ଭୁବନେଶ୍ୱର,୨୫/୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି । । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସିଛି । ନବୀନ କହିଛନ୍ତି, ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି । ମୋ ସରାକାର ସମୟର ୪୦ଟି ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ଅନୁଶୀଳନ ପରେ ବିସ୍ତୃତ ପ୍ରତିକ୍ରିୟା ରଖିବି ବୋଲି ନବୀନ କହିଛନ୍ତି ।
ରାଜ୍ୟ ସରକାର ପୂର୍ବ ସରକାର ସମୟରେ ପ୍ରଚଳିତ କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଢାଞ୍ଚାରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପ୍ରଚଳନ କରିଛନ୍ତି । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ସରକାର । ମେକ ଇନ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ ରଖାଯାଇଛି ।
ମୋ ସ୍କୁଲ ନାଁ ବଦଳାଯାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ କରାଯାଇଛି । ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ବ୍ୟୟ ବରାଦ ହୋଇଛି ।ସରକାର ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଂଚଳ ପରିବହନ’ ଯୋଜନା, ଆମ ଓ ନବୀନ ଓ ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଘୋଷଣା କରିଛନ୍ତି ।
ଅନ୍ୟପଟେ କଂଗ୍ରେସ ମଧ୍ୟ ବଜେଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଗରିବଙ୍କୁ ମାରିବାକୁ ଏ ବଜେଟ ହୋଇଛି । ଖାଲି ନାଁ ବଦଳେଇଛନ୍ତି । ଏ ବଜେଟରେ କିଛି ନୂତନତ୍ୱ ନାହିଁ । ବଜେଟରେ ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ । ଏହା ଖାଲି ହାୱା ବୋଲି କଂଗ୍ରେସ ନେତା କହିଛନ୍ତି ।