କାଳଜୟୀ ଅକ୍ଷୟ ସଂଗୀତ ମଧୁ ମ଼ୂର୍ଚ୍ଛନାରେ ସଭିଏଁ ଝୁମିଲେ ପୁଣ୍ୟ ଜନ୍ମଭୂମିରେ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଉତ୍ସବ



କେନ୍ଦ୍ରାପଡା,୧୪/୧୦: ଓଡିଆ ସଂଗୀତ ଜଗତର ବେତାଜ୍ ବାଦ୍‌ଶାହା, କିମ୍ବଦନ୍ତୀ ସଂଗୀତଜ୍ଞ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ୮୮ତମ ପୁଣ୍ୟ ଜୟନ୍ତୀ ମହୋତ୍ସବ ତାଙ୍କର ଅତିପ୍ରିୟ ଅନୁଷ୍ଠାନ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସଂଗୀତଜ୍ଞ ତଥା ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ତବଲାଗୁରୁ ସମୀର ରଂଜନ ଦାସ ମୁଖ୍ୟ ଅତିଥି, ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ସଭାପତି ନିରଞ୍ଜନ ପରିଡା ମୁଖ୍ୟବକ୍ତା, ସତୀର୍ଥ ସଭାପତି କବି ଅମର ପ୍ରସାଦ ରାଉତ, ପଣ୍ଡିତ ପଦ୍ମନାଭ ଦାଶ ଏବଂ କବି ଡା. ରତ୍ନାକର ମଲିକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଅକ୍ଷୟଙ୍କ କାଳଜୟୀ ସୃଷ୍ଟି ସମ୍ଭାର ଉପରେ ଆଲୋଚନା କରିଥିଲେ । କଣ୍ଠଶିଳ୍ପୀ ତଥା ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ଅକ୍ଷୟଙ୍କୁ ଏକାଧାରରେ ଜଣେ ଶ୍ରେଷ୍ଠ ଗାୟକ, ନାୟକ, ଗୀତିକାର, ନିର୍ଦ୍ଦେଶକ, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା, ପ୍ରଯୋଜକ, ଯନ୍ତ୍ର ସଂଗୀତ ପରିଚାଳକ, ଗାଳ୍ପିକ, କବି, କଥାକାର, ଓ୍ୟୌପନ୍ୟାସିକ, ସର୍ବୋପରି ଜଣେ ସରଳ ମିଷ୍ଠଭାଷୀ ତଥା ସଫଳ ବ୍ୟକ୍ତି ଭାବରେ ବର୍ଣନା କରିଥିଲେ । ସେ କଲମ ଧରିଲେ ଭଲ ଲେଖୁଥିଲେ, ହାର୍ମୋନିୟମ୍ ଧରିଲେ ଭଲ ସ୍ୱର କରୁଥିଲେ ଏବଂ ମାଇକ୍ରୋଫୋନ୍ ଧରିଲେ ଅତି ଭଲ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ । ସେ ଥିଲେ ବାସ୍ତବରେ ଓଡିଆ ସଂଗୀତର ଯାଦୁକର ଆଉ କିମ୍ବଦନ୍ତୀ କଳାକାର । କେନ୍ଦ୍ରାପଡା ଜିଲ୍ଲାର ଚାନ୍ଦୋଳ ନିକଟସ୍ଥ ବାଙ୍କିମୁଣ୍ଡାଇ ଗ୍ରାମରେ ମା କନ୍ତ୍ରେଇଙ୍କ ପୁଣ୍ୟ ପୀଠରେ ଅକ୍ଷୟ ମହାନ୍ତି ୧୯୩୬ ମସିହା ଅକ୍ଟୋବର ମାସ ୧୨ତାରିଖରେ ପିତା ବିଚିତ୍ରାନନ୍ଦ ଏବଂ ମାତା ସୁବର୍ଣା ମଞ୍ଜରୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ । ଉପସ୍ଥିତ ଅକ୍ଷୟ ପ୍ରେମୀମାନଙ୍କ ଗହଣରେ କଣ୍ଠଶିଳ୍ପୀ ବିମଳ ପରିଡା, ଉପେନ୍ଦ୍ର ପାଢୀ, ନିରୁପମା ଜେନା, ଅଜୟ ମହାନ୍ତି, ପ୍ରଶାନ୍ତ ସାମଲ୍‌, ରୂପାଲି ସୂତାର ଏବଂ ଅର୍ଚ୍ଚନା ପରିଡା