
କେନ୍ଦ୍ରାପଡ଼ା,୯ା୪: ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ କୃଷକର ଜଳ ଜମି ଓ ଜମା ସଙ୍କଟ ଦୂର କରାଯିବା ସହ ସାମାଜିକ ସୁରକ୍ଷା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ବିଚାର, କୃଷକମାନଙ୍କୁ ୫୦ବର୍ଷରେ ଭତ୍ତା ପ୍ରଦାନ ଏବଂ କୃଷି ବୀମାର ସହଜ ସଅଳ ଉପଲବ୍ଧ, ନିଶୁଳ୍କ ଉତ୍ତମ ସ୍ୱାସ୍ଥ୍ୟସେବା ଏବଂ ଅନୁଦାନ ଯୁକ୍ତ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା, ଅଣକୃଷକଙ୍କୁ କୃଷକ ବର୍ଗରୁ ବାଦ ଓ ଯୋଜନାରୁ ବଞ୍ଚିତ କିମ୍ବା ଅବହେଳିତ କୃଷକମାନଙ୍କୁ ସାମିଲ କରାଯିବା, କୃଷକର ଅଭିଯୋଗ ଓ ଅଧିକାରର ତ୍ୱରିତ ବିଚାର ଏବଂ କୃଷି ଯୋଜନାରେ ଦୁର୍ନୀତିର ବିଚାର ପାଇଁ କୃଷି ଆୟୋଗ ଗଠନ, କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୟ ପାଇଁ ସ୍ଥାୟୀ ଓ ସୁନିଶ୍ଚିତ ସରକାରୀ ପରିଚାଳିତ ବଜାର ବ୍ୟବସ୍ଥା, ଫସଲ ଉତ୍ପନ୍ନ ଅଞ୍ଚଳରେ ଅପରାହ୍ନ ବିକ୍ରୟ କେନ୍ଦ୍ରକୁ ମଞ୍ଜୁରୀ, ପୁରୁଣା ଋଣ ଛାଡ,ଋଣ ଖିଲାପି ଚାଷୀଙ୍କୁ ପୁନଃ ଋଣ ଯୋଗାଣ ଓ କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠାରେ କୃଷକ ପରିବାରକୁ ଅଗ୍ରାଧିକାର ପ୍ରଦାନ, ପ୍ରତି ବ୍ଲକରେ ସରକାରୀ ଶୀତଳଭଣ୍ଡାର ପ୍ରତିଷ୍ଠା, ଏକାଧିକ କାଞ୍ଜିଆହୁଦା ପ୍ରତିଷ୍ଠା, ମାଗଣା ଜଳ ଓ ବିଦ୍ୟୁତ ଯୋଗାଣ ସହ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ, ଉଦ୍ବୃତ୍ତଜଳ ଓ ବନ୍ୟା ଜଳ ନିଷ୍କାସନ ସହ ତା’ର ଉପଯୋଗ ପାଇଁ ପଦକ୍ଷେପ, ଚାଷ ଜମିରୁ ମୃତ୍ତିକା ଚାଲାଣ ନିଷେଧ ଓ ଗୋଚର ଜମି ବୃଦ୍ଧି, ବିଭିନ୍ନ ମଣ୍ଡିମାନଙ୍କରେ ଚାଷୀର ବାକିଆ ପ୍ରାପ୍ୟ ତୁରନ୍ତ ପ୍ରଦାନ, ବେଣାମାଡି ଯାଇଥିବା ଚାଷ ଜମିର ପୁନରୁଦ୍ଧାର ଓ ଆର୍ଥିକ ସହାୟତା ପ୍ରଦାନ ଏବଂ କୃଷକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ପ୍ରଭୃତି ଦାବି ରହିଛି । ସଙ୍ଘ ପକ୍ଷରୁ କୁହାଯାଇଛି ଯେ ଓଡିଶାର କୃଷକମାନେ ଦେଶର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର ହୋଇଥିବାରୁ ସେମାନଙ୍କର ନାର୍ଯ୍ୟ ଦାବି ଗୁଡିକ ତୁରନ୍ତ ପୁରଣ କରାଯିବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ପାଖରେ ନ୍ୟାୟ ଭିକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ଜିଲ୍ଲା କମିଟି ଉପଦେଷ୍ଟା କିଶୋର ଚନ୍ଦ୍ର ମିଶ୍ର, ସଭାପତି ରଞ୍ଜନ କୁମାର ରାଉତ, ଉପସଭାପତି ମୀନତି ସୁନ୍ଦରରାୟ, ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର ଓ ସନ୍ତୋଷ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।









