ସୁଭଦ୍ରା ଯୋଜନା ଫର୍ମ ବଂଟନ ଆରମ୍ଭ ; ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ପାଇଁ ଲମ୍ବା -ଲାଇନ୍‌


ପଟ୍ଟାମୁଣ୍ଡାଇ ୪/୯-ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ଆବେଦନ ପରେ କେ ୱାଇ ସି ଯାଂଚ କରାଯାଇ ହିତାଧିକାରୀ ତାଲିକା ଚୂଡାନ୍ତ ହେବ। ସେପ୍ଟମ୍ବର ୧୭ ତାରିଖରେ ଯୋଜନାର ଶୁଭାରମ୍ଭ କରାଯାଇ କାର୍ଡ ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବା ନେଇ ଗାଇଡଲାଇନ ଆସିବା ପରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ମହିଳାଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏଥିନେଇ ଅଙ୍ଗନୱାଡି କେନ୍ଦ୍ର, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଭିଡ଼ ଲଗିରହିଥିବା ବେଳେ ଯେଉଁ ମହିଳାଙ୍କ ଆଧାର-ମୋବାଇଲ ଲିଙ୍କ ହୋଇନାହିଁ ସେମାନେ ଆଧାର ସଂଶୋଧନ କେନ୍ଦ୍ରରେ ଆଧାର ଅପଡେଟକୁ ନେଇ ହଟହଟା ହେବା ସହ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି।

ପଟ୍ଟାମୁଣ୍ଡାଇ ପୌରାଂଚଳର ୨୦ଟି ୱାଡ ବ୍ଲକର ୩୧ଟି ପଂଚୟତରୁ ମହିଳା ଆସି ଆଧାର ସଂସୋଧନ କାର୍ଯ୍ୟାଳୟରେ ସକାଳୁ ସକାଳୁ ଲମ୍ବା ଲାଇନ ଲଗାଇ ନିଜ ନିଜର ଟୁକନ ନେଇ ଲାଇନରେ ବସି ରହିଛନ୍ତି । କାହାର ଟିପ ଚିହ୍ନ କାମ କରୁନାହି, ତ କାହାର ଆଖି ସ୍କାନ ହୋଇ ପାରୁନାହିଁ । ଏମିତିକି କାହାର ଆଧାର କାର୍ଡ ସହିତ ମୋବାଇଲ ନମ୍ୱର୍ ସଂଯୋଗୀକରଣ ହୋଇନାହିଁ ଅବା କଟିଯାଇଛି । ଯାହା ସୁଭଦ୍ରା ଯୋଜନାରେ ଇ- କେୱାଇସି ପାଇଁ ବାଧ୍ୟତାମୂଳକ ରହିଛି । ଆଉ ଏଥିପାଇଁ ଆଧାର କାର୍ଡ ଅପଡେଟ୍ କରିବାକୁ ପଡୁଛି । ତେଣୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଲୋକେ ସକାଳ ୮ ଟାରେ ଧାଡ଼ିରେ ଠିଆ ହେଉଛନ୍ତି । ଏପରିକି କେତେକ ସ୍ଥାନରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଆଉ ଅନେକ ସ୍ଥାନରେ ଲୋକେ ଏହି ଅସୁବିଧା ଭୋଗୁଛନ୍ତି । କେତେକ ସ୍ଥାନରେ ଠିକ୍ ଭାବରେ ସଂଯୋଗ ହୋଇପାରୁନି । ଏପରିକି ନବ ବିବାହିତ ମହିଳା ମାନେ ଠିକଣା ପରିବର୍ତନ କରୁଛନ୍ତି । ଯାହାକୁ ଅପଡେଟ କରିବା ପାଇଁ ଆଜି ବ୍ଲକ କଲୋନି ପରିସର ମଧ୍ୟରେ ପ୍ରବଳ ଖରାରେ ମହିଳାମାନେ ଛୋଟ ଛୁଆଙ୍କୁ ଧରି ନାହିଁ ନଥିବା ହଟହଟା ହେଉଥିବା ଦେଖିବାକୁ ମିଳିଛି ।ଗ୍ରାମାଂଚଳରେ ରହୁଥିବା ଅନେକ ମହିଳାଙ୍କ ଆଧାରରେ ମୋବାଇଲ ନମ୍ବର ଲିଙ୍କ ହେଇନଥିବାରୁ ଯୋଜନାର ଲାଭ ଉଠେଇବା ନେଇ ସମସ୍ୟା ଦେଖା ଦେଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ବୁଧବାର ପଟ୍ଟାମୁଣ୍ଡାଇ ବିଭିନ୍ନ ଗାଁରେ ସୁଭଦ୍ରା ଯୋଜନାର ଫର୍ମ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଙ୍ଗନବାଡି କର୍ମୀ ଗାଁର ମହିଳା ମାନଙ୍କୁ ସୁଭଦ୍ରା ଯୋଜନାର ଫର୍ମ ବଂଟନ କରିବା ସହ ଫର୍ମ ପୂରଣରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ସୁଭଦ୍ରା ଯୋଜନା ପାଇଁ ପଞ୍ଜୀକରଣ ଓ ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଥିବା ବେଳେ ତାହା ପଟ୍ଟାମୁଣ୍ଡାଇ ଅଂଚଳର ଗାଁ ଗହଳିରେ ଥିବା ଜନସେବା କେନ୍ଦ୍ରରେ ୫୦ ରୁ ୧୦୦ ଟଙ୍କା ନେଉଥିବା ଜଣେ ଆବେଦନ କାରୀ ନିଜ ନାମ ଗୋପନ ରଖି କହିଛନ୍ତି।ପ୍ରକାଶ ଯେ ଆସନ୍ତା ସେପ୍େଟମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ । ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି । ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍େଟମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ । ରାଜ୍ୟର ପ୍ରାୟ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading