ନୂଆ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କଲେ ବିଧାୟକ


କ୍ରମବର୍ଦ୍ଧିଷ୍ଣୁ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ଓ ଜନସାଧାରଣଙ୍କୁ ଉତ୍ତମ ଗମନାଗମନ ସେବା ଯୋଗାଇ ଦେବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଦାବୀକୁ ବିଚାରକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଟ୍ଟାମୁଣ୍ଡାଇ ନୂତନ ବାଇ ପାସ ରାସ୍ତା ନିର୍ମାଣ ପାଇଁ ୨୧କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ବୃହତ ପ୍ରକଳ୍ପର ଟେଣ୍ଡର କରାଯାଇ ନିର୍ମାଣକାରୀ ସଂସ୍ଥା ନିଯୁକ୍ତ କରାଯାଇଛି । ସମ୍ପୃକ୍ତ ସଂସ୍ଥା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ । ବିଧାୟକ ସାହୁ ଉତ୍ତମ ଗୁଣବତ୍ତା ସହ ନିର୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହି ବୈଠକ ପୂର୍ତ୍ତ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ ରାଜଶ୍ରୀ ବେହେରା ଜବରଦଖଲ ଉଛେଦ, ମୁନିସିପାଲିଟି ପ୍ରାଚୀର, ଓ ବିଦ୍ୟୁତ ଖୁଣ୍ଟ ଅପସାରଣ ଆଦି ବିଭିନ୍ନ ସମସ୍ୟା ଉଲ୍ଲେଖ କରିଥିଲେ । ବିଧାୟକ ସମସ୍ତ ବିଷୟରେ ଅବଗତ ହେବା ପରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଦେଖାଦେଇଥିବା ଅସୁବିଧା ଦୂର କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ସହିତ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରି ନିର୍ଦ୍ଧିଷ୍ଟ ସମୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ବିଡ଼ିଓ ଶୁଭ୍ରାଂଶୁ ସାହୁ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ,ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ଜଳସମ୍ପଦ ବିଭାଗ ସହନିର୍ବାହୀଯନ୍ତ୍ରୀ ଇଂ ପ୍ରଭାତ ସାହୁ, ପୌର ପରିଷଦ ଉପନିର୍ବାହୀଯନ୍ତ୍ରୀ ସମୀର ଠାକୁର,ଜନସ୍ୱାସ୍ଥ୍ୟ ବିଭାଗ ସହସହକାରୀଯନ୍ତ୍ରୀ ଇଂ ସୁଦାମ ସାହୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଏସ ସି ଏଫ ଗଗନ ବିହାରୀ ମଲ୍ଲିକ ଓ ବନପାଳ ରୋଜାଲିନ ଦାସ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ୧୫ତାରିଖରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ କ୍ଷେତ୍ର ପରିଦର୍ଶନ କରି ନୂତନ ବାଇପାସ ରାସ୍ତା ନିର୍ମାଣରେ ଦେଖାଦେଇଥିବା ଅସୁବିଧାର ସରଜମିନ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading