ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିକ୍ଷୋଭ ମୃତ ଭାଗଚାଷୀ ଭାବଗ୍ରାହୀଙ୍କ ପରିବାରକୁ ୫୦ହାଜର ଟଙ୍କା କ୍ଷତିପୂରଣ ଦାବି



କେନ୍ଦ୍ରାପଡା,୩୦ା୧୨: ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗାଁର ଭୂମିହୀନ ଚାଷୀ ଭାବଗ୍ରାହୀ ମଳିକଙ୍କ ହୃଦଘାତ ଜନିତ ମୃତ୍ୟୁ ଆକସ୍ମିକ ନୁହେଁ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି। ପ୍ରକାଶ ଥାଉକି ଡେରାବିଶ ବ୍ଲକର ସନ୍ଥପୁରା ଗ୍ରାମର ଫସଲ ହାନି ଯୋଗୁ ମୃତ ଚାଷୀ ଭାବଗ୍ରାହୀ ମଳିକଙ୍କ ପରିବାର ସହିତ ଆଲୋଚନା କଲାବେଳେ ଜଣା ପଡିଲା ଯେ ତାଙ୍କର ମୋଟ ଅଠର ଗୁଣ୍ଠ ଚାଷଜମି ଅଛି ଓ ଏକ ଡ଼ିସିମିଲି ଘର ଡିହ ଅଛି। ଛଅ ଜଣ ପରିବାରକୁ ପ୍ରତିପୋଷଣ କରିବା ପାଇଁ ଏଥର ଆଉ ଆଠ ଏକର ଜମି ଭାଗ ଚାଷ କରିଥିଲେ। ଏଥିପାଇଁ ମଧ୍ୟ ସେ ଆଢେଇ ଲକ୍ଷ ଟଙ୍କା ହାତ ଉଧାରୀ ଆଣିଥିଲେ। ସମସ୍ତ ଧାନ ଫସଲ ଅଦିନିଆ ବର୍ଷାରେ ଉଜୁଡି ଯିବାରୁ ସବୁ ବୁଲି ଦେଖି ଆସିଲା ପରେ ମାନସିକ ଭାରସାମ୍ୟ ହରାଇ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଘର ବୋଲି କହିଲେ ଗୋଟିଏ ଚାଳ ଛପର ଘର। ଏପର୍ଯ୍ୟନ୍ତ ଆବାସ ଯୋଜନାରେ ଭାବଗ୍ରାହୀଙ୍କୁ ସାମିଲ କରାଯାଇ ନାହିଁ। ତାଙ୍କ ଘରକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଯାଇ ନାହାନ୍ତି ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଥିଲେ। କେବଳ ଡେରାବିଶ ତହସିଲଦାର ତାଙ୍କ ଜମି ପାଖକୁ ଯାଇ ମଝିଆ ପୁଅ ଠାରୁ ଗୋଟିଏ ସାଧା କାଗଜରେ ଦସ୍ତଖତ କରେଇ ନେଇଛନ୍ତି ବୋଲି ଆନ୍ଦୋଳନକାରୀ ମାନେ କହିଥିଲେ। ଭାବଗ୍ରାହୀ ତାଙ୍କ ଛଅ ଜଣିଆ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏଥି ସହିତ ସାରା ଜିଲ୍ଲାରେ ସମସ୍ତ ଫସଲ ଉଜୁଡି ଯାଇଛି। ସମସ୍ତ ଧାନ ଗଜା ହେବାସହିତ ଆଜିବି ପାଣିରେ ବୁଡି ରହିଛି। ଧାନ ହରାଇବା ସହିତ ନଡ଼ା ବି ନାହିଁ। ଅନ୍ୟ ପକ୍ଷରେ ସମସ୍ତ ପନିପରିବା ଶେଷ ହୋଇ ଯାଇଛି। ଏଣୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି ଯେ ଭାବଗ୍ରାହୀଙ୍କ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ସହିତ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ବିବାଦୀୟ ଡେରାବିଶ ତହସିଲଦାରଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଭାବଗ୍ରାହୀଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରୀ ଦିଆଯାଉ। ଅଦିନିଆ ବର୍ଷାରେ ସାରା ଜିଲ୍ଲାରେ ଉଜୁଡି ଯାଇଥିବା ସମସ୍ତ ଜମିକୁ ୟୁନିଟି ଭାବେ ଗ୍ରହଣ କରି ଯୁଦ୍ଧ କାଳୀନ ଭତ୍ତିରେ ତଦନ୍ତ କରାଯାଇ ପ୍ରକୃତ କ୍ଷତିପୂରଣ ଦିଆଯାଉ। ଉଜୁଡି ଯାଇଥିବା ପନିପରିବାର କ୍ଷତି ଭରଣା କରାଯାଉ। ସମସ୍ତ କୃଷି ଋଣ ଛାଡ କରାଯାଉ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ଆବାହକ ଗୟାଧର ଧଳ, ଆଡଭୋକେଟ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଅଜୟ ସାମଲ, ମାଧବ ଦାସ, ଆଦିକନ୍ଦ ରାଉଳ, ବିଜୟ ଦାସ, ଦାଶରଥି ସାହୁ, ଭୀମସେନ ବେହେରା, ବିକାଶ ଦାସ, ପ୍ରକାଶ ମହାନ୍ତି, ସୁହାନା ବେଗମ, ଧୀରେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ଚୌଧୁରୀ, କୁଳମଣି ଦାସ, ହରେକୃଷ୍ଣ ମାଝୀ, ରମେଶ ପ୍ରଧାନ, କେଦାର ସାମନ୍ତରାୟ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଡେପୁଟି କଲେକ୍ଟର କୁଇନ ଜେନା ଆନ୍ଦୋଳନ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଦାବି ପୂରଣ ନହେଲେ ଚାଷୀମାନେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading