
କେନ୍ଦ୍ରାପଡ଼ା,୧୩ା୮:ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା ତଥା ଗଗୁଆ ପଞ୍ଚାୟତର ରାହାମାସ୍ଥିତ ନିଗମାନନ୍ଦ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଧ୍ରୁବ ଚରଣ ଦାଶ(୮୩)ଙ୍କର ପରଲୋକ ହୋଇଯାଇଛି। ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥାଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ୨ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ସେ ଜଣେ ଶିକ୍ଷାବୀତ, ସମାଜ ସଂସ୍କାରକ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ। ସ୍ୱର୍ଗତ ଦାଶଙ୍କ ଉଦ୍ୟମରେ ଠାକୁର ନିଗମାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧନ୍ଦାମୂଳକ ବିଦ୍ୟାଳୟ, ମହାବିଦ୍ୟାଳୟ, ବାବର ଡାକ୍ତରଖାନା ଓ ବ୍ୟାଙ୍କ ପ୍ରଭୃତି ପ୍ରତିଷ୍ଠା ହୋଇପାରିଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ଅଣାଯାଇ ସାନରାହାମା, ବଡରାହାମା, ପଟଣା, ବାବର ବଜାର ଓ ମହାବିଦ୍ୟାଲୟ ପରିସରକୁ ନିଆଯାଇଥିଲା। ସବୁସ୍ଥାନରେ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କ ବିୟୋଗରେ ଠାକୁର ନିଗମାନନ୍ଦ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ମନ୍ମଥ କୁମାର ପାତ୍ରଙ୍କ ନିର୍ଦେଶରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପ୍ରଦୀପ୍ତ କିଶୋର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟାପକ ପ୍ରତାପ କୁମାର ପ୍ରଧାନ, ସୁଦାମ ଚରଣ କର, ରମେଶ ଚନ୍ଦ୍ର ସାମଲ, ଅଧ୍ୟାପିକା ରୋଜାଲିନ ବିଶ୍ୱାଳ, ମଧୁସ୍ୱପ୍ନା ପଟ୍ଟନାୟକ, ସସ୍ମିତା ସାହୁ, ଝୁନୁଲତା ପ୍ରଧାନ ଓ ଅଣଶିକ୍ଷା କର୍ମଚାରୀ ରତିକାନ୍ତ ବେହେରା, ସମିର ବେହେରା, ମଦନ ଦାସ, ନଳିନିକାନ୍ତ ଦାସ, ଆଦିକନ୍ଦ ରାଉଳ, ବରଦା ଚୈାଧୁରୀ, ଜିତେନ୍ଦ୍ର ପଣ୍ଡା, ବନବିହାରୀ ନାୟକ, ଭିକାରୀ ଚରଣ ଦାସ, ନଳିନୀପ୍ରଭା ଜେନା ଓ ବିପିନ ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।










