କେନ୍ଦ୍ରାପଡ଼ା,୨୦ା୧: ମା’ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ହଟାଅ ରାଜକନିକାରେ ଶିଶୁମାନଙ୍କୁ ଅପପୃଷ୍ଟିରୁ ବଞ୍ଚାଓ ନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ସୂଚନା ଅଧିକାର କର୍ମୀ ତଥା ଓଡିଶା ସୂଚନା ଅଧିକାର ଅଭିଯାନର ଜଣେ ସକ୍ରୀୟ ସଦସ୍ୟ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଗତ ୩ତାରିଖରେ ଶ୍ରୀ ଆଚାର୍ଯ୍ୟ ଏନେଇ ଜିଲ୍ଲା ପଶାସନକୁ ଲିଖିତ ଭାବେ ଜଣାଇଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶ୍ରୀ ଆଚାର୍ଯ୍ୟ ବାଧ୍ୟ ହୋଇ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ କେତେକ ସରକାରୀ କର୍ମଚାରୀଙ୍କୁ ହାତବାରିସୀ କରି ଟି.ଏଚ.ଆର.(ଛତୁଆ ଓ ଲଡୁ ପ୍ରଭୃତି) ସାମଗ୍ରୀକୁ ବଣ୍ଟନ ନକରି ହଡପ କରିବା ସହ ଦୀର୍ଘ ବର୍ଷ ଧରି ବିନା ଟେଣ୍ଡରରେ ଏହି ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନ କାର୍ଯ୍ୟରେ ବେଆଇନ ଭାବେ ରହିଥିବାରୁ ସେହି ଏସଏଚଜିକୁ ଏହି କାର୍ଯ୍ୟରୁ ବରଖାସ୍ତ କରାଯାଉ। ସେହି ସଂସ୍ଥା ହଡପ କରିଥିବା ସମସ୍ତ ସାମଗ୍ରୀ ସଂପୃକ୍ତ ସଂସ୍ଥା ଠାରୁ ଆଦାୟ କରାଯିବା। ଏସମ୍ପର୍କରେ ଦୁଷ୍ମନ୍ତ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ମାଗିଥିବା ତଥ୍ୟ ତୁରନ୍ତ ପ୍ରଦାନ କରାଯିବା, ରାଜକନିକା ଆଇ.ସି.ଡି.ଏସ. କାର୍ଯ୍ୟାଳୟର କେତେକ କର୍ମଚାରୀ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠିକୁ ସମର୍ଥନ କରି ସାମଗ୍ରୀ ହଡପ ଘଟଣାର ସତ୍ୟତାକୁ ଚାପି ଦେବାକୁ ଉଦ୍ୟମ କରିଥିବାରୁ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିମ୍ନମାନର ଓ କମ୍ ଓଜନର ଟି.ଏଚ.ଆର. ସାମଗ୍ରୀ ପ୍ରସ୍ତୁତ କରି ବଣ୍ଟନ କରୁଥିବାରୁ ସେହି ସାମଗ୍ରୀ ଅଣାଯାଇ ଲାବୋରଟୋରୀରେ ପରୀକ୍ଷା କରାଯିବାକୁ ଦୁଷ୍ମନ୍ତ ଦାବି କରିଛନ୍ତି। ଏସମ୍ପର୍କରେ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଦୁଷ୍ମନ୍ତ କହିଛନ୍ତି। ପ୍ରତ୍ୟେକ ବର୍ଷ ଟେଣ୍ଡର ମାଧ୍ୟମରେ ଟି.ଏଚ.ଆର. ସାମଗ୍ରୀ ବଣ୍ଟ ନିମନ୍ତେ ଏସଏଚଜି ସଂସ୍ଥା ଚୟନ କରାଯିବାକୁ ସରକାରୀ ନିୟମ ଥିଲେ ମଧ୍ୟ ଏହି ସଂସ୍ଥାକୁ ବିନା ଟେଣ୍ଡରରେ ଦୀର୍ଘ ବର୍ଷ ହେବ କିଭଳି ରଖାଯାଇଛି ତାହାର ତଦନ୍ତ କରାଯିବାକୁ ଦୁଷ୍ମନ୍ତ ଦାବି କରିଛନ୍ତି। ତେଣୁ ଏହିସବୁ ଅଭିଯୋଗ ଉପରେ ତଦନ୍ତ ପୂର୍ବକ ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଓ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେ ସୂଚନା ଅଧିକାର ଆଇନରେ ମାଗିଥିବା ତଥ୍ୟ ତାଙ୍କୁ ପ୍ରଦାନ କରାଯିବା ଦାବିରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।