
କେନ୍ଦ୍ରାପଡ଼ା,୩ା୧୧:କେନ୍ଦ୍ରାପଡ଼ା ପୌରସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛିି। ଏହି ଅଭିଯୋଗ ଗୁଡିକର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଅଧ୍ୟକ୍ଷତା କରିଥିଲେ। ଶିବିରରେ ୨୦୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ଟି ସାମୂହିକ ଏବଂ ୧୮୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୭ହଜାର ଏବଂ ରେଡ କ୍ରସରୁ ୫ ହଜାର ଟଙ୍କାର ଆର୍ôଥକ ସହାୟତା ହିତାଧିକାରୀଙ୍କୁ ଜିଲ୍ଲାପାଳ ପ୍ରଦାନ କରିଥିଲେ। ଅଭିଯୋଗ ଗୁଡିକ ମଧ୍ୟରେ ସାମାଜିକ ସୁରକ୍ଷା ବିଭାଗ, ସାମାଜିକ କଲ୍ୟାଣ, ଶିକ୍ଷା, ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡ଼ି, ଅବକାରୀ, ଯୋଗାଣ ବିଭାଗ, କ୍ରୀଡା, ସ୍ୱାସ୍ଥ୍ୟ ଆଦି ବିଭାଗର ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ଶ୍ରୀ ଆୟାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ, ତହସିଲଦାର ରବିନାରାୟଣ ଆଚାର୍ଯ୍ୟ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋରଞ୍ଜନ ରାଉତଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ସୋମବାର ଅର୍ଥାତ ୧୦ ତାରିଖରେ ରାଜକନିକା ବ୍ଲକ କାର୍ଯ୍ୟାଳୟ, ୧୭ ନଭେମ୍ବରରେ ମାର୍ଶାଘାଇ ବ୍ଲକ କାର୍ଯ୍ୟାଳୟ ଏବଂ ୨୪ ନଭେମ୍ବରରେ ଅଳି ବ୍ଲକ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦.୩୦ ଘଟିକାଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଫକୀର ମାଝୀ ସୂଚନା ଦେଇଛନ୍ତି।









