ମନ୍ତ୍ରୀ ଓ ସାଂସଦ ପର୍ଯ୍ୟଟକଙ୍କ ଭଳି ଆସି ବୁଲି ଚାଲିଗଲେ : ବାତ୍ୟା ଦାନା ପରିଚାଳନାରେ ସରକାରଙ୍କ ବିଫଳତା ନେଇ ସାମ୍ବାଦିକ ସମ୍ମିଳନୀ


କେନ୍ଦ୍ରାପଡା,୨୭ା୧୦- ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜନଗର ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ରାଜନଗର ବ୍ଲକ ସାନବଡଗୋପାଳପୁର ପଚାଂୟତ ତ୍ରିନାଥ ବଜାର ପୂର୍ତ ବିଭାଗ ବଙ୍ଗଳା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜନଗର ବିଧାୟକ ଧୃବ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ପାଇଁ ବ୍ୟଗ୍ର ନଥିଲେ । ବରଂ ତାଙ୍କର ଫୋକସ ଥିଲା ପ୍ରଶଂସା ସାଉଁଟିବା ପାଇଁ । ଦୁଃଖ ଓ ପରିତାପର ବିଷୟ ଉପମୁଖ୍ୟମନ୍ତ୍ରୀ ରାଜନଗର ଆସି ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଡାଙ୍ଗମାଳ ଦେଇ ତାଳଚୁଆ ପର୍ଯ୍ୟନ୍ତ ଗଲେ । କୈାଣସି ବାତ୍ୟା ପ୍ରପୀଡିତ ଲୋକମାନଙ୍କୁ ଭେଟିଲେ ନାହିଁ କି ସମବେଦନା ଜଣାଇଲେ ନାହିଁ । ସେହିପରି ବାତ୍ୟା ଛାଡିବାର ଗୋଟିଏ ଦିନ ପରେ ସାଂସଦ ଆସିଲେ । ପର୍ଯ୍ୟଟକଙ୍କ ଭଳି ବୁଲି ଚାଲିଗଲେ । ସବୁଠୁଁ ଅଧିକ କ୍ଷୟକ୍ଷତି ହୋଇଥିବା ପ୍ରଭାତୀ, ପଟାପାରିଆ, ଖାସମୁଣ୍ଡା ପ୍ରଭୃତି ସ୍ଥାନକୁ ଗଲେ ନାହିଁ । ଆଜି ବି ପଟାପାରିଆ ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଘରକୁ ଫେରି ନାହାଁନ୍ତିି । ବାତ୍ୟା ଛାଡିବାର ତିନିଦିନ ପରେ ବି ଅନେକ ଗାଁ ଅନ୍ଧାରରେ ରହିଛି । ବାତ୍ୟା ଆଶ୍ରୟସ୍ଥଳୀରେ ଅବ୍ୟବସ୍ଥା କହିଲେ ନସରେ । ଆଜି ବି ଅନେକ ଲୋକ ପାଣିଘେରରେ ଅଛନ୍ତି । ରଙ୍ଗଣୀ ପଚାଂୟତ ପଟାପାରିଆ ଗାଁର ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରେ ରହିଛନ୍ତି । ଆଜି ପର୍ଯ୍ୟନ୍ତ ସରକାର କ୍ଷତିଗସ୍ତ ଲୋକଙ୍କ ପାଇଁ ରିଲିଫ ଘୋଷଣା କରି ନାହାଁନ୍ତି । ଗୃହପାଳିତ ପଶୁ ବିଶେଷକରି ଗୋରୁଗାଈଙ୍କ ପାଇଁ ଦାନାଟିଏ ମିଳିଲାନାହିଁ । ଘର ଭାଙ୍ଗିଥିବା ଲୋକମାନଙ୍କୁ କ୍ଷୟକ୍ଷତି ତ ଦୂରର କଥା ପଲିଥିନ ଖଣ୍ଡେ ମିଳିଲା ନାହିଁ । କ୍ଷୟକ୍ଷତି ଆକଳନ କରାଯାଇନାହିଁ । ବାତ୍ୟା ଆଶ୍ରୟସ୍ଥଳୀକୁ ଶୁଖିଲା ଖାଦ୍ୟ ଭାବେ ଅନେକ ଜାଗାରେ ପୋକରା ଚୂଡା, ଗମରା ଗୁଡ ଦିଆଯାଇଛି । ତାଛଡ଼ା ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକ ମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଯୋଗାଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଜନସାଧାରଣ ଅଭିଯୋଗ କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ। ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ବାତ୍ୟା ପରିଚାଳନା କରିବା ଉଚିତ । ଦଳମତ ନିର୍ବିଶେଷରେ ବାତ୍ୟା ପରିଚାଳନା କରାଯାଏ । ଯାହା ନବୀନବାବୁ କରି ଆସୁଥିଲେ । ସରକାର ବାତ୍ୟା ପ୍ରପୀଡିତଙ୍କ ପାଇଁ୧୫ଦିନର ରିଲିଫ ଘୋଷଣା କରନ୍ତୁ । କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରନ୍ତୁ । ପଲିଥିନ ଯୋଗାଇ ଦିଅନ୍ତୁ । ବାତ୍ୟାରେ ମୃତ୍ୟୁବରଣ କରିଥିବା ତିନି ପରିବାରଙ୍କୁ ୧୦ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ଦିଆଯାଉ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି, ବାତ୍ୟା କ୍ଷତିଗସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ । ସେ ଏହାକୁ କାର୍ଯ୍ୟକାରୀ କରନ୍ତୁ । ବାତ୍ୟାରେ କ୍ଷତିଗସ୍ତ ମତ୍ସ୍ୟଜିବୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଉ । ନଚେତ ଆମେ ଦାୟିତ୍ୱବାନ ମୁଖ୍ୟ ବିରୋଧିଦଳ ଭାବରେ ସରକାରଙ୍କ ବାତ୍ୟା ପରିଚାଳନା ବିଫଳତାକୁ ଲୋକଲୋଚନକୁ ଆଣି ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ, ଯୁବ ସଭାପତି ତଥା ସମିତି ସଭ୍ୟ ଆର୍ତବନ୍ଧୁ ମହାନ୍ତି, ସରଂପଚ କୈଳାସକୁମାର ପରିଡା, ସୁବାଷ ଦାଶ, ଦିଲ୍ଲୀପକୁମାର ପାତ୍ର, ସଂଜୟ ସ୍ୱାଇଁ, ସରୋଜ ରାଉତ, ସରଂପଚ ଗୋଲେଖ ସ୍ୱାଇଁ, ପ୍ରଦୀପ କୁମାର ଲେଙ୍କା, ଦେବେନ୍ଦ୍ର ଜେନା, ମୋହନ ଦାସ, ପ୍ରମୋଦ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading