ଷ୍ଟିଲ୍ ପ୍ଲାଂଟ୍ ପାଇଁ ଜମି ଅଧିଗ୍ରହଣର ଜନଶୁଣାଣିକୁ ପୂର୍ଣ୍ଣ ସମର୍ଥନ ଦାରିଦ୍ର‌୍ୟ ଓ ଅଭାବର ଅନ୍ତ ପାଇଁ ଶିଳ୍ପକୁ ମହାକାଳପଡ଼ାରେ ସ୍ୱାଗତ



କେନ୍ଦ୍ରାପଡ଼ା, ୧୩/୧୨: ବତୀଘର ପଂଚାୟତର ଦାରିଦ୍ର‌୍ୟରେ ପୂର୍ଣ୍ଣଛେଦ ଟାଣିବା ପାଇଁ ଆମେ ସାଦରେ ସ୍ୱାଗତ କରୁଛୁ ଶିଳ୍ପକୁ । ବେକାରୀ ସମସ୍ୟାର ଦୂରୀକରଣ ଓ ଅଭାବର ଅନ୍ତ ପାଇଁ ଆମେ ଶିଳ୍ପ ପ୍ରତିଷ୍ଠାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛୁ ବୋଲି ଆର୍ସଲର୍ ମିତଲ୍ ନିପନ୍ ଷ୍ଟିଲ୍ ପ୍ଲାଂଟ୍ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣର ଜନଶୁଣାଣିରେ କହିଛନ୍ତି ବତୀଘର ପଂଚାୟତର ପ୍ରଭାବିତ ଚାଷୀ ଓ ଗ୍ରାମବାସୀମାନେ । ଆଜି ତୃତୀୟ ତଥା ଅନ୍ତିମ ଦିନ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା ବତୀଘର ପଂଚାୟତର ବରକୋଳିଖଳା ରେଡ୍ କ୍ରସ୍ ବାତ୍ୟା ଆଶ୍ରୟସ୍ଥଳ ସମ୍ମୁଖ ପଡ଼ିଆଠାରେ ।

ବତୀଘର ଗ୍ରାମ ପଂଚାୟତର ସରପଂଚ ଶିବାନୀ ବିଜୁଳୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଜନଶୁଣାଣିରେ ବରକୋଳିଖଳା, ନିପାଣିଆ, ବଡ଼ଟୁବୀ ଗ୍ରାମର ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ପ୍ରଭାବିତ ଗ୍ରାମବାସୀମାନେ ସକ୍ରିୟ ଅଂଶଗ୍ରହଣ କରି ଶିଳ୍ପ ପ୍ରତିଷ୍ଠାକୁ ସ୍ୱାଗତ କରୁଛୁ ବୋଲି ନିଜ ନିଜର ପ୍ରତିକ୍ରିୟାରେ କହିଥିଲେ । ମାତ୍ର ପ୍ରତିବଦଳରେ ଜମିର ଉଚିତ୍ ମୂଲ୍ୟ, ବାସଚ୍ୟୁତ ହେବାକୁ ଥିବା ପରିବାରର ପିଲାମାନଙ୍କୁ ଯୋଗ୍ୟତା ଭିତିରେ ସ୍ଥାୟୀ ନିଯୁକ୍ତି, ବିସ୍ଥାପିତଙ୍କୁ ନିକଟବର୍ତି ଅଂଚଳରେ ଥଇଥାନ, ମତ୍ସ୍ୟଜୀବୀଙ୍କୁ ଉଚିତ୍ କ୍ଷତିପୂରଣ, ପରିବେଶର ସୁରକ୍ଷା; ମା’ ମନଷାଦେବୀ, ବତୀଘର ଓ ହୁକିଟୋଲାକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିତିଭୂମିରେ ବ୍ୟାପକ ରୂପାନ୍ତରଣ; ମେଡିକାଲ, ସ୍କୁଲ, କଲେଜ୍‌, ପାନୀୟ ଜଳ ଓ ରାସ୍ତାଘାଟ ନିର୍ମାଣ ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତିର ଦାବି ରଖିଛନ୍ତି । ଚାଷୀ ଓ ଗ୍ରାମବାସୀଙ୍କ ସମସ୍ତ ମତାମତକୁ ଲିପିବଦ୍ଧ କରାଯାଇଥିବା ବେଳେ ଫାଇନାଲ୍ ଏସ୍‌ଆଇଏ (ସୋସିଆଲ୍ ଇମ୍ପାକ୍ଟ ଆସେସ୍‌ମେଂଟ୍ ବା ସାମାଜିକ ପ୍ରଭାବ ଆକଳନ) ରିପୋର୍ଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ମତବ୍ୟକ୍ତ କରିଥିଲେ । ଯେଉଁ ବତୀଘର ତାର ଭୌଗୋଳିକ ଓ ଐତିହାସିକ ଗୁରୁତ୍ୱ ପାଇଁ ବିଶ୍ୱ ପର୍ଯ୍ୟଟନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ସେହି ମାଟିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତିକୁ ସମଗ୍ର ମହାକାଳପଡ଼ାବାସୀ ସମର୍ଥନ ଜଣାଉଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମହାକାଳପଡ଼ା ପଂଚାୟତ ସମିତିର ଉପାଧ୍ୟକ୍ଷ ବିଜୟ ଶୁକ୍ଲା । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ୧୪ ଏମ୍‌ଟିପିଏ କ୍ଷମତା ସମ୍ପନ୍ନ ଇସ୍ପାତ ନିର୍ମାଣ ପାଇଁ କାରଖାନା ଏବଂ ୯୦ ଏମ୍‌ଟିପିଏ ନିଜସ୍ୱ ଜେଟି ନିର୍ମାଣ କରିବାକୁ ଯୋଜନା କରିଛି । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ଏହି ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପରେ ମୋଟ୍ ୧ଲକ୍ଷ ୪୫ ହଜାର ୧୨୦ କୋଟି ଟଙ୍କା ବିନିଯୋଗ ହେବ । ଏହା କେବଳ ଜିଲ୍ଲାରେ ଦ୍ରୁତ ଅଭିବୃଦ୍ଧି ଆଣିବ ନାହିଁ ବରଂ ରାଜ୍ୟରେ ବିକାଶର ନନ୍ଦିଘୋଷକୁ ଆଗେଇ ନେବ । ଏଥିପାଇଁ ୪୭୧୨.୫୨୨ ଏକର ଜମି ଅଧିଗ୍ରହଣ ନିମନ୍ତେ କମ୍ପାନୀ ପକ୍ଷରୁ ଓଡ଼ିଶା ସରକାରଙ୍କ ଇଡ୍‌କୋରେ ଦରଖାସ୍ତ କରାଯାଇଛି । ମାତ୍ର ନିୟମାନୁସାରେ ଲୋକଙ୍କ ଅନୁମତି ବିନା ଜମି ସଂଗ୍ରହ କରାଯାଇପାରିବ ନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଡିସେମ୍ବର ମାସ ୧୧, ୧୨, ୧୩ ତାରିଖରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଓ ସେଥିରେ ଲୋକଙ୍କ ପୂର୍ଣ୍ଣ ସମର୍ଥନ ଦେଖିବାକୁ ମିଳିଛି । ସଭିଙ୍କ ମୁହଁରେ ଗୋଟିଏ ସ୍ୱର, “ଆମେ ଶିଳ୍ପକୁ ସ୍ୱାଗତ କରୁଛୁ ଓ ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ନିଷ୍ପତିକୁ ଆନ୍ତରିକ ସମର୍ଥନ ଜଣାଉଛୁ ।”ଉକ୍ତ ଜନଶୁଣାଣୀରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ, ଏସ୍‌ପି ମଡ଼୍‌କର୍ ସନ୍ଦୀପ୍ ସମ୍ପଦ୍‌, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଇଡ୍‌କୋ ଅଧିକାରୀ ସମ୍ବିତ୍ ଗଡ଼ନାୟକ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଶିବାଶିଷ ପରିଡ଼ା, ମହାକାଳପଡ଼ା ବିଡିଓ ସାଗର ନନ୍ଦ,ମହାକାଳପଡ଼ା ପଂଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତ, ୨୩-ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ବତୀଘର ପଂଚାୟତର ସମିତିସଭ୍ୟ କୃଷ୍ଣପଦ ମଣ୍ଡଳ, ଭୁବନେଶ୍ୱରର ଏନ୍‌ସିଡିଏସ୍ ପ୍ରତିନିଧି ଜୟଦେବ ଦଳାଇ, ଚାଷୀ ଓ ଗ୍ରାମବାସୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମହାକାଳପଡ଼ା ତହସିଲ୍‌ଦାର ମାନସ ରଞ୍ଜନ ତ୍ରିପାଠୀ ।


Discover more from

Subscribe now to keep reading and get access to the full archive.

Continue reading