କିଛି ସମୟଧରି ଅକ୍ଷୟ ସଂଗୀତ ଗାଇ ସମଗ୍ର ପରିବେଶକୁ ଅକ୍ଷୟ ସଂଗୀତମୟ କରି ଦେଇଥିଲେ । ବାଦ୍ୟଯନ୍ତ୍ରରେ ରଂଜନ ବରାଳ, କୁମାର ସିତୁ, ଅମର ବିଶ୍ୱାଳ ସହାୟତା କରିଥିଲେ । ଯା ରେ ଭାସି ଭାସିଯା, ନଉକା ମୋର ଭାସିଯା, ଗୀତର ତାଳେ ତାଳେ ସ୍ମୃତିରେଖା, ରଶ୍ମୀତା, ନିବେଦିତା, କୁସୁମ୍‌, ରାଜଲକ୍ଷ୍ମୀ ଏବଂ ପ୍ରତୀକ୍ଷା ନାୟକ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମେ କଳା ନିକେତନ ପରିସରରେ ଥିବା ଅକ୍ଷୟ ମହାନ୍ତି, ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ କବି ପତ୍ନୀ ସରୋଜିନୀ ପରିଡାଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ଭୀମସେନ ପରିଡା, ଗାୟକ ସୁରେନ୍ଦ୍ର ରାଉତ୍‌, ବାସନ୍ତୀ ମହାପାତ୍ର, ନୃତ୍ୟଗୁରୁ ପ୍ରକାନ୍ତ ମହାରଣା, ସଂଗୀତ ଗୁରୁ ପ୍ରମୋଦ କୁମାର ଦାସ, ଚିତ୍ର ଗୁରୁ ପବନ କୁମାର ଧଳ, ବିଶିଷ୍ଟ ଚିତ୍ରକର ଅଜୟ ପଣ୍ଡା, କବି ଗଗନ ବିହାରୀ ଜେନା, ବିଜୟ ଦାସ, କୁମାର ସିତୁ, ଅମର ବିଶ୍ୱାଳ, ବାଦଲ ମଲିକ, ବିଶାଲ୍ ପରିଡା, ପ୍ରଭାତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ନିରୁପମା, ରଂଜନ, କୁସୁମ୍‌, ନିବେଦିତା, ରାଜଲକ୍ଷ୍ମୀ, ପ୍ରତୀକ୍ଷା, ରଶ୍ମୀତା ଏବଂ ସ୍ମୃତିରେଖାଙ୍କୁ ଅକ୍ଷୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଇଂ ବିଶ୍ୱଜିତ୍ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ବ୍ୟକ୍ତିମାନେ ପୂଜ୍ୟ ପୂଜା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଭାବଗ୍ରାହୀ କଳା ନିକେତନର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।


Next Post

ଦାଦନ ସମସ୍ୟା ଦୂର ହେବ , ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି

Mon Oct 14 , 2024
ଭୁବନେଶ୍ୱର ୧୪/୧୦-ଦାଦନ ରୋକିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଦାଦନ ସମସ୍ୟାର ନିରାକରଣ ପାଇଁ ଦିଗଦର୍ଶନ ଦେବାକୁ ଟାସ୍କଫୋର୍ସ ଗଠନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠିତ ହୋଇଛି। ଟାସ୍କଫୋର୍ସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସଦସ୍ୟ ରହିଛନ୍ତି । ସେହିପରି ପଂଚାୟତିରାଜ ମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ପ୍ରମୁଖ […]

KANIKA