୋଗାଣ ସୁଦ୍ଧା କରାଯାଉ ନାହିଁ । ମନ ଇଚ୍ଛା କେଉଁଠାରେ ଅଧ ଘଣ୍ଟାଏ ତ ପୁଣ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ପାଣି ଦିଆଯାଉଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସମ୍ପୃକ୍ତ ପମ୍ପ ଚାଳକଙ୍କୁ ବଦଳି କରି ନୂଆ ପମ୍ପ ଚାଳକଙ୍କୁ ନିଯୁକ୍ତି ପାଇଁ ବିଭାଗ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ । ଏସବୁ ସମସ୍ୟା ବାବଦରେ ସରପଞ୍ଚ ଦୀପ୍ତି ରଞ୍ଜନ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି କି, ଏବେ ପଞ୍ଚାୟତରେ ୨ଟି ବୋରିଂ ପଏଣ୍ଟ କାର୍ଯ୍ୟକ୍ଷମ ଅଛି । ପରକୁଳା ଓ ପିକରାଳିରେ ଆଉ ଦୁଇଟି ବୋରିଂ ପଏଣ୍ଟ ଓ ଏକ ଓଭରହେଡ ଟାଙ୍କି ନିର୍ମାଣ ଚାଲିଛି । ୨ରୁ ୩ ମାସ ମଧ୍ୟରେ କାମ ସରିଯିବ ଓ ସମସ୍ୟା ଆଉ ରହିବନାହିଁ । ପମ୍ପ ଡ୍ରାଇଭରଙ୍କ ମନମାନି ସମ୍ପର୍କରେ ସେ ତଦନ୍ତ କରି ପଦକ୍ଷେପ ନେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏ ନେଇ ଆର୍‌ଡବ୍ଲୁଏସ୍‌ଏସ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି କି, ଅଭିଯୋଗ ସମ୍ପର୍କରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ସହ ସେ କଥାହେବେ । ଗ୍ରାମବାସୀଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯିବ ।


Next Post

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଏକ୍ସ କାଡର୍ ଶିକ୍ଷକ ମହାସଂଘ

Wed Jun 19 , 2024
କେନ୍ଦ୍ରାପଡା, ୧୯/୬: ମଙ୍ଗଳବାର ଦିନ ଆମ କେନ୍ଦ୍ରାପଡା ଜିଲ୍ଲା ଏକ୍ସ କାଡର୍ ଶିକ୍ଷକ ମହାସଂଘ ତରଫରୁ ଆମ ରାଜ୍ୟର ନୂତନ ଗଣଶିକ୍ଷା ମନ୍ତ୍ରୀ ସମ୍ମାନୀୟ ନିତ୍ୟାନନ୍ଦ ଗଣ୍ଡ ଏବଂ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଯୁବ ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟ, କର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତ, ଗଣମାଧ୍ୟମ ସଂଯୋଜକ ଶ୍ରୀଚନ୍ଦନ ଓଝା, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ଲାହା, […]

You May Like