ଭୁଲ ଇଞ୍ଜେକସନରୁ ନାବାଳକର ମୃତ୍ୟୁ ଘଟଣା ଡାକ୍ତରଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା



କେନ୍ଦ୍ରାପଡ଼ା,୨୬ା୧୨: ଭୁଲ ଇଞ୍ଜେକସନ ଦେଇ ନାବାଳକକୁ ହତ୍ୟା କରିଥିବା ଡା. କିଶୋର ମିଶ୍ରଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତ ନାବାଳକ ସୂର୍ଯ୍ୟକାନ୍ତର ପରିବାର ପକ୍ଷରୁ ଗୁରୁବାର ଧାରଣା ଦିଆଯାଇଛି। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନାବାଳକ ସୂର୍ଯ୍ୟକାନ୍ତଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ଠିକ ଇଞ୍ଜେକସନ ଦିଆଯାଇଥିଲେ ସେ ସୁସ୍ଥ ହୋଇଯାଇଥାନ୍ତା। କିନ୍ତୁ ଡାକ୍ତର ମିଶ୍ର ସୂର୍ଯ୍ୟକାନ୍ତଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ। ତେଣୁ ଭୁଲ ଇଞ୍ଜେକସନ ଦେଇଥିବା ଡା. ମିଶ୍ରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବିକରି ପରିବାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହି ଥିଲେ। ଏହି ଦାବି ପରେଌିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସରୁ ସୂର୍ଯ୍ୟକାନ୍ତଙ୍କ ପରିବାରକୁ ୧୦ହଜାର ଟଙ୍କା ଶବ ସତ୍କାର ପାଇଁ ପ୍ରଦାନ କରାଯାଇଛି। ଏଥିସହ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୃତ ସୂର୍ଯ୍ୟକାନ୍ତଙ୍କ ପରିବାରକୁ ପ୍ରତିଶୃତି ଦେଇଥିଲେ। ଫଳରେ ପରିବାର ସଦସ୍ୟ ଧାରଣାସ୍ଥଳରୁ ମୃତଦେହ ଉଠାଇ ନେଇଥିଲେ। ସୂଚନା ଥାଉକି ରାଜନଗର ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିନ ଶୈଳେନ୍ଦ୍ରନଗର ଗ୍ରାମର ରାଜେଶ ଜାନାଙ୍କ ପୁଅ ସୂର୍ଯ୍ୟକାନ୍ତର ଦେହ ଅସୁସ୍ଥ ହୋଇପଡିବାରୁ ପରିବାର ପକ୍ଷରୁ ତାକୁ କେନ୍ଦ୍ରାପଡାର ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ମିଶ୍ରଙ୍କ କ୍ଲିନିକକୁ ନିଆଯାଇଥିଲା। ସେଠାରେ ଡାକ୍ତର ମିଶ୍ର ନିକଟସ୍ଥ ସୁମିତ୍ରା ଔଷଧ ଦୋକାନରୁ ୩ଟି ଇଞ୍ଜେକସନ ଆଣି ସୂର୍ଯ୍ୟକାନ୍ତକୁ ଦେଇଥିଲେ। ଏହାଦ୍ୱାରା ସୂର୍ଯ୍ୟକାନ୍ତଙ୍କ ପାଟିରୁ ଫେଣ ବାହାରି ଥିଲା ଓ ସେ ଅଚେତ ହୋଇଯାଇଥିଲେ। ସୂର୍ଯ୍ୟକାନ୍ତ ମରିଯାଇଥିବା ଜାଣି ଡା. ମିଶ୍ର ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ତେଣୁ ପରିବାର ଲୋକେ ସୂର୍ଯ୍ୟକାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୁଲ ଇଞ୍ଜେକସନ ଦେଇ ପୁଅକୁ ମାରିଦେଲେ ବୋଲି ସୂର୍ଯ୍ୟକାନ୍ତଙ୍କ ପିତା ରାଜେଶ ଜାନା ଟାଉନ ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ ୨୫୫/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ଦଫା୧୦୬(୩)(୫)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ କହିଛନ୍ତି ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିଛି। ଏ ନେଇ ଏକ କମିଟି ଗଠନ ହେବା ପରେ କମିଟି ତଦନ୍ତ କରି ଚିକିତ୍ସା ଅବହେଳା ସଂକ୍ରାନ୍ତରେ ତଥ୍ୟ ପ୍ରଦାନ ପରେ ସଂପୃକ୍ତ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁରୁବାର ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିବା ପାଇଁ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ଏସଂକ୍ରାନ୍ତରେ ଡା. ମିଶ୍ର କହିଛନ୍ତି ସେ ଠିକ ଇଞ୍ଜେକସନ ଦେଇଥିଲେ। କିନ୍ତୁ ପିଲାଟିକୁ ଗୁରୁତର ଅବସ୍ଥାରେ ତାଙ୍କ ପାଖକୁ ଅଣାଯାଇଥିବାରୁ ତା’ର ମୃତ୍ୟୁ ଘଟିଛି। ଏଥିରେ ଡାକ୍ତରଙ୍କର କୈାଣସି ଭୁଲ ନାହିଁ।


Discover more from

Subscribe now to keep reading and get access to the full archive.

Continue reading