ଭାଜପା ଆଶାୟୀ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁନାହାଁନ୍ତି , ଟିକେଟ ଆଶାରେ ଭୁବନେଶ୍ୱରରେ଼ ଡେରା


କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି । ବିଜେଡି ଦଳ ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇ ବିଜେଡି କର୍ମୀମାନେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି । ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା ପଛରେ ପଡ଼ିଥିବାରୁ ଭାଜପା ଆଶାୟୀଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି । ଘୋଷଣା ହେବାକୁ ଥିବା ଭାଜପା ବିଧାନସଭା ଟିକେଟକୁ ନେଇ ଆଶାୟୀ ଚିନ୍ତାରେ ପଡ଼ିଥିବା ବେଳେ ଲୋକଙ୍କ ନିକଟତର ହେବା ପରିବର୍ତେ ଆଶାୟୀ ଓ ତାଙ୍କ ସମର୍ଥକ ମାନେ ଭୁବନେଶ୍ୱରରେ଼ ଭିଡ ଜମାଇଛନ୍ତି । ମାତ୍ର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁନାହାଁନ୍ତି । ଫଳରେ ଲୋକେ ଭାଜପା ଉପରୁ ମୁହଁ ଫେରଇବା ଅରମ୍ଭ କଲେଣି ବୋଲି ରାଜନୈତିକ ସମିକ୍ଷକମାନେ ମତ ପ୍ରକାଶ କରିଛନ୍ତି ।ଘୋଷଣା ହେବାକୁ ଥିବା ରାଜନଗର ନିର୍ବାଚନ ମଣ୍ଡଳୀର ଭାଜପା ବିଧାନସଭା ପାର୍ଥୀ ମାନେ ଟିକେଟ ବଂଟା ଆରମ୍ଭ ହେବା ଦିନରୁ ଭୁବନେଶ୍ୱରରେ ଡେରା ପକାଇଛନ୍ତି । ଏଠାରେ ପୂର୍ବତନ ବିଧାୟକ ଅଲେଖ ଜେନା ଟିକେଟ ପାଇବା ପାଇଁ ଜୋରସୋର ଉଦ୍ୟମ ଚଳାଇଥିବା ବେଳେ ପଟ୍ଟାମୁଣ୍ଡାଇର ଯୁବନେତା ଶଶିକାନ୍ତ ସ୍ୱାଇଁ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶକରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡିତ ଥାଇ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ଜନସାଧାରଣଙ୍କ ପାଖରେ ରହିଥିବାରୁ ସେ ମଧ୍ୟ ଟିକେଟ ପାଇବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି । ସେହିପରି ରାଜନଗରରୁ ଅଜୟ ବେହେରା ଓ ଲଳିତ ବେହେରା ମଧ୍ୟ ଅଭିଯାନ ଜାରି ରଖିଛନ୍ତି । ଭାଜପାର ବରିଷ୍ଠ ନେତାମାନେ ଏମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏଯାଏ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ଏଭଳି ସ୍ଥିତିିରେ ଦଳ ଏମାନଙ୍କୁ ବାଦ୍ ଦେଇ ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି । ଏଥିନେଇ ଅନ୍ୟ ଦଳର ଦୁଇ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଲାଣି ବୋଲି ସମିକ୍ଷକମାନେ ମତ ଦେଲେଣି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିର ଦୃଶ୍ୟପଟରେ ଆଗଧାଡିର ବିରୋଧୀ ଦଳଭାବେ କଂଗ୍ରେସ ଥିବା ବେଳେ ଶିବିରରୁ ଜଣକ ପରେ ଜଣେ ନେତା ଦଳ ଛାଡ଼ି ବିଜେଡିରେ ସାମିଲ୍ ହେଉଛନ୍ତି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ୍ ହେଇ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପାର୍ଥୀ ହୋଇସାରିଥିବା ବେଳେ କେନ୍ଦ୍ରାପଡାର ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଗତ ୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ସେଥିନେଇ କଂଗ୍ରେସ ନେତା ଶୂନ୍ୟ ହୋଇପଡ଼ିଥିବା ବେଳେ ଏହି ରାଜନଗର ବିଧାନସଭାର ଦାୟିତ୍ୱ କାହାକୁ ହସ୍ତାନ୍ତର କରିବେ ବୋଲି ବିଚାରବିମର୍ଶ ଚାଲିଛି । ତେବେ ଯୁବନେତା ସମ୍ରାଟ ଜେନା ଏଥିପାଇଁ ଯୋଗ୍ୟ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟତମ ଆଶାୟୀ ଭାବେ ପୂର୍ବତନ ମହିଳା ସଭାନେତ୍ରୀ ସ୍ନେହଲତା ରାୟ ଓ ପୂର୍ବତନ ଜିଲା ଯୁବ ସଭାପତି ସତ୍ୟପ୍ରିୟ ସାମଲ କଂଗ୍ରେସ ଟିକେଟ ପାଇଁ ଏଆଇସିସିକୁ ଦରଖାସ୍ତ କରିଛନ୍ତି । ଏହି ପରିପେକ୍ଷୀରେ ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡିକୁ ମୁକାବିଲା କରିବାରେ ଅନ୍ତଃ କନ୍ଦଳରେ ବୁଡିରହିଥିବା ଭାଜପା ନା ନେତା ଶୂନ୍ୟ କଂଗ୍ରେସ ସମକ୍ଷ ହେବେ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading