ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୪୧ତମ ପୂଣ୍ୟତିଥି ପାଳିତ / ଗୋକୁଳ ଚନ୍ଦ୍ର ସଂଗୀତ ପକ୍ଷରୁ ଚଳିତ ବର୍ଷ ଠାରୁ ରାଜ୍ୟସ୍ତରୀୟ ,  ବାଣୀକଣ୍ଠ ପ୍ରତିଭା ସମ୍ମାନ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ


କେନ୍ଦ୍ରାପଡ଼ା,୧୯/୭: ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଥିଲେ ଭକ୍ତ କଣ୍ଠଶିଳ୍ପୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ । ସେଥିପାଇଁ ତାଙ୍କୁ ଚାମର ସେବାର ଅଧିକାର ମିଳିଥିଲା । ତାଙ୍କ ଇଚ୍ଛାନୁସାରେ ମହାପ୍ରଭୁ ତାଙ୍କୁ ବାହୁଡ଼ା ଦଶମୀରେ ବାହୁଡ଼େଇ ନେଇଥିଲେ । ସାଲବେଗ ହୁଅନ୍ତୁ କି ଦାସିଆ ବାଉରୀ ହୁଅନ୍ତୁ ମହାପ୍ରଭୁଙ୍କର ପରମ ଭକ୍ତ ଭାବେ ପରିଚିତ ଥିବା ଆମପାଇଁ କଥାବସ୍ତୁ ହୋଇପାରେ କିନ୍ତୁ ଆମ ସମୟରେ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ମହାପ୍ରଭୁଙ୍କ ପରମ ଭକ୍ତ ଭାବେ ଉଦାହରଣ ହୋଇ ରହିଛନ୍ତି । ଓଡ଼ିଆ ଜାତିର ଏହି ପ୍ରଥିତଯଶା ଏହି ଭକ୍ତ କଣ୍ଠଶିଳ୍ପୀ ସ୍ମୃତିକୁ ଉଦ୍‌ଜୀବିତ କରି ରଖିପାରିଲେ ତାହା ଉତ୍ତରପୀଢିକୁ ଠିକଣା ଭାବେ ମାର୍ଗଦର୍ଶନ କରିପାରିବ ବୋଲି ଆଜି ତାଙ୍କ ୪୧ତମ ପୂଣ୍ୟତିଥିରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ ପୂର୍ବକ ବିଶିଷ୍ଟ ବ୍ୟକ୍ତିମାନେ ମତପୋଷଣ କରିଛନ୍ତି । କେନ୍ଦ୍ରାପଡ଼ାର ସର୍ବ ପ୍ରାଚୀନ ସଂଙ୍ଗୀତାନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ପୌରହିତ୍ୟରେ ସଦନର ସଭାଗୃହରେ ଆୟୋଜିତ ବାଣୀକଣ୍ଠ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଥିଲା । ବାଣୀକଣ୍ଠଙ୍କ ଫଟୋଚିତ୍ରରେ ସମୂହ ମାଲ୍ୟାର୍ପଣ ପରେ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସମାରୋହକୁ ଉଦ୍‌ଘାଟନ କରିଥିଲେ । ବାଣୀକଣ୍ଠଙ୍କ ସ୍ୱରସାଧକ ବିଶିଷ୍ଠ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ବରଣ୍ୟ ଅତିଥି ଓ ବାଣୀକଣ୍ଠଙ୍କ ସୁଯୋଗ୍ୟ ଦାୟାଦ ଆଇନଜୀବି ପ୍ରଣବ ହରିଚନ୍ଦନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ସ୍ମୃତି ଚାରଣ କରିଥିଲେ । ସଭାପତି ଶ୍ରୀଦାସ ସ୍ୱାଗତ ଅଭିଭାଷଣ ରଖିବା ସହିତ ଶ୍ରଦ୍ଧା ନିବେଦନ କରିଥିଲେ । ସମାରୋହରେ ବାଣୀକଣ୍ଠଙ୍କ ସଂଗୀତକୁ ବିକୃତ କରାଯିବା ଘଟଣାକୁ ଗଭୀର ନିନ୍ଦା କରାଯାଇଥିଲା । ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଚଳିତ ବର୍ଷ ଠାରୁ ରାଜ୍ୟ ସ୍ତରୀୟ ବାଣୀକଣ୍ଠ ପ୍ରତିଭା ସମ୍ମାନ ପ୍ରଦାନ ପାଇଁ ମୁଖ୍ୟ ଅତିଥି ବିଧାୟକ ଗଣେଶ୍ୱର ବେହେରା ନିଜର ଶ୍ରଦ୍ଧା ନିବେଦନ ଅବସରରେ ପ୍ରସ୍ତାବ ରଖିଥିଲେ । ଏହାକୁ ସଦନ ପକ୍ଷରୁ ଗୃହୀତ କରାଯିବା ସହିତ ଆଗାମୀ ନଭେମ୍ବର ମାସରେ ସଦନର ବାର୍ଷିକ ଉସ୍‌ôବରେ ଚଳିତ ବର୍ଷର ବାଣୀକଣ୍ଠ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ଅବସରରେ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତିପାଠୀ ଓ ତାଙ୍କ ସୁପୁତ୍ର କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ ବାଣୀକଣ୍ଠଙ୍କ ଭଜନ ପରିବେଷଣ କରିଥିଲେ । ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ଭଗବାନ ଶ୍ରୀରାଧାଙ୍କ ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ । ଏହି ଉପଲକ୍ଷେ ସଦନ ପକ୍ଷରୁ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ବାଣୀକଣ୍ଠ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀବେହେରା ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ସଦନର ସଂପାଦକ ଉମାକାନ୍ତ ଜେନା,ଉପସଭାପତି ସମୀର ରଂଜନ ଦାସ,କୋଷାଦ୍ଧକ୍ଷା ତଥା ନୃତ୍ୟଶିଳ୍ପୀ ଭାନୁପ୍ରିୟା ଖଟୁଆ ପ୍ରମୁଖ ପରିଚାଳନା କରିଥିଲେ । ଏହି ସମାରୋହରେ ବହୁ ସହରର ବିଶିଷ୍ଠ ବ୍ୟକ୍ତି,ସଦନର ସଭ୍ୟସଭ୍ୟା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading