
କେନ୍ଦ୍ରାପଡା ଜିଲାର ବିଣିଜ୍ୟକ ପେଣ୍ଠସ୍ଥଳି ପଟ୍ଟାମୁଣ୍ଡାଇରେ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ନେଇ ପୌରପରିଷଦ ପକ୍ଷରୁ ଦୀର୍ଘସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ସଚେତନତା କ୍ୟାମ୍ପ ଠାରୁ ଆରମ୍ଭ କରି ଘରେ ଘରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ତାଲିମ ମଧ୍ୟ ଦିଆଯାଉଛି । ହେଲେ ତାହା ଅଧିକାଂଶରେ ବିଫଳ ହେଉଥିବାର ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଇ-ଟଏଲେଟ । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଟଏଲେଟ ବନ୍ଦ ରହିଥିବାବେଳେ ପବ୍ଲିକ ଟଏଲେଟ ଗୁଡିକ ନିର୍ମାଣଦିନରୁ ତାଲା ପଡି କେଉଁଠି ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଉପଯୋଗୀ ନହୋଇ ପଡିରହିଛି । ପ୍ରତିଦିନ ପଟ୍ଟାମୁଣ୍ଡାଇକୁ ବ୍ୟବସାୟ ଏବଂ ଭିନ୍ନ କାର୍ଯ୍ୟ ପଇଁ ଆସୁଥିବା ହଜାର ହଜାର ସଂଖ୍ୟାରେ ଲୋକ ପାଇଖାନା ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ସାମାଜିକ କର୍ମୀ ପ୍ରବୀର ନାୟକ, ପଟ୍ଟାମୁଣ୍ଡାଇ ସହରକୁ ସ୍ୱଚ୍ଛ ସୁନ୍ଦର କରି ଗଢିତୋଳିବା ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେପରି ବାହ୍ୟ ମଳମୁକ୍ତ ଅଂଚଳ କରାଯାଇ ପାରିବ ସେଥିପାଇଁ ଇ-ଟଏଲେଟ୍ର ବ୍ୟବସ୍ଥା ରହିଛି । ମାତ୍ର ସଚେତନତା ଅଭାବ ଓ ପରିଚାଳନାଗତ ତ୍ରୁଟି କାରଣରୁ ଏହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ । ଫଳରେ ଅଧିକାଂଶ ଇ-ଟଏଲେଟ୍ ଅଚଳାବସ୍ଥାରେ ପଡ଼ି ରହିଛି । ଇ-ଟଏଲେଟ ଭଳି ସହରରେ ଗୋଷ୍ଠୀ ଶୌଚାଳୟ, ସର୍ବସାଧାରଣ ଟଏଲେଟ୍ ଭଳି ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଟଏଲେଟ୍ ନିର୍ମାଣ କରାଯାଇଥିଲେ ବି ଲୋକମାନେ ବାହାରେ ମଳତ୍ୟାଗ ଓ ପରିସ୍ରା କରୁଛନ୍ତି । ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି ।
ଆଇନଜୀବୀ ପ୍ରମୋଦ ସାହୁ, ୨୦୨୦-୨୧ ଆର୍ଥିକ ବର୍ଷରେ ୧ କୋଟି ୫୧ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ସହରର ୨୦ ସ୍ଥାନରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଇ-ଟଏଲେଟ୍ ୟୁନିଟ୍ ନିର୍ମାଣ କରାଯାଇଥିଲା । ଷ୍ଟିଲରେ ନିର୍ମିତ ମଡ୍ୟୁଲାର ଇ-ଟଏଲେଟ ସମ୍ପୂର୍ଣ୍ଣ ଅଟୋମେଟିକ୍ ଥିବାବେଳେ ଆଉ କେତେକ ସେମି ଅଟୋମେଟିକ ରହିଥିଲା । ଏଥିରେ ସେନ୍ସର ଲାଗିଥିବା ବେଳେ ଟଏଲେଟ୍ ସମୟରେ ଆପେ ପାଣି ଆସିବ ଓ ଆପେ ବନ୍ଦ ହୋଇଯିବ । ସେହିପରି ବ୍ୟବହାର ପୂର୍ବରୁ ଫ୍ଲେର ଅଟୋମେଟିକ୍ ଭାବେ ସଫା ହୋଇଯିବା ଭଳି ସୁବିଧା ଥିଲା ବୋଲି ପୁର୍ବ ପୌରନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ । ମାତ୍ର ଏହି ଇ-ଟଏଲେଟ୍ ନିର୍ମାଣ ହେବା ଦିନରୁ ତାଲାପଡିରହି ଥିବା ବେଳେ ଭାଙ୍ଗିରୁଜି ସେନସର୍ ଅଟୋ ଉପକରଣ ଚୋରି ହୋଇ ଛିନଭିନ୍ନ ହୋଇଗଲାଣି । ଏହି ଇ-ଟଏଲେଟ୍ କାର୍ଯ୍ୟକୁ ମହାରାଷ୍ଟ୍ରର ଏକ ଠିକା ସଂସ୍ଥା ନିର୍ମାଣ କରିଥିଲା । ନିର୍ମାଣ ବେଳେ ପ୍ରତ୍ୟେକ ଟଏଲେଟରେ ୧୦୦୦ ଲିଟରର ୩ଟି ଟାଙ୍କି ବସିଥିବା ବେଳେ ସେଥି ମଧ୍ୟରେ ମଇଳାକୁ ନଷ୍ଟ କରିବା ପାଇଁ ଏକ ତରଳ (ରାସାୟନିକ) ପଦାର୍ଥ ପକାଯାଇଥିଲା । ମାତ୍ର ଏବେ ସମସ୍ତ ଟଏଲେଟରେ ସିମେଂଟ ନନ୍ଦ ବସାଇ ସିନଟେକ୍ସ ଟାଙ୍କି ଉଠାଇ ବିକ୍ରି କରାଯାଇଥିବା ଅଭିଯୋଗ ହେଉଛି । ଏହି ଟଏଲେଟ ନିର୍ମାଣର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ପଟ୍ଟାମୁଣ୍ଡାଇ ସହରରେ ଏତେ ଟଙ୍କା ବ୍ୟୟରେ ଇକୋ-ଟଏଲେଟ ନିର୍ମାଣ କରିବା ଏକ ପ୍ରହସନ ବୋଲି ମତ ପ୍ରକାଶ ପାଉଛି । ୨୦୧୮ ପୌର ପରିଷଦ ଭାଙ୍ଗିବା ପରେ ପୌର ଅଧିକାରୀ ଏପରି ପଦକ୍ଷେପକୁ ସାଧାରଣରେ ଦୃଢ ନିନ୍ଦା କରିଛନ୍ତି ।
ଏ ସମ୍ପର୍କରେ ମାନବ ଅଧିକାର କର୍ମୀ ସୁଶାନ୍ତ କୁମାର ଧଳ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଂଚଲରେ ଶୌଚ କାର୍ଯ୍ୟ କରିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବାରମ୍ବାର ଦାବି ହେବା ପରେ ପୌର ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନାରେ ୨୦ଟି ୱାର୍ଡର ସବୁ ଛକରେ ନିର୍ମାଣ ହୋଇଥିଲା ଗୋଷ୍ଠୀ ଶୌଚାଳୟ । ଗୋଟିଏ ଗୋଟିଏ ପାଇଖାନା ପାଇଁ ୧୨ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୬ ଲକ୍ଷ ଯାଏ ଖର୍ଚ୍ଚ ହୋଇଥିଲ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ମିଳିଛି । ହେଲେ ଦୀର୍ଘଦିନ ବିତି ଯାଇଥିଲେ ବି କୌଣସି ଶୌଚାଳୟ କାର୍ଯ୍ୟକାରୀ ହୋଇପାରିନି । ଫଳରେ ଲୋକେ ବାଧ୍ୟ ହୋଇ ଖୋଲା ସ୍ଥାନକୁ ଶୌଚ ଯିବାକୁ ବାଧ୍ୟ ହେଉଛନ୍ତି । ଶୌଚାଳୟ ଉଦ୍ଘାଟନ ହେବା ଦିନରୁ କାର୍ଯ୍ୟକ୍ଷମ ହୋଇ ନ ପାରି ତାଲା ପକା ଯାଇଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି କୁହନ୍ତି ଇ-ଟଏଲେଟ ବିଷୟରେ କିଛି ଧାରଣା ନାହିଁ ।










