କେନ୍ଦ୍ର ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କେନ୍ଦ୍ରାପଡା କଂଗ୍ରେସ



କେନ୍ଦ୍ରାପଡ଼ା,୨୪ା୧୨: ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଜ୍ୟସଭାରେ ଅସମ୍ମାନ କରିବାକୁ ନେଇ କେନ୍ଦ୍ରାପଡା କଂଗ୍ରେସ ତୀବ୍ର ନିନ୍ଦା କରିଛି । ପୃଥିବୀରେ ସମ୍ମାନ ପାଉଥିବା ଏବଂ ଦେଶରେ ପୂଜା ପାଉଥିବା ଦଳିତ, ନିଷ୍ପେଷିତ, ଶ୍ରମିକଙ୍କ ଭଗବାନ ଡ. ଆମ୍ବେଦକର ସମସ୍ତଙ୍କୁ ସମାନ ଅଧିକାର ସମ୍ବିଧାନରେ ଦେଇଛନ୍ତି । ତାଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ଅସମ୍ମାନ କରିବା ଏକ ନିନ୍ଦନୀୟ କାର୍ଯ୍ୟ ହୋଇଥିବାରୁ ସେ ଦେଶବାସୀଙ୍କ ନିକଟରେ ଭୁଲ ମାଗନ୍ତୁ । ତାଙ୍କୁ ଗୃହମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ ବୋଲି ପୂର୍ବତନ ବିଧାୟିକା ତଥା କଂଗ୍ରେସ ନେତ୍ରୀ ଡ. ସିପ୍ରା ମଲ୍ଲିକ ମଙ୍ଗଳବାର ସନ୍ଧ୍ୟାରେ କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଆଦାନୀ ବିରୁଦ୍ଧରେ ଆମେରିକା ସରକାର ୱାରେଣ୍ଟ ଜାରି କରିଥିବା ବେଳେ ବିଜେପି ସରକାର ତାଙ୍କୁ ସୁରକ୍ଷା ଦେଉଛି । ଏଥିପାଇଁ ସମ୍ବିଧାନ ସମ୍ପର୍କରେ ଆଲୋଚନା ସମୟରେ ଆମ୍ବେଦକରଙ୍କୁ ଅସମ୍ମାନ କରିବାକୁ ଗୃହମନ୍ତ୍ରୀ ପଛାଉ ନାହାଁନ୍ତି ବୋଲି ପ୍ରାକ୍ତନ ବିଧାୟିକା ଡ. ମଲ୍ଲିକ କହିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାରେ ତୁରନ୍ତ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ବିଜେପି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡାରେ ପ୍ରବାହିତ ଗୋବରୀ ସଂପ୍ରସାରିତ କେନାଲର ଉନ୍ନତିକରଣ କରିବା ନାଁରେ ତାକୁ ସଙ୍କୁଚିତ କରାଯାଇ ଡ୍ରେନେଜ୍‌ରେ ପରିଣତ କରାଯାଇଛି । ଏହି କେନାଲକୁ ଅତୀତରେ ନାଭିଗେସନ୍ ଭାବେ ବ୍ୟବହାର କରାଯାଉଥିଲା । ଏହାକୁ କଟକ ଜୋବ୍ରା କେନାଲ ଢଙ୍ଗରେ କରିବାକୁ ଡ. ମଲ୍ଲିକ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ହରିଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଦାନୀର ଦୁର୍ନୀତି ଓ କେଳାଙ୍କାରୀକୁ ଲୁଚାଇବା ପାଇଁ ରାହୁଲ ଗାନ୍ଧୀଙ୍କ ପାଟିକୁ ବନ୍ଦ କରିବା ପାଇଁ ଲୋକସଭା ଭଳି ଏକ ମହାନ ଗୃହରେ ବିଜେପି ଗୁଣ୍ଡାଗିରି କରିବାକୁ ନିନ୍ଦା କରିଥିଲେ । ଗଣତନ୍ତ୍ରର ମନ୍ଦିରରେ ଗୁଣ୍ଡାଗିରି କରୁଥିବା ସର୍ଦ୍ଦାର ଗୃହମନ୍ତ୍ରୀଙ୍କୁ ସରକାରରୁ ବହିଷ୍କାର କରାଯାଉ ବୋଲି ଦୁଇ କଂଗ୍ରେସ ନେତା ଦୃଢ ଦାବି କରିଥିଲେ । ଏହି ଦାବିକୁ ନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇବା ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି।


Discover more from

Subscribe now to keep reading and get access to the full archive.

Continue reading