କେନ୍ଦ୍ରାପଡ଼ା, ୭ା୪: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ତହସିଲର ଖାମଖିଆଲି ନୀତି ଯୋଗୁଁ ସୀମା ନିର୍ଦ୍ଧାରଣରେ ଏହା ବାଧକ ହେଉଥିବାରୁ ଦଶମୈାଜାର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି । ଦୀର୍ଘଦିନର ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂପୃକ୍ତ ଅଞ୍ଚଳର ଲୋକମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ୨ବର୍ଷ ଧରି ରାଜକନିକା ତହସିଲ ଅଧିନ ଆୟତନ ରାଜସ୍ୱ ସର୍କଲର ବନ୍ଦପାଳ, ତରପଦା, ଗଜରାଜପୁର,କାଟଣାବଣିଆଁ, କୋଇଲିପୁର ଓ ଓଲାଭର ରାଜସ୍ୱ ସର୍କଲର ଦେଉଳସାହି ଏବଂ ପେଗରପଡା ରାଜସ୍ୱ ସର୍କଲର ଗଞ୍ଜା, ପଙ୍କି, ନୂଆଗାଁ ଏବଂ ବଳରାମପୁର ପ୍ରଭୃତି ୧୦ଟି ମୈାଜାର ସୀମା ନିର୍ଦ୍ଧାରଣ ଚାଲିଥିବାରୁ ସେହି ଅଞ୍ଚଳର ଅଧିବାସୀଙ୍କ ଜମି କିଣାବିକା ବନ୍ଦ ହୋଇଯିବା ସହିତ ଦାଖଲ ଖାରଜ ମାମଲାକୁ ମଧ୍ୟ ବନ୍ଦ ରଖାଯାଇଛି । ଏସମ୍ପର୍କରେ କନିକା ତହସିଲଦାର କନିକାର ଉପନିବନ୍ଧକଙ୍କୁ ସେସବୁ ଅଞ୍ଚଳରେ କୈାଣସି କିଣାବିକା ଦଲିଲ ନକରିବା ପାଇଁ ପତ୍ରସଂଖ୍ୟା ୪୮୦୩ ତା ୧୯.୧୨.୨୦୨୨ରିଖରେ ଜଣାଇ ଦେଇଛନ୍ତି । ଫଳରେ ସେହିସବୁ ଅଞ୍ଚଳରେ ଲୋକମାନେ ଝିଅବିବାହ, ଡାକ୍ତରଖାନାରେ ଜରୁରୀ ଚିକିତ୍ସା, ପିଲାମାନଙ୍କ ପାଠପଢା ଖର୍ଚ୍ଚ ପ୍ରଭୃତି ତୁଲାଇବା ସହ ଜରୁରୀ ଆବଶ୍ୟକତା ପୁରଣ କରିବା ନିମନ୍ତେ ଜମି କିଣାବିକା କରିନପାରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ହନ୍ତସନ୍ତ ହେବା ହିଁ କେବଳ ସାର ହୋଇଛି । ଏସମ୍ପର୍କରେ ପୂର୍ବତନ ଜିଲ୍ଲାପାଳଙ୍କୁ ସଂପୃକ୍ତ ଅଞ୍ଚଳର ଅଧିବାସୀମାନେ ଜଣାଇବା ପରେ ତତ୍କାଳୀନ ଜିଲ୍ଲାପାଳ ଦୁଇଜଣ କର୍ମଚାରୀଙ୍କୁ କନିକା ତହସିଲକୁ ଏହି କାର୍ଯ୍ୟ ନିମନ୍ତେ ଡେପୁଟେସନରେ ପଠାଇଥିଲେ । କିନ୍ତୁ ଅଦ୍ୟାବଧି କନିକା ତହସିଲ ପକ୍ଷରୁ ବିଭିନ୍ନ ଆଳରେ ସୀମାନିର୍ଦ୍ଧାରଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇନାହିଁ । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । କାହାର ଝିଅ ମଙ୍ଗୁଳା ହୋଇ ବିବାହ କରିନଥିବା ବେଳେ କେତେ ମୂଲ୍ୟବାନ ଜୀବନ ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ନପାଇ ହାନୀ ହୋଇଥିବା ଅଞ୍ଚଳବାସୀଙ୍କ ପକ୍ଷରୁ କନିକା ଓକିଲ ସଙ୍ଘ ସଭାପତି ବୀରେନ କୁମାର ଜେନା, ଉପସଭାପତି ଅଶୋକ କୁମାର ସାମଲ, ସମ୍ପାଦକ ସୁକାନ୍ତ କୁମାର ଜେନା, ବରିଷ୍ଠ ଆଇନଜୀବୀ ଖଗେଶ୍ୱର ନାୟକ, ମାନବଧିକାର କର୍ମୀ ନଳିନୀ ପୃଷ୍ଟି ପ୍ରମୁଖ ଅଭିଯୋଗ କରିବା ସହିତ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।