ଦିନଦ୍ୱିପହରରେ ଭୂଜାଲିରେ ହାଣି ୯ଲକ୍ଷ ଲୁଟ


କେନ୍ଦ୍ରାପଡ଼ା,୨ା୮: ଏକ ଆଳୁଗୋଦାମର ମ୍ୟାନେଜରଙ୍କୁ ସ୍ପଷ୍ଟ ଦିବାଲୋକରେ ଭୂଜାଲିରେ ହାଣି ତାଙ୍କ ପାଖରୁ ୯ଲକ୍ଷ ଟଙ୍କା ଲୁଟି ନେଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଦୈତାରୀ – ପାରାଦୀପ ଜାତୀୟ ରାଜପଥର ଏକ ଢାବା ନିକଟସ୍ଥ ରାସ୍ତା ଉପରେ ଏହି ଲୁଟର ଶୀକାର ହୋଇଛନ୍ତି ଗୋପଛକରେ ଥିବା ଆଳୁ ଗୋଦାମର ମ୍ୟାନେଜର ସୁଶାନ୍ତ ସାହୁ । ଆକ୍ରମଣରେ ସୁଶାନ୍ତ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଖବର ଅନୁଯାୟୀ ବଗଡା ଗ୍ରାମପଞ୍ଚାୟତର ଭୂଇଁପୁର ଗ୍ରାମର ବିଶ୍ୱଜିତ ଦାସଙ୍କ ଗୋପଛକରେ ଥିବା ଆଳୁ ଗୋଦାମରେ ସୁଶାନ୍ତ ମ୍ୟାନେଜର ଅଛନ୍ତି । ସେ ଆଜି ଅପରାହ୍ନରେ ଗୋଦାମରୁ ୯ଲକ୍ଷ ଟଙ୍କା ଗୋଟିଏ ବ୍ୟାଗରେ ନେଇ ଶ୍ୟାମସୁନ୍ଦରପୁର ଛକ ଦେଇ କେନ୍ଦ୍ରାପଡା ସହରରେ ଥିବା ଏଚ.ଡି.ଏଫ.ସି. ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ । ସେ ଦୈତାରୀ – ପାରାଦୀପ ଜାତୀୟ ରାଜପଥର ବିଶ୍ୱାଳ ଢାବା ନିକଟରେ ହୋଇଥିବା ବେଳେ ପଛପଟୁ ଦୁଇଜଣ ଦୁର୍ବୁତ୍ତ ଗୋଟିଏ ବାଇକରେ ଆସି ଏକ ଭୂଜାଲିରେ ପଛପଟ ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲେ । ଫଳରେ ସୁଶାନ୍ତ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ଟଳି ପଡିଥିଲେ । ଏତିକିବେଳେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ସେଠାରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସୁଶାନ୍ତଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଖବରପାଇ କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ଓ ସଦର ଥାନା ଅଧିକାରୀ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଏ ସମ୍ପର୍କରେ ଏସଡିପିଓ ଶ୍ରୀ ମଲ୍ଲିକଙ୍କୁ ପଚାରାଯିବାରେ ସେ କହିଥିଲେ ଯେ ଲୁଟ କରିବା ପରେ ଦୁର୍ବୃତ୍ତମାନେ ଦୁହୁରିଆ ଆଡକୁ ପଳାଇଯାଇଛନ୍ତି । ଆମେ ନିକଟରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚକରି ତଦନ୍ତ କରୁଛୁ । ଖୁବଶୀଘ୍ର ଦୁର୍ବୁତ୍ତମାନଙ୍କୁ ଗିରଫ କରାଯିବ ।

[the_ad id=”11060″]


Next Post

ପୋଖରୀ ନିକଟରୁ କୁମ୍ଭୀରକୁ ଉଦ୍ଧାର କଲା ବନବିଭାଗ

Sat Aug 3 , 2024
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବାରହାପୁର ଗ୍ରାମର କଳ୍ପତରୁ ଖଣ୍ଡୁଆଳଙ୍କ ପୋଖରୀରେ କୁମ୍ଭୀର ପଶିଥିବା ଖବର ପାଇ ବନବିଭାଗର ଏକ ଦଳ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଖୋଜାଯାଇଥିଲା । କୁମ୍ଭୀରଟି ପୋଖରୀ ନିକଟରେ ଥିବା ନାଳରୁ ଧରା ପଡିଥିଲା । ଚାରିଫୁଟ ନଅ ଇଂଚର ମାଈ କୁମ୍ଭୀର । ଏହାକୁ ବାଉଁଶଗଡ ନଦୀରେ ନେଇ ରାଜନଗର ରେଞ୍ଜର କର୍ମଚାରୀମାନେ ଛାଡି ଦେଇଥିବା ଜଣାପଡିଛି । ଏହି କୁମ୍ଭୀରଟି ହଂସୁଆ ନଦୀରୁ […]

You May Like