ଶଙ୍କଟରେ ଶିକ୍ଷା ୧୦+୨+୩ ନୁହେଁ ୫+୩+୩+୪ ଏବେ ଲାଗୁ ହେବ


ଶିକ୍ଷା ଏକ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟ । ମାତ୍ର ନୂତନ ଶିକ୍ଷା ନୀତି-୨୦୨୦ ରେ ରାଜ୍ୟର ଭୂମିକାକୁ ନ୍ୟୁନ କରି କେନ୍ଦ୍ର ହାତରେ ଅଧିକ କ୍ଷମତା ଠୁଳ କରିବାକୁ ନରେନ୍ଦ୍ର ମୋଦିଙ୍କ ସରକାର ଚେଷ୍ଟା କରିଛନ୍ତି । ଏହାର ଅପ୍ରୀତିକର ଫଳ ଦେଖିବାକୁ ମିଳିଛି ତାମିଲନାଡ଼ୁରେ । ମେଡିକାଲ କଲେଜରେ ନାମଲେଖା ପାଇଁ କେନ୍ଦ୍ର ସରକାର ପ୍ରବର୍ତିତ କରିଥିବା ସର୍ବଭାରତୀୟ ନିଟ୍ ପରୀକ୍ଷାକୁ ପ୍ରତ୍ୟାଖ୍ୟାନ କରି ତାମିଲନାଡ଼ୁ ବଧାନସଭାରେ ଏକ ବିଲ୍ ପାସ୍ ହୋଇଛି । ନିଟ୍ ମାଧ୍ୟମରେ ନୁହେଁ , ଯୁକ୍ତ-ଦୁଇ ମାର୍କକୁ ବିଚାରକୁ ନେଇ ମେଡିକାଲ କଲେଜରେ ନାମଲେଖା ଯିବ ବୋଲି ସ୍ଥିର ହୋଇଛି । କେବଳ ତାମିଲନାଡ଼ୁ ନୁହେଁ, ଅନ୍ଧ୍ର, ଗୁଜୁରାଟ ଓ ମହାରାଷ୍ଟ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ନିଟ୍ ପରୀକ୍ଷାକୁ ବିରୋଧ କରିଛନ୍ତି । ସାମ୍ବିଧାନିକ ପ୍ରତିବନ୍ଧକ ଏଡ଼ାଇବାକୁ କେନ୍ଦ୍ର ସରକାର ନିଟ୍ ପରି କେତେଗୁଡ଼ିଏ ସର୍ବଭାରତୀୟ ପ୍ରତିଷ୍ଠାନ ଗଠନ କରି ରାଜ୍ୟଗୁଡ଼ିକର କ୍ଷମତାକୁ ସଂକୁଚିତ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏକ ଘଟଣା ସାରା ଦେଶରେ ବର୍ତମାନ ବେଶ୍ ଚର୍ଚ୍ଚିତ ହୋଇଛି । ରାମାୟଣ, ମହାଭାରତ ଓ ରାମଚରିତ ମାନସକୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ଡଃ ମୋହନ ଯାଦବ ଘୋଷଣା କରିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟ ସିଲାବସ୍ କମିଟି କୁଆଡ଼େ ଏହା ସୁପାରିଶ କରିଛି । ବିଜ୍ଞାନ ଭିତରେ ଅବୈଜ୍ଞାନିକ ଚିନ୍ତାଧାରା! ଲୋହିତ ଗ୍ରହକୁ ହାତ ବଢ଼ାଉଥିବା ଦେଶର ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତୀମାନେ ଏହା ଦ୍ୱାରା ଯେ ଲୋହିତ ସାଗରରେ ଭାସିଯିବେ, ଏହା ଜଳ ଜଳ କରି ଦେଖାଯାଉଛି । ଶିକ୍ଷା ବିକାଶର ଚାବିକାଠି । ସାତ ଦଶନ୍ଧିର ପରୀକ୍ଷା ନିରୀକ୍ଷା ପରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଯଦି ଆଶାନୁରୂପ ଉନ୍ନତି ନ ହୋଇ ପାରିଲା, ତେବେ ଦେଶର ‘ବିକାଶ’ କେବଳ ଏକ ଦିବାସ୍ୱପ୍ନ ହୋଇ ରହିଯିବ । ସମ୍ପ୍ରତି ତାଲିବାନ ଶାସିତ ଆଫଗାନିସ୍ତାନରେ ଶିକ୍ଷା କ୍ଷେତ୍ରରେ ଯେପରି ଚଡ଼କ ପଡ଼ିଛି ସେହିପରି ଆମ ଶିକ୍ଷା ବହୁ ବର୍ଷ ପଛକୁ ଫେରିଯିବ । ସରକାର ଘୋଷଣା କରିଥିବା ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥା ଏଥି ପାଇଁ ଉତରଦାୟୀ ହେବ, କିନ୍ତୁ ସରକାର ଉତରଦାୟୀ ହେବେ ନାହିଁ । ସରକାରୀ ହାତରୁ ଶିକ୍ଷା ଚାଲିଯାଇ ଘରୋଇ ହାତରେ ରହିବ । କେତେ ଗୁଡ଼ିଏ ବିଦ୍ୟାଳୟକୁ ନେଇ ‘ସ୍କୁଲ୍ କମ୍ପେ୍ଲକ୍ସ’ ଗଠନ ହେବ । ଗୋଟିଏ ବିଦ୍ୟାଳୟର ଶିକ୍ଷକ କମ୍ପେ୍ଲକ୍ସ ଅନ୍ତର୍ଗଚ ଏକାଧିକ ବିଦ୍ୟାଳୟରେ ଶିକ୍ଷାଦାନ କରିବେ । ଶିକ୍ଷାନୀତିର ପାରା-୭ ଅନୁଯାୟୀ ଅଳ୍ପ ସଂଖ୍ୟକ ଲୋକ ବାସ କରୁଥିବା ଅଂଚଳରେ ବିଦ୍ୟାଳୟକୁ ସବୁଦିନ ପାଇଁ ବନ୍ଦ କରି ଦିଆଯିବ । ଏବେ ତ ସାରା ଦେଶରେ ଏହି ଅଭିଯାନ ଚାଲିଛି । ୟୁଡାଇସ୍ ତଥ୍ୟ ଅନୁଯାୟୀ ୨୦୨୦ ସୁଦ୍ଧା ଦେଶରେ ୪୩,୨୯୨ ଟି ସରକାରୀ ବିଦ୍ୟାଳୟ ଲୋପ ପାଇଯାଇଛି । ମଧ୍ୟପ୍ରଦେଶରେ ସର୍ବାଧିକ ଏହି ସଂଖ୍ୟା ୨୦,୬୦୦ ହୋଇଥିବା ସ୍ଥଳେ ଉତରପ୍ରଦେଶରେ ୧୯,୦୦୦ରେ ପହଂଚିଛି । ଆମ ଓଡ଼ିଶାରେ ପ୍ରାୟ ୮,୦୦୦ ସରକାରୀ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ଏଥି ଯୋଗୁଁ ଦେଶରେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ଗତ ଦଶ ବର୍ଷ ମଧ୍ୟରେ ୧୩.୫ କୋଟିରୁ ହ୍ରାସ ପାଇ ୧୨.୨ କୋଟିରେ ପହଂଚିଛି । ବିଦ୍ୟାଳୟ ଉଚ୍ଛେଦ ସାଙ୍ଗକୁ ସ୍କୁଲ କମ୍ପ୍ଲକ୍ସ ଗଠନ ଓ ଘରୋଇ ହାତକୁ କ୍ଷମତା ପ୍ରଦାନ ଦେଶର ଶିକ୍ଷା କ୍ଷେତ୍ରରେ ହାହାକାର ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ଅଛି । ସମସ୍ତ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ପାଇଁ ଶିକ୍ଷା ଅଧିକାର ଆଇନ୍‌-୨୦୦୯ ପ୍ରଣୟନ ହେଲା । ତା ସତ୍ୱେ ୨୪ କୋଟି ୭ ଲକ୍ଷ ପିଲା ସ୍କୁଲ୍ ବାହାରେ ରହିଗଲେ । ତଥାପି ସରକାର ଏବେ ଏହି ଦାୟିତ୍ୱରୁ ମୁକ୍ତ ହେବାକୁ ବସିଛନ୍ତି । ସରକାରଙ୍କ ଇସିସିଇ (ବାଲ୍ୟକାଳରୁ ଶିଶୁର ଶିକ୍ଷା ଓ ଯତ୍ନ) ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦିଆଯିବାକୁ ସ୍ଥିର ହୋଇଛି । ଆମେ ତ ଆମ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ିର ଅବସ୍ଥା ଦେଖୁଛନ୍ତି । ଏଠାରେ କେଉଁ ପିଲାମାନେ ପଢ଼ନ୍ତି?ଏଠାରୁ ଦେଶର କି ଭବିଷ୍ୟତ ଗଢ଼ାଯିବ? ଥିଲାବାଲାଙ୍କ ପିଲାମାନେ କେଉଁ ବିଦ୍ୟାଳୟରେ ପଢ଼ିବେ? ଜାତୀୟ ଶିକ୍ଷାନୀତିରେ ଏ ବିଷୟ ଉଲ୍ଲେଖ ନ ଥିଲେ ମଧ୍ୟ ଏହା ଜାଣିବାରେ ଅସୁବିଧା ନାହିଁ । ଶିକ୍ଷାର ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରାଯିବାକୁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରାଯାଇଛି । ଦେଶରେ ହୁ ହୁ ହୋଇ ବେରୋଜଗାରୀ ବଢ଼ୁଥିବା ବେଳେ ‘ନୂତନ ଶିକ୍ଷା ନୀତି ନିଯୁକ୍ତି ଖୋଜୁଥିବା ମଣିଷ ବଦଳରେ ନିଯୁ୍‌କ୍ତି ସୃଷ୍ଟିକାରୀ ମଣିଷ ତିଆରି କରିବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।’ଲୋକାଲ୍ ଫର୍ ଭୋକାଲ୍‌’ ସାଙ୍ଗକୁ ‘ଆତ୍ମନିର୍ଭର’ ସ୍ଲୋଗାନ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତିକୁ ଖୋରାକ ଯୋଗାଇଛି । ‘ଷ୍ଟାର୍ଟ ଅପ୍‌’ କଥା ଆସୁଛି, ‘ଦକ୍ଷତା ବିକାଶ’ କଥା ଆସୁଛି, ମାତ୍ର ବେକାରୀ ବୋଝକୁ ମୁଣ୍ଡରେ ବୋହି ଲକ୍ଷ ଲକ୍ଷ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ନୂତନ ଶିକ୍ଷା ନୀତିରେ ପ୍ରବାସୀ ଶ୍ରମିକଙ୍କ ପିଲାଙ୍କ ପାଇଁ ‘ନାଗରିକ ସମାଜ ସହାୟତାରେ ବିକଳ୍ପ ଓ ସୃଜନଶୀଳ ଶିକ୍ଷା କେନ୍ଦ୍ର’ ପ୍ରତିଷ୍ଠା କଥା କୁହାଯାଇଛି । ମାତ୍ର ଏହି ‘ନାଗରିକ ସମାଜ’ କେଉଁଠି ଅଛି, କିଏ କରିଛି? ଆକାଶକୁ ଟେକା ଫିଙ୍ଗିବା ଭଳି ଏହି ନୀତିଟା ସ୍ଥିର କରାଯାଇଛି । ୧୦+୨+୩ ଅଧପନ୍ତରିଆ ହୋଇଥିବା ବେଳେ ୫+୩+୩+୪ ଏବେ ଲାଗୁ ହେବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟ ପୁସ୍ତକ ରାଜ୍ୟ ସ୍ତରରେ ଚୟନ ନ ହୋଇ କେନ୍ଦ୍ର ସ୍ତରରୁ ହେବ । ଉଚ୍ଚ ଶିକ୍ଷା ଓ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସର୍ବଭାରତୀୟ ସାଧାରଣ ପ୍ରବେଶିକା ପରୀକ୍ଷା (ଏନ୍‌ଟିଏ) ହେବ ।


Discover more from

Subscribe now to keep reading and get access to the full archive.

Continue reading