ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ



କେନ୍ଦ୍ରାପଡା,୨୫ା୧୦: ଆଜି ସନ୍ଧ୍ୟା ୬ଟା ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବାତ୍ୟା ପରିଚାଳନା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା କେନ୍ଦ୍ରାପଡା ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ସମର୍ଥ ବର୍ମା ଓ ବିଭିନ୍ନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ କ୍ଷୟକ୍ଷତିର ଠିକ୍ ଆକଳନ କରି ରାଜ୍ୟ ସରକାରଙ୍କୁ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି କୃଷି ଜମି ଜଳମଗ୍ନ ଯୋଗୁଁ ଧାନ ଫସଲ ହାନି ଓ ପନିପରିବା କ୍ଷୟକ୍ଷତିକୁ ସଠିକ୍ ନିରୂପଣ କରିବାକୁ ବିଭିନ୍ନ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ବାତ୍ୟା ପରିଚାଳନା ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବିଜୁଳି ଯୋଗାଣ, ପଶୁ ଖାଦ୍ୟ ଯୋଗାଣ ତଥା ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ଦିଆଯାଉଥିବା ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ଆଦି ବିଷୟରେ ତଥ୍ୟ ରଖିଥିଲେ । ଜିଲ୍ଲାରେ ଯେଉଁ ୭୨ଟି ରାସ୍ତା ଅବରୋଧ ହୋଇଥିଲା ତାହା ଦିନ ୧୨ଟା ସୁଦ୍ଧା ସ୍ୱଭାବିକ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ । ବୈଠକରେ ମହାକାଳପଡା ବିଧାୟକ ଡଃ ଦୁର୍ଗାପ୍ରସନ୍ନ ନାୟକ, ଡିଆଇଜି ଚରଣ ସିଂ ମୀନା, ପୂର୍ବତନ ଜିଲ୍ଲାପାଳ ତଥା ବରିଷ୍ଠ ଅଧିକାରୀ ସମର୍ଥ ବର୍ମା, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ସିଇଓ ଟିପିସିଓଡିଏଲ୍‌, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading