ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପିଟିପିଟି ହତ୍ୟା


କେନ୍ଦ୍ରପଡା ୨୫ା୭ ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଖବର ମିଳିଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।  ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବନ୍ତପାଟଣା ହର୍‌ନବାବି ଗାଁର ମଣିଚରଣ ସାହୁ ଗୁଣିଗାରେଡି ଓ ଝଡା ଫୁଙ୍କ କାମ କରନ୍ତି । ଗୁଣି ଗାରେଡିକୁ ନେଇ ତାଙ୍କର କିଛି ଲୋକଙ୍କ ସହିତ ଶତ୍ରୁତା ମଧ୍ୟ ଥିଲା ବୋଲି ଗ୍ରାମବାସୀ କୁହନ୍ତି । ଏହି ଘଟଣାକୁ ନେଇ ସାହିପଡିଶା ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ତେବେ ମଣି ଚରଣ ଏହାକୁ ଭ୍ରୁକ୍ଷେପ କରିନଥିଲେ । ଏନେଇ କିଛି ଲୋକଙ୍କ ସହିତ ମଣି ଚରଣଙ୍କ ଦୀର୍ଘ ଦିନ ହେବ ଶତ୍ରୁତା ଥିଲା । ସେହିପରି ପାଖ ପଡ଼ୋଶୀ ଅଜୁ ମହାରଣାଙ୍କ ପରିବାର ସହ ଦୀର୍ଘ ଦିନ ହେବ ମଣି ଚରଣ ଙ୍କର ତେରିମେରି ଲାଗିରହୁଥିଲା । ଏନେଇ ଉଭୟ ପରିବାର ମଧ୍ୟରେ ସବୁବେଳେ ଝଗଡ଼ା ମଧ୍ୟ ହେଉଥିଲା । ଅଜୁ ମହାରଣାଙ୍କ ପରିବାର ଲୋକେ ଗୁଣିଗାରେଡିକୁ ନେଇ ସନ୍ଦେହ କରୁଥିଲେ । ମନ  ଭିତରେ କୁହୁଳୁ ଥିବା ସନ୍ଦେହର ନିଆଁ ଉଗ୍ର ରୂପ ଧାରଣ କରିଥିଲା । ଯାହାଫଳରେ ଗତ ୨୩ ତାରିଖ ରବିବାର ବିଳମ୍ବିତ ରାତିରେ ମଣିଚରଣ ଘରେ ଶୋଇଥିବା ବେଳେ ପଡୋଶୀ ଅଜୁ ମହାରଣା ଓ ତାଙ୍କର ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା କବାଟ ଭାଙ୍ଗି ଘରେ ପଶି ତାଙ୍କୁ ମରାମରି କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ପରେ ଏକ ଶାବଳ ଓ ଠେଙ୍ଗାରେ ଏମାନେ ମଣି ଚରଣଙ୍କୁ ମରଣାନ୍ତକ ଆକ୍ରମଣ କରି ପ୍ରହାର ପରେ ପ୍ରହାର କରିଥିଲେ । ମଣି ଚରଣଙ୍କୁ ଛାଡ଼ି ଦେବାକୁ ପରିବାର ଲୋକେ କାକୁତି ମୀନତି ହୋଇଥିଲେ ବି ସେମାନେ ଶୁଣି ନ ଥିଲେ । ଶାବଳ ମାଡରେ ମଣି ଚରଣଙ୍କ ଅବସ୍ଥା ଗୁରୁତର ହେବା ସହ ପ୍ରବଳ ରକ୍ତପାତ ହେବାରୁ ଅଭିଯୁକ୍ତ ବାପପୁଅ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରେ ପରିବାର ଲୋକେ ଗୁରୁତର ମଣିଚରଣଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଣି ଚରଣଙ୍କ ମୃତ୍ୟୁ ଘଟିଛି ।  ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ମଣି ଚରଣଙ୍କୁ ପିଟି ପିଟି ମାରି ଦିଆଯାଇଥିବା ନେଇ ମୃତ ମଣି ଚରଣଙ୍କ ମା ଲଷ୍ମୀପ୍ରିୟା ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଏକ ମାମଲା ୪୫୦/୨୩ ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି । ତଦନ୍ତ ପରେ ଏହି ମାମଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମାଂଚଳ ଥାନା ଅଧିକାରୀ ବାମଦେବ ନନ୍ଦ କହିଛନ୍ତି ।


Next Post

ମଣିପୁର ଠାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ ପ୍ରତିବାଦ

Tue Jul 25 , 2023
କେନ୍ଦ୍ରାପଡ଼ା ୨୫/୭: କେନ୍ଦ୍ରାପଡାର ଆମ୍ବେଦକର ଲୋହିଆ ବିଚାରମଞ୍ଚ ମହିଳା ଶାଖା ତରଫରୁ ମଣିପୁର ରାଜ୍ୟରେ ଯେପରି ୨ଜଣ ମହିଳାଙ୍କୁ ଦୁଷ୍କର୍ମ କରି ରାଜରାସ୍ତାରେ ଶୋଭାଯାତ୍ରାରେ ଚଲାଇବା ଭଳି ଲଜ୍ୟାଜନକ ଘଟଣା ବିରୋଧରେ ଏକ ପ୍ରତିବାଦ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ହେଉଛି ଯେ ନାରୀଜାତିର ସୁରକ୍ଷା ନାହିଁ, ଯେଉଁ ଭଳି ଭାବରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମପରେ ଉଲଗ୍ନ କରି ରାଜରାସ୍ତାରେ […]

You May Like