ସିଡିପିଓଙ୍କ ନିର୍ଯ୍ୟାତନା ଯୋଗୁଁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟଣା ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ


 

କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡା ଜିଲ୍ଲା ଅଧିନ ଡେରାବିଶ ବ୍ଲକର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ(ଆଇସିଡିଏସ)ର ଜଣେ ଗର୍ଭବତୀ ମହିଳା କର୍ମଚାରୀ(କିରାଣୀ) ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କ ନିର୍ଯାତନା ଯୋଗୁଁ ପିଡିତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଯାଇଥିବା ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାରୁ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ଯେ ଏ ସମ୍ପର୍କରେ ସେ ଗଣମାଧ୍ୟମରୁ ଜାଣିବା ପରେ ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ) ସ୍ନେହଲତା ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସମାଜମଙ୍ଗଳ ଅଧିକାରୀ କହିଛନ୍ତି ଏ ସଂକ୍ରାନ୍ତରେ ସେ ପିଡିତା ବର୍ଷା ପ୍ରିୟଦର୍ଶିନୀଙ୍କ ସହ କଥା ହୋଇ ସମସ୍ତ ବିଷୟ ବୁଝିଛନ୍ତି। ବର୍ଷା ତାଙ୍କୁ କାନ୍ଦି କାନ୍ଦି ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଏହା ଜାଣିବା ପରେ ସେ ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇ ବର୍ଷାଙ୍କୁ କେଉଁଭଳି ଭାବେ ସିଡିପିଓ ନିର୍ଯାତନା ଦେଉଥିଲେ ସେ ସମ୍ପର୍କରେ ଅନ୍ୟ କର୍ମଚାରୀଙ୍କ ପାଖରୁ ପଚାରି ବୁଝିଥିଲେ। ବର୍ଷାଙ୍କର ଯାହା ଅବସ୍ଥା ଥିଲା ସେଭଳି ସ୍ଥିତିରେ କାର୍ଯ୍ୟାଳୟର କର୍ମଚାରୀ ଭାବେ ସିଡିପିଓ ତାଙ୍କୁ ମାନବିକତା ଦେଖାଇବା ବଦଳରେ ଓଲଟା ତାଙ୍କୁ ନିର୍ଯାତନା ଦେଇଥିଲେ। ଫଳରେ ବର୍ଷାଙ୍କର ଗର୍ଭସ୍ଥ ଶିଶୁଟିର ମୃତ୍ୟୁ ଘଟିଲା। ଏ ନେଇ ସବିଶେଷ ରିପୋର୍ଟ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ପିଡିତା ବର୍ଷାଙ୍କୁ ସିଡିପିଓ କିଭଳି ନିର୍ଯାତନା ଦେଇଥିଲେ ଯାହାଫଳରେ ତାଙ୍କର ସାତ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଲା ତାହାର କରୁଣ କାହାଣୀ ପୀଡିତା ବର୍ଣ୍ଣନା କରିଛନ୍ତି । ପୀଡିତା ତାଙ୍କ ବୟାନରେ କହିଛନ୍ତି ଯେ ୨୦୨୧ ମସିହାରୁ ସେ ଏହି ବିଭାଗରେ ଜଣେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଚାକିରୀ କରିବା ଦିନଠୁଁ ସିଡିପିଓ ସ୍ନେହଲତା ସାହୁ ସବୁ ସମୟରେ ତାଙ୍କୁ ନିର୍ଯାତନା ଦେଇଆସୁଛନ୍ତି। ଗତ ତିନିମାସ ହେବ ସିଡିପିଓ ତାଙ୍କୁ ବିଭିନ୍ନ ସମୟରେ ବେଆଇନ୍ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲେ। ଏଥିସହିତ କାର୍ଯ୍ୟାଳୟ ଭିତରେ ତାଙ୍କୁ ଏକ ପ୍ରକାର ନଜରବନ୍ଦୀ କରି ରଖୁଥିଲେ। ଯେତେବେଳେ ତାଙ୍କ ଦେହ ଅସୁସ୍ଥ ହୁଏ ସିଡିପିଓଙ୍କୁ ସେ କହିଲେ ମଧ୍ୟ ସିଡିପିଓ କୁହନ୍ତି ତୁ ଏ ସ୍ଥାନରୁ କେଉଁଠିକୁ ଯାଇପାରିବୁ ନାହିଁ। ଯେଉଁ କାର୍ଯ୍ୟ ଦିଆଯାଇଛି ସେ କାର୍ଯ୍ୟ କେବଳ ଗୋଟିଏ ଜାଗାରେ ବସି କରିବୁ ବୋଲି ଧମକ ଦେଉଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପେଟର ଅସହ୍ୟ ଗର୍ଭ ଯନ୍ତ୍ରଣା ପାଇଥିଲେ । କିନ୍ତୁ ଏ ବିଷୟରେ ସିଡିପିଓଙ୍କୁ ବାରମ୍ବାର ବର୍ଷା କହିଥିଲେ ମଧ୍ୟ ସେ ତାଙ୍କ କଥାକୁ ଶୁଣି ନଥିଲେ । ପରିସ୍ଥିତି ଏପରି ହୋଇଥିଲା ସେ ଚୌକିରେ ବସି ଛଟପଟ ହେଉଥିବା ବେଳେ ସିଡିପିଓ କିନ୍ତୁ ନିଦାବିଷ୍ଣୁ ପାଲଟି ଯାଇଥିଲେ। କାର୍ଯ୍ୟାଳୟର କର୍ମଚାରୀଙ୍କଠାରୁ ଖବର ପାଇ ତାଙ୍କ ବାପା ଓ ଜଣେ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିିଥିଲେ । କିନ୍ତୁ ତାଙ୍କ ବାପା ସିଡିପିଓଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସିଡିପିଓ ତାଙ୍କ କଥା ଶୁଣି ନଥିଲେ। ଅପରପକ୍ଷରେ ତାଙ୍କ ବାପାଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇନଥିଲେ । ବହୁ କଷ୍ଟରେ ଓ ବହୁ ବିଳମ୍ବରେ ବର୍ଷାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ତାଙ୍କର ଏକ ମୃତ ଶିଶୁ ଜନ୍ମ ନେଇଥିଲା। ତାଙ୍କ ପିଲାର ମୃତ୍ୟୁ ପାଇଁ ସିଡିପିଓ ସମ୍ପୂର୍ଣ୍ଣ ଦାୟୀ ବୋଲି ବର୍ଷା କହିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ପୀଡିତାଙ୍କ ବାପା ରବୀନ୍ଦ୍ର ନାୟକଙ୍କ ଠାରୁ ଘଟଣା ସମ୍ପର୍କରେ ଜିଲ୍ଲାପାଳ ନିର୍ଯାତନା ସମ୍ପର୍କରେ ଅଭିଯୋଗ ପାଇଛନ୍ତି। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପୀଡିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ନିକଟରେ ଅଭିଯୋଗ କରିଥିବା ପୀଡିତାଙ୍କ ବାପା ରବୀନ୍ଦ୍ର କହିଛନ୍ତି । ଅଭିଯୋଗ ପାଇବା ପରେ ଓ ଗଣମାଧ୍ୟମରୁ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦେଶ ଦେଇଥିବା ଜଣାପଡିଛି।


Discover more from

Subscribe now to keep reading and get access to the full archive.

Continue reading