ତୁଳସୀକ୍ଷେତ୍ରରେ ମକର ଉତ୍ସବ


କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ତଥା ତୁଳସୀକ୍ଷେତ୍ରରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଧବାର ପ୍ରତୁଷରୁ ଦ୍ୱାର ଫିଟା ନୀତି, ଜୟମଙ୍ଗଳା ଆଳତୀ, ନୀତି ସ୍ନାନ ବଲ୍ଲଭ ଧୂପ ଅନୁଷ୍ଠିତ ହୋଇଥିଲା। ସକାଳ ୯ଟା ୩୦ରେ ସକାଳ ଖେଚୁଡ଼ି ଧୂପ ହୋଇଥିଲା। ଭକ୍ତମାନେ ଏହାପରେ ମହାପ୍ରଭୂଙ୍କ ଦର୍ଶନ କରିଥିଲେ। ହଜାର ହଜାର ଭକ୍ତ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ। ଅପରାହ୍ଣ ୩ଟା ୧୫ ମିନିଟ୍‌ରେ ମକର ବେଢା ନୀତି ପାଇଁ ସେବାୟତମାନଙ୍କ ଦ୍ୱାରା ୪ଥର ବେଢା ପରିକ୍ରମା କରାଯାଇଥିଲା। ସାଢେ ୪ଟାରେ ମକର ଚୌରାଶି ଭୋଗ କରାଯାଇଥିଲା। ଅପରାହ୍ଣ ୫ଟାରେ ଦ୍ୱିପହର ଧୂପ ଅନୁଷ୍ଠିତ ହୋଇ ଦିବା ପହୁଡ଼ ହୋଇଥିଲା। ସନ୍ଧ୍ୟା ୭ଟାରେ ପହୁଡ଼ ଖୋଲା ଯାଇ ଉଠାଣି ଧୂପ ତଥା ସନ୍ଧ୍ୟା ଧୂପ ଆଳତୀ ହୋଇଥିଲା। ରାତି ୯ଟାରେ ରାତ୍ର ଧୂପ କରାଯାଇଥିଲା। ଆଜି ଏକାଦଶୀ ତିଥି ଥିବାରୁ ବିଜେ ପ୍ରତିମା ଶ୍ରୀ ଗୋବିନ୍ଦଜୀଉ ବିମାନରେ ବେଢା ପରିକ୍ରମା କରିଥିଲେ। ଶେଷରେ ରାତି ୧୧ଟାରେ ବଡ଼ସିଂହାର ନୀତି ହୋଇ ରାତ୍ର ପହୁଡ଼ ପଡିଥିଲା। ମକର ଉତ୍ସବ ପାଇଁ ତୁଳସୀ କ୍ଷେତ୍ରରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା।

ପୂର୍ବଦିନ ଅର୍ଥାତ ମଙ୍ଗଳବାର ରାତିରେ ମନ୍ଦିର ପରିସରରେ ନବାଙ୍କ ବେଢା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାଲକ୍ଷ୍ମୀଙ୍କ ବିଜେ ପ୍ରତିମା ମଣି ବିମାନରେ ବିଜେ କରି ମକର ଚାଉଳ, ଫଳମୂଳ ସହ ବେଢା ପରିକ୍ରମା କରିଥିଲେ। ତୁଳସୀକ୍ଷେତ୍ରରେ ମକର ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସମାପନ କରିବା ପାଇଁ ଟ୍ରଷ୍ଟବୋର୍ଡ ସଭ୍ୟ ଉପଜିଲାପାଳ ଅରୁଣ କୁମାର ନାୟକ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସଭ୍ୟ ପଣ୍ଡିତ ହୃଷିକେଶ ରଥ, ସଭ୍ୟ ଧୀରେନ କୁମାର ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